ବନ୍ୟା ପାଣିରେ ଭାସିଯାଇ ଯୁବକ ନିଖୋଜ; ଉଦ୍ଧାର କାର୍ଯ୍ୟ ଜାରି

ପଟ୍ଟାମୁଣ୍ଡାଇ ୨୦/୭ -କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଂଚାୟତ ନାହିଆଡ଼ିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବନ୍ୟା ପାଣିର ପ୍ରବଳ ସ୍ରୋତରେ ଭାସିଯାଇ ଗ୍ରାମର ଜଣେ ୩୫ ବର୍ଷୀୟ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ନିଖୋଜ ଯୁବକଜଣକ ହେଉଛନ୍ତି ଅନିରୁଦ୍ଧ ବିଶ୍ୱାଳଙ୍କ ପୁଅ ଅନିର୍ବାଣ ବିଶ୍ୱାଳ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଅନିର୍ବାଣ କୌଣସି କାମ ସାରି ବନ୍ୟା ପାଣି ମଧ୍ୟ ଦେଇ ନିଜ ଘରକୁ ଫେରୁଥିଲେ। ମାତ୍ର ବନ୍ୟା ଜଳର ପ୍ରବଳ ବେଗ ଯୋଗୁଁ ସେ ଅସାବଧାନତାବଶତଃ ପାଣିର ସ୍ରୋତରେ ଭାସିଯାଇଥିବା ସନ୍ଦେହ କରାଯାଉଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ଲୋକଙ୍କ ମଧ୍ୟରେ ବ୍ୟାକୁଳତା ପ୍ରକାଶ ପାଇଥିଲା। ପରିବାର ଲୋକେ ଓ ସ୍ଥାନୀୟ ଗ୍ରାମବାସୀ ବହୁ ସମୟ ଧରି ଆଖପାଖ ଅଂଚଳ ଓ ନିକଟସ୍ଥ ଜଳରାଶି ମଧ୍ୟରେ ଖୋଜାଖୋଜି କରିଥିଲେ ସୁଦ୍ଧା ଅନିର୍ବାଣଙ୍କର କୌଣସି ସନ୍ଧାନ ପାଇନଥିଲେ।ଘଟଣା ସମ୍ପର୍କରେ ଖବର ପାଇ ଆଜି ସକାଳେ ୯ ଟାରେ ଚଉଦକୁଲା ଫାଣ୍ଡି ଅଧିକାରୀ ନୃସିଂହ ଚରଣ ମହାନ୍ତି ତୁରନ୍ତ ନାହିଆଡ଼ିଆ ଗ୍ରାମର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପରିସ୍ଥିତିର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ସେ ଆଶୁ ପଦକ୍ଷେପ ସ୍ୱରୂପ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍‌କୁ ତୁରନ୍ତ ଆଲର୍ଟ କରିଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି। ବୋଟ୍ ଓ ବୁଡ଼ାଳି ଦଳ ସାହାଯ୍ୟରେ ବନ୍ୟା ପ୍ରଭାବିତ ଜଳରାଶିରେ ଛାନ୍‌ବିନ୍ କରାଯାଉଛି।ଏହି ଦୁର୍ଘଟଣା ପରେ ନାହିଆଡ଼ିଆ ଗ୍ରାମ ଓ ଆଖପାଖ ପଞ୍ଚାୟତରେ ଗଭୀର ଶୋକ ଓ ଆଶଙ୍କାର ଛାୟା ଖେଳିଯାଇଛି। ଅନିର୍ବାଣଙ୍କ ପରିବାର ଲୋକେ ବର୍ତ୍ତମାନ ଭାଙ୍ଗିପଡ଼ିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ନିଖୋଜ ଯୁବକଙ୍କର କୌଣସି ପତ୍ତା ମିଳିନଥିବା ବେଳେ ଉଦ୍ଧାର କାର୍ଯ୍ୟାବଳୀ ଜୋରଦାର ଚାଲିଛି।

Next Post

ବରିଷ୍ଠ ନାଗରିକ ମଞ୍ଚର ତ୍ରିରଙ୍ଗା ଶୋଭାଯାତ୍ରା

Thu Aug 20 , 2026
କେନ୍ଦ୍ରାପଡ଼ା,୨୦ା୮:ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ହରଘର ତ୍ରିରଙ୍ଗା ଓ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୈାରାଞ୍ଚଳ ଅନ୍ତର୍ଗତ ଖଡିଅଙ୍ଗ କାର୍ଯ୍ୟାଳୟରେ ଶତାଧିକ ସଦସ୍ୟ ଓ ସଦସ୍ୟାମାନଙ୍କ ଉପସ୍ଥିତିରେ ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କାର୍ଯ୍ୟକାରୀ ସଭାପତି ଫକୀର ଚରଣ ଖଟୁଆ, ଉପସଭାପତି ସୟଦ ଅକମଲ ଅଲ୍ଲୀ ଓ ପ୍ରହଲ୍ଲାଦ ମଲ୍ଲ, ସାଧାରଣ ସମ୍ପାଦକ ନରୋତ୍ତମ ଜେନା, ଯୁଗ୍ମସମ୍ପାଦକ ଅକ୍ଷୟ କୁମାର […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading