
କେନ୍ଦ୍ରାପଡା,୨୫/୩:- ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୁଲ୍ୟରେ ଆଜି ଅପରାହ୍ଣ ୪ ଘଟିକା ସମୟରେ ପୁରୁଣା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଗର୍ଭଧାରଣ ପୂର୍ବ ଓ ପ୍ରସବ ପୂର୍ବ ନିଦାନ ପ୍ରୟୋଗ ପ୍ରଯୁକ୍ତି ଅଧିନିୟମ ସମ୍ପର୍କରେ ଜିଲ୍ଲାସ୍ତରୀୟ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଝିଅ ଓ ପୁଅ ମଧ୍ୟରେ ଥିବା ଭିନ୍ନତାର ମାନସିକତାକୁ ହ୍ରାସ କରି ଏକ ସମତାମୂଳକ ସମାଜ ଗଠନ ଲକ୍ଷ୍ୟ ନେଇ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଅଙ୍ଗନବାଡି କର୍ମୀମାନେ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରମୋଦ କୁମାର ପ୍ରହରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା ସଚ୍ଚିଦାନନ୍ଦ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜଯ କେତନ ସାହୁ, ଡିପିସି (ମମତା) ମନୋରଂଜନ ଦାସ, ପ୍ରକଳ୍ପ ଅଧିକାରୀ ଭାରତୀ ବେହେରା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ପ୍ରମୁଖ ଯୋଗ ଦେଇଥିବା ବେଳେ ଦୀନବନ୍ଧୁ ଆଇନ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡଃ ଚିରଞ୍ଜିବୀ ପଣ୍ଡା ରିସୋର୍ସ ପର୍ସନ ଭାବେ ଯୋଗ ଦେଇଥିଲେ । ଭ୍ରୁଣ ନିରୂପଣ କରିବା ଆଇନତଃ ନିଷେଧ କରାଯାଇଥିବା ବେଳେ ଏହାକୁ କୌଣସି ବ୍ୟକ୍ତି ଅମାନ୍ୟ କଲେ ଜୋରିମାନା ଓ କରାଦଣ୍ଡର ବ୍ୟବସ୍ଥା ରହିଛି ବୋଲି ଡଃ ପଣ୍ଡା ମତ ପ୍ରକାଶ କରିଥିଲେ । ଅନ୍ଧବିଶ୍ୱାସ ଯୋଗୁଁ ଆମ ସମାଜରେ ପୁଅମାନଙ୍କ ତୁଳନାରେ ଝିଅମାନଙ୍କୁ ଗୁରୁତ୍ୱ ଦିଅଯାଉନାହିଁ, ଫଳରେ ଭ୍ରୁଣ ହତ୍ୟା ଯୋଗୁଁ ଝିଅମାନଙ୍କର ସଂଖ୍ୟା ହ୍ରାସ ପାଉଛି ଓ ଝିଅ । ପୁଅ ମଧ୍ୟରେ ଲିଙ୍ଗଗତ ପାର୍ଥକ୍ୟ ଥିଲେ ମଧ୍ୟ ଝିଅ ପୁଅ ଠାରୁ କୌଣସି ଗୁଣରେ କମ ନୁହେଁ ତେଣୁ ଝିଅଙ୍କୁ ପାଠ ପଢାଇ ସୁନାଗରିକ କରି ଗଢି ତୋଳିଲେ ସମାଜର ଉନ୍ନତି ସମ୍ଭବ ହେବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଉକ୍ତ କର୍ମଶାଳାରେ ୯ ଟି ବ୍ଲକର ସିଡିପିଓ, ସୁପରଭାଇଜର, ଅଙ୍ଗନବାଡି କର୍ମୀ, ୱାନ୍ ଷ୍ଟପ ସେଣ୍ଟରର କର୍ମକର୍ତ୍ତା ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।
