ମିଞ୍ଜାଉଣୀରେ ଭାଜପା କର୍ମୀଙ୍କ ହୋ ହାଲ୍ଲା
ଓଡ଼ିଶାର ସ୍ୱାର୍ଥ ବେଳେ ନୀରବ, ବିକାଶ କାର୍ଯ୍ୟରେ ହୋ-ହାଲ୍ଲା ହାସ୍ୟାସ୍ପଦ

ପଟ୍ଟାମୁଣ୍ଡାଇ ୧୦ା୯ – ଗ୍ରାମାଂଚଳରେ କ୍ରୀଡ଼ାର ବିକାଶ ଏବଂ ଉଚ୍ଚକୋଟୀର କ୍ରୀଡ଼ାବିତ୍ ସୃଷ୍ଟି କରିବା ଲକ୍ଷ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ବଡ଼ପଡ଼ା ପଂଚାୟତର ମିଞ୍ଜାଉଣୀଠାରେ ୧୩ କୋଟି ଟଙ୍କାର ବ୍ୟୟ ଅଟକଳରେ ଏକ ଆଧୁନିକ ଇନ୍ଡୋର୍ ଷ୍ଟାଡିୟମର ଗୁରୁବାର ଶିଳାନ୍ୟାସ ଉତ୍ସବ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଉଭୟ ସାଂସଦ ଓ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଫଳକରେ ଉଭୟଙ୍କ ନାଁ ଥିଲା । ଏନେଇ ଗୁରୁବାର ପୂର୍ବାହ୍ନରେ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ ସହଯୋଗୀ, ବ୍ଲକ୍ ଅଧ୍ୟକ୍ଷ, ବିଜେଡି ନେତା, କର୍ମୀ ଏବଂ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହ ଶୀଲାନ୍ୟାସ ସ୍ଥଳରେ ଯୋଗଦେଇଥିଲେ। ମାତ୍ର କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଯୋଗଦେବାର କାର୍ଯ୍ୟକ୍ରମ ଥବା ବେଳେ ସେ ଅନୁପସ୍ଥିତ ରହିବାରୁ ସ୍ଥାନୀୟ ଭାଜପା କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ବିଧାୟକ ଓ ତାଙ୍କ ସମର୍ଥକମାନେ ଶିଳାନ୍ୟାସ ସ୍ଥଳକୁ ଯାଉଥିବା ସମୟରେ ଭାଜପା କର୍ମୀମାନେ ନାରାବାଜି କରି ହୋହାଲ୍ଲା କରିଥିଲେ। ପରିସ୍ଥିତି ଜଟିଳ ହେବା ଦେଖି ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଆଇଆଇସି ପ୍ରଦିପ କୁମାର କାନୁନ୍ଗୋ ପୋଲିସ ଫୌଜ ସହ ଉପସ୍ଥିତ ରହି ସ୍ଥିତି ନିୟନ୍ତ୍ରଣ କରିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲେ। ପୋଲିସର ତତ୍କାଳ ହସ୍ତକ୍ଷେପ ଯୋଗୁଁ କୌଣସି ଅପ୍ରୀତିକର ପରିସ୍ଥିତି ଘଟିନଥିଲା ଏବଂ ଶିଳାନ୍ୟାସ ପର୍ବ ସମ୍ପନ୍ନ ହୋଇଥିଲା। ଗ୍ରାମୀଣ ଅଂଚଳରେ ଏହିଭଳି ଏକ ବଡ଼ କ୍ରୀଡ଼ା ପ୍ରକଳ୍ପ ସ୍ଥାନୀୟ ଯୁବକ୍ରୀଡ଼ାବିତ୍ଙ୍କ ପାଇଁ ନୂଆ ସୁଯୋଗ ଆଣିଦେବ ବୋଲି ଆଶା କରାଯାଉଥିବା ବେଳେ, ଶିଳାନ୍ୟାସ ବେଳର ଏହି ରାଜନୈତିକ କାଦୁଅଫିଙ୍ଗା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ବିକାଶମୂଳକ କାର୍ଯ୍ୟକୁ ନେଇ ରାଜନୀତି ଅଭିପ୍ରେତ ନୁହେଁ” – ୧୭ ଜୋନ ଜିଲାପରିଷଦ ରଞ୍ଜନ ବିଶ୍ୱାଳ

