
ପଟ୍ଟାମୁଣ୍ଡାଇ ୨୦/୭ -କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଂଚାୟତ ନାହିଆଡ଼ିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବନ୍ୟା ପାଣିର ପ୍ରବଳ ସ୍ରୋତରେ ଭାସିଯାଇ ଗ୍ରାମର ଜଣେ ୩୫ ବର୍ଷୀୟ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ନିଖୋଜ ଯୁବକଜଣକ ହେଉଛନ୍ତି ଅନିରୁଦ୍ଧ ବିଶ୍ୱାଳଙ୍କ ପୁଅ ଅନିର୍ବାଣ ବିଶ୍ୱାଳ ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଅନିର୍ବାଣ କୌଣସି କାମ ସାରି ବନ୍ୟା ପାଣି ମଧ୍ୟ ଦେଇ ନିଜ ଘରକୁ ଫେରୁଥିଲେ। ମାତ୍ର ବନ୍ୟା ଜଳର ପ୍ରବଳ ବେଗ ଯୋଗୁଁ ସେ ଅସାବଧାନତାବଶତଃ ପାଣିର ସ୍ରୋତରେ ଭାସିଯାଇଥିବା ସନ୍ଦେହ କରାଯାଉଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ଲୋକଙ୍କ ମଧ୍ୟରେ ବ୍ୟାକୁଳତା ପ୍ରକାଶ ପାଇଥିଲା। ପରିବାର ଲୋକେ ଓ ସ୍ଥାନୀୟ ଗ୍ରାମବାସୀ ବହୁ ସମୟ ଧରି ଆଖପାଖ ଅଂଚଳ ଓ ନିକଟସ୍ଥ ଜଳରାଶି ମଧ୍ୟରେ ଖୋଜାଖୋଜି କରିଥିଲେ ସୁଦ୍ଧା ଅନିର୍ବାଣଙ୍କର କୌଣସି ସନ୍ଧାନ ପାଇନଥିଲେ।ଘଟଣା ସମ୍ପର୍କରେ ଖବର ପାଇ ଆଜି ସକାଳେ ୯ ଟାରେ ଚଉଦକୁଲା ଫାଣ୍ଡି ଅଧିକାରୀ ନୃସିଂହ ଚରଣ ମହାନ୍ତି ତୁରନ୍ତ ନାହିଆଡ଼ିଆ ଗ୍ରାମର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପରିସ୍ଥିତିର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ସେ ଆଶୁ ପଦକ୍ଷେପ ସ୍ୱରୂପ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍କୁ ତୁରନ୍ତ ଆଲର୍ଟ କରିଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି। ବୋଟ୍ ଓ ବୁଡ଼ାଳି ଦଳ ସାହାଯ୍ୟରେ ବନ୍ୟା ପ୍ରଭାବିତ ଜଳରାଶିରେ ଛାନ୍ବିନ୍ କରାଯାଉଛି।ଏହି ଦୁର୍ଘଟଣା ପରେ ନାହିଆଡ଼ିଆ ଗ୍ରାମ ଓ ଆଖପାଖ ପଞ୍ଚାୟତରେ ଗଭୀର ଶୋକ ଓ ଆଶଙ୍କାର ଛାୟା ଖେଳିଯାଇଛି। ଅନିର୍ବାଣଙ୍କ ପରିବାର ଲୋକେ ବର୍ତ୍ତମାନ ଭାଙ୍ଗିପଡ଼ିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ନିଖୋଜ ଯୁବକଙ୍କର କୌଣସି ପତ୍ତା ମିଳିନଥିବା ବେଳେ ଉଦ୍ଧାର କାର୍ଯ୍ୟାବଳୀ ଜୋରଦାର ଚାଲିଛି।
