
କେନ୍ଦ୍ରାପଡ଼ା,୨୩ା୧୦: ଦେଶବ୍ୟାପୀ ଆହୁତ ପ୍ରତିବାଦ କାର୍ଯ୍ୟକ୍ରମର ପରିପ୍ରେକ୍ଷୀରେ ଶୁକ୍ରବାର କେନ୍ଦ୍ରାପଡା ଜିଲାପାଳଙ୍କ ଦପ୍ତର ସମ୍ମୁଖରେ ‘ପିପୁଲ ଏଗେନେଷ୍ଟ ଏସଆଇଆର’ (ଏସଆଇଆର ବିରୁଦ୍ଧରେ ଜନଗଣ), କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ଏକ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ସମ୍ବିଧାନ ପ୍ରଦତ୍ତ ଭୋଟ୍ ଅଧିକାର ଏବଂ ନିର୍ବାଚନ ଆୟୋଗର ନିରପେକ୍ଷତା ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିବାଦ ସଭାରେ ବିଭିନ୍ନ ସଚେତନ ନାଗରିକ, ବୁଦ୍ଧିଜୀବୀ ଏବଂ ଆନ୍ଦୋଳନକାରୀମାନେ ଯୋଗଦେଇ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କ ବିରୋଧରେ କ୍ଷୋଭ ପ୍ରକାଶ କରିଥିଲେ। ସେମାନଙ୍କର ଦାବି ଥିଲା ଦେଶରେ ନିର୍ବାଚନୀ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାରୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ତୁରନ୍ତ ଇସ୍ତଫା ଦିଅନ୍ତୁ। ସମସ୍ତ ଅବୈଧ ଏସଆଇଆର ପ୍ରକ୍ରିୟାକୁ ତୁରନ୍ତ ବାତିଲ କରାଯାଉ ଏବଂ ବିଭିନ୍ନ କାରଣରୁ କଟିଥିବା ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ତୁରନ୍ତ ଭୋଟର ତାଲିକାରେ ପୁନଃଯୋଡ଼ କରାଯାଉ। ପୂର୍ବଭଳି ନିୟମିତ ବ୍ୟବଧାନରେ ଭୋଟର ତାଲିକା ସଂଶୋଧନ କରାଯାଉ, ଯାହାଫଳରେ କୌଣସି ଯୋଗ୍ୟ ନାଗରିକ ଭୋଟ୍ ଅଧିକାରରୁ ବଞ୍ଚିତ ହେବେ ନାହିଁ। ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ସମ୍ପର୍କିତ ସମ୍ପ୍ରତି ପ୍ରଣୀତ ଆଇନକୁ ବାତିଲ କରାଯାଉ। ନିର୍ବାଚନ ଆୟୋଗର ସ୍ୱାଧୀନତା ଏବଂ ସ୍ୱାୟତ୍ତତାକୁ ସମ୍ପୂର୍ଣ୍ଣ ରୂପେ ସୁନିଶ୍ଚିତ କରାଯାଉ, ଯାହାଫଳରେ ଏହା ବିନା କୌଣସି ବାହ୍ୟ ଚାପରେ ନିରପେକ୍ଷ ଭାବେ କାର୍ଯ୍ୟ କରିପାରିବ। ଦେଶର ନିର୍ବାଚନୀ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବ୍ୟାପକ ନିର୍ବାଚନ ସଂସ୍କାର ଅଣାଯାଉ। ନିର୍ବାଚନରେ ସଠିକ୍ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ପାଇଁ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ପ୍ରଚଳନ କରାଯାଉ। ନିର୍ବାଚନରେ ଅର୍ଥବଳ ଏବଂ ବାହୁବଳର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ। ନିର୍ବାଚନ ପାଇଁ ସରକାରୀ ପାଣ୍ଠିରୁ ଆର୍ôଥକ ସହାୟତା ପ୍ରଦାନ ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଉ, ଯାହାଦ୍ୱାରା ସାଧାରଣ ପ୍ରାର୍ଥୀମାନେ ମଧ୍ୟ ମୁକ୍ତ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ବୋଲି ଦାବି ରାଖିବା ସହିତ ବିକ୍ଷୋଭ ଶେଷରେ ଆନ୍ଦୋଳନକାରୀମାନେ “ଗଣତନ୍ତ୍ର ବଞ୍ଚାଅ- ଭୋଟ ଅଧିକାର ବଞ୍ଚାଅ’ ଏବଂ “ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା କର’ ଆଦି ସ୍ଲୋଗାନ୍ ଦେଇ କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ବିକ୍ଷୋଭ କରାଯାଇଛି। ବିକ୍ଷୋଭ ପ୍ରାରମ୍ଭରେ କେନ୍ଦ୍ରାପଡା ପୁରୁଣା ବସଷ୍ଟାଣ୍ଡ ନିକଟରୁ ଏକ ବିରାଟ ପଟୁଆର ତ୍ରିରଙ୍ଗା ଧରି ସଭା ସ୍ଥଳରେ ପହଁଚିଲା ପରେ ବୁଦ୍ଧିଜୀବୀ ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମନ୍ୱୟ(ପ୍ଲାଟଫର୍ମ) ସମିତିର ଆବାହକ ସାମାଜିକ କର୍ମୀ ଆଦିକନ୍ଦ ରାଉଳ ସମ୍ୟକ ସୂଚନା ଦେଇଥିଲେ। ପରେ ବକ୍ତବ୍ୟ ରଖିଥିଲେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ସିପିଆଇ(ଏମ)ଜିଲ୍ଲା ସମ୍ପାଦକ ଗୟାଧର ଧଳ, କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଦାସ, ଶ୍ରମିକ ନେତା ଜଗତଜୀବନ ଦାଶ,ଫକୀର ଖଟୁଆ, ସିପିଆଇ ନେତା ବାବାଜୀ ଧଳ, ସିପିଆଇ(ଏମଏଲ) ନେତା ପ୍ରକାଶ ଚନ୍ଦ୍ର ମଲିକ, ନବନିର୍ମାଣ କୃଷକ ସଙ୍ଗଠନ ଜିଲ୍ଲା ସଂଯୋଜକ ଦାସରଥୀ ସାହୁ, ସାମାଜିକ କର୍ମୀ ରଣାଧୀର ଜେନା, ପ୍ରଦୀପ କୁମାର ମହାନ୍ତି, କର୍ମଚାରୀ ନେତା ନରୋତ୍ତମ ପାର୍ଥସାରଥୀ,ବୈଷ୍ଣବ ସ୍ୱାଇଁ, ଗାନ୍ଧିବାଦୀ ଅଭିମନ୍ୟୁ ରାଉତ,ନାରିନେତ୍ରୀ ସୁହାନା ବେଗମ, ଛାତ୍ରନେତା ଆହ୍ୱାନ ରାଉତରାୟ,ତନ୍ମୟ ରାଉତ,ରତ୍ନଞ୍ଜୟ ମଲ୍ଲିକ, ସୋମନାଥ ବିଶ୍ୱାଳ, ମାନଭଞ୍ଜନ ପଣ୍ଡା, ଅଶୋକ ନାଥ, ଅଶୋକ ଦାସ, ବସନ୍ତ ମଲ୍ଲିକ, ଅମୀୟ ନାୟକ, କଂଗ୍ରେସ ଜିଲ୍ଲା ସମ୍ପାଦକ ସନ୍ତୋଷ ବେହେରା, ଭାଗିରଥି ଜେନା, ଅଶ୍ୱିନୀ ପାତ୍ର,ମୁକ୍ତାର ଖାଁ, ହରିଶ ପଟ୍ଟନାୟକ ପ୍ରମୁଖ। କୃଷକ ନେତା ହୃଷିକେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଏହିପରି ଓଡ଼ିଶାର ଅନେକ ଜିଲା ଏବଂ ସଦର ମହକୁମାରେ ପିପୁଲ ଏଗେନେଷ୍ଟ ଏସଆଇଆର(ଏସଆଇଆର ବିରୁଦ୍ଧରେ ଜନଗଣ) ପକ୍ଷରୁ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ରାଜ୍ୟର ବିଭିନ୍ନ ଜିଲାପାଳ ଓ ଉପଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଶତାଧିକ ଆନ୍ଦୋଳନକାରୀ, ସଚେତନ ନାଗରିକ ଓ ବୁଦ୍ଧିଜୀବୀ ଏକାଠି ହୋଇ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କ ବିରୋଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀମାନେ ଗଣତନ୍ତ୍ର ବଞ୍ଚାଅ ଭୋଟ ଅଧିକାର ବଞ୍ଚାଅ ଏବଂ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା କର ଭଳି ସ୍ଲୋଗାନ ଦେଇଛନ୍ତି। ଯଦି ସରକାର ଏହି ଦାବିଗୁଡ଼ିକ ଉପରେ ତୁରନ୍ତ ପଦକ୍ଷେପ ନନିଅନ୍ତି, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ତୀବ୍ର କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