ଗ୍ରାମାଂଚଳରେ ୧୩ କୋଟି ଟଙ୍କା ବ୍ୟୟରେ ଇନ୍ଡୋର୍ ଷ୍ଟାଡିୟମ୍ ନିର୍ମାଣ ହେବା ଆମ କ୍ରୀଡ଼ାବିତ୍ଙ୍କ ଭବିଷ୍ୟତ ପାଇଁ ଏକ ବଡ଼ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ୍। ତେବେ ଏହି ଶିଳାନ୍ୟାସ ଉତ୍ସବରେ ଭାଜପା କାର୍ମୀଙ୍କ ହୋହାଲ୍ଲା ଓ ରାଜନୈତିକ କାଦୁଅଫିଙ୍ଗା ଅତ୍ୟନ୍ତ ନିନ୍ଦନୀୟ। ବିକାଶ ପ୍ରକଳ୍ପ ସମଗ୍ର ଅଂଚଳ ଓ ସାଧାରଣ ଜନତାଙ୍କ ସମ୍ପତିି। ଏହା କୌଣସି ଗୋଟିଏ ଦଳ କିମ୍ବା ବ୍ୟକ୍ତିବିଶେଷଙ୍କର ନୁହେଁ। ଦଳମତ ନିର୍ବିଶେଷରେ ସମସ୍ତ ଲୋକପ୍ରତିନିଧି ଏବଂ ଦଳୀୟ କର୍ମୀ କେବଳ ଅଂଚଳର ଉନ୍ନତିକୁ ପ୍ରାଥମିକତା ଦେବା ଉଚିତ୍। ଶ୍ରେୟ ନେବାକୁ ନେଇ ଗଣ୍ଡଗୋଳ କରିବା ଦ୍ୱାରା ପ୍ରକଳ୍ପର ପ୍ରକୃତ ଉଦ୍ଦେଶ୍ୟ ବାଧାପ୍ରାପ୍ତ ହୁଏ।
ଓଡ଼ିଶାର ସ୍ୱାର୍ଥ ବେଳେ ନୀରବ, ବିକାଶ କାର୍ଯ୍ୟରେ ହୋ-ହାଲ୍ଲା ହାସ୍ୟାସ୍ପଦ- ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ

ଓଡ଼ିଶାର ହଜାର ହଜାର କୋଟି ଟଙ୍କାର ଖଣି ବକେୟା ଓ ରାଜସ୍ୱ କେନ୍ଦ୍ର ସରକାର ହଡ଼ପ କରିବା ବେଳେ ସ୍ଥାନୀୟ ବିଜେପି ନେତା ଓ କର୍ମୀଙ୍କ ମୁହଁରେ ତାଲା ପଡ଼ିଯାଏ। ରାଜ୍ୟର ସ୍ୱାର୍ଥ ଓ ହକ୍ ପାଇଁ ସ୍ୱର ଉତ୍ତୋଳନ କରିବା ପରିବର୍ତ୍ତେ ନୀରବଦ୍ରଷ୍ଟା ସାଜିବା ଏହି ନେତାଙ୍କ ଦ୍ୱିମୁଖୀ ନୀତିକୁ ପଦାରେ ପକାଉଛି।ମାତ୍ର ଅପରପକ୍ଷରେ, ନିଜ ମାଟିରେ ୧୩ କୋଟି ଟଙ୍କାର ଇନ୍ଡୋର୍ ଷ୍ଟାଡିୟମ୍ ଭଳି ଏକ ଜନହିତକର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ବେଳେ ଗଣ୍ଡଗୋଳ ଓ ହୋ-ହାଲ୍ଲା କରିବା ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ନିନ୍ଦନୀୟ।
ନିୟମକୁ ଅମାନ୍ୟ ଓ ହୀନ ରାଜନୀତି ଅସହଣୀୟ- କଳାକାର ପ୍ରଧାନ

ପଟ୍ଟାମୁଣ୍ଡାଇ ଇନ୍ଡୋର୍ ଷ୍ଟାଡିୟମ୍ ଶିଳାନ୍ୟାସ ଉତ୍ସବରେ ସ୍ମାରକୀ ଫଳକରେ ଉଭୟ ସାଂସଦ ଓ ବିଧାୟକଙ୍କ ନାମ ଉଲ୍ଲେଖ ଥିଲା। ସରକାରୀ ଶିଷ୍ଟାଚାର ଓ ନିୟମାନୁସାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମାତ୍ର ସାଂସଦ ନିଜେ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବା ପରେ, ସେହି ଅପାରଗତା ଓ ନିଜ ଦୋଷକୁ ଲୁଚାଇବା ପାଇଁ ବିଜେପି କର୍ମୀମାନେ ହୋ-ହାଲ୍ଲା କରିବା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଦଳୀୟ ଅସହିଷ୍ଣୁତା ହିଁ ପଦାରେ ପଡ଼ୁଛି। । ସରକାରୀ ନିୟମାନୁସାରେ ସ୍ଥାନୀୟ ବିଧାୟକ ଶିଳାନ୍ୟାସ କରିବା ସମ୍ମତ।
ବିକାଶ କାର୍ଯ୍ୟରେ ରାଜନୈତିକ ବାଧା ପ୍ରଗତି ବ୍ୟାହତ-ବୁଦ୍ଧିଜିବୀ ରଣଧିର ଜେନା

ବିଧାୟକ ସରକାରୀ ନିୟମ ପାଳନ କରି କାର୍ଯ୍ୟକ୍ରମ କରୁଥିବା ବେଳେ ଏହାକୁ ନିଜକୁ ଭାଜପା କର୍ମୀ କହି ବିରୋଧ କରିବା ଏବଂ ଗଣ୍ଡଗୋଳ ସୃଷ୍ଟି କରିବା ଅନୁଚିତ୍। ବିକାଶ କାର୍ଯ୍ୟରେ ରାଜନୈତିକ ବାଧା ସୃଷ୍ଟି କରିବା ଦ୍ୱାରା ଅଂଚଳର ପ୍ରଗତି ବ୍ୟାହତ ହୁଏ। ସବୁ ଦଳ ସରକାରୀ ନିୟମକୁ ସମ୍ମାନ ଦେଇ ବିକାଶରେ ସହଯୋଗ କରିବା ଆବଶ୍ୟକ।
