ଗୋଷ୍ଠୀ ଶୌଚାଳୟ ବିବାଦ: ୯ମ ଦିନରେ ଅନଶନ, ଉଚ୍ଚସ୍ତରୀୟ ତଦନ୍ତ ପରେ ବି ଫିଟିଲାନି ସମାଧାନର ବାଟ

ଅନଶନକାରୀଙ୍କ ଜିଦ୍‌କୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ

blank
ପଟ୍ଟାମୁଣ୍ଡାଇ୧୪/୮- ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ମାଳିପୁର ଗ୍ରାମର ଶନିମନ୍ଦିର ନିକଟସ୍ଥ ରାସ୍ତା କିସମ ଜମିରେ ଗୋଷ୍ଠୀ ଶୌଚାଳୟ ନିର୍ମାଣକୁ ନେଇ ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାକୁ ବିରୋଧ କରି ଗ୍ରାମର ପ୍ରଶାନ୍ତ ମହାନ୍ତି ଓ ରମାକାନ୍ତ ଦାଶ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚଳାଇଥିବା ଆମରଣ ଅନଶନ ଶୁକ୍ରବାର ୯ମ ଦିନରେ ପହିଁିଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ପ୍ରକଳ୍ପ ନିର୍ଦ୍ଦେଶକ ଅଜାମ୍ବର ମହାନ୍ତି ଓ ଅତିରିକ୍ତ ଜିଲାପାଳ (ରାଜସ୍ୱ) ରବୀନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଘଟଣାସ୍ଥଳ ଅନୁଧ୍ୟାନ କରିଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଓ ଦାବି ଶୁଣିବା ପରେ, ତହସିଲଦାର ଓ ବିଡିଓଙ୍କ ଉପସ୍ଥିତିରେ ଅନଶନକାରୀଙ୍କ ସହ ପୁନର୍ବାର ଆଲୋଚନା କରାଯାଇଥିଲା। ମାତ୍ର ଶୌଚାଳୟ ନିର୍ମାଣ ସ୍ଥାନ ପରିବର୍ତନ ଦାବିରେ ଅନଶନକାରୀ ଅଟଳ ରହିବାରୁ ଆଲୋଚନା ନିଷ୍କର୍ଷବିହୀନ ହୋଇଛି। ଅନଶନକାରୀ ପ୍ରଶାସନର ସମସ୍ତ କଥାକୁ ଅଣଦେଖା କରି ଅନଶନ ଜାରି ରଖିବାକୁ ନେଇ ବୃଦ୍ଧିଜୀବୀ ମହଲରେ ଚିନ୍ତା ଓ ପ୍ରତିକ୍ରିୟା ପ୍ରକାଶ ପାଇଛି।

 

blank
ପ୍ରକାଶ ଯେ ମାଳିପୁର ଶନି ମନ୍ଦିର ନିକଟ ସରକାରୀ ରାସ୍ତା କିସମ ଉପରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଉଥିବା ଅଭିଯୋଗ ଓ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବୀ କରି ପଟ୍ଟାମୁଣ୍ଡାଇ ତହସିଲ ସମ୍ମୁଖରେ ଗତ ୫ ତାରିଖ ଠାରୁ ଗ୍ରାମର ପ୍ରଶାନ୍ତ ଓ ରମାକାନ୍ତ ଅନଶନ ଆରମ୍ଭ ହୋଇଥିଲା । ଅନଶନ ପ୍ରାରମ୍ଭରୁ ତହସିଲଦାର ଅନଶନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ବ୍ଲକ ପକ୍ଷରୁ ହେଉଥିବାରୁ ସମାଧାନ ହୋଇପାରି ନଥିଲା। ଅନଶନର ୨ୟ ଦିନରେ ଗ୍ରାମବାସୀ ଅନଶନକାରୀଙ୍କ ବିରୋଧରେ ତହସିଲଦାରଙ୍କୁ ଦାବିପତ୍ର ଦେଇ ବିକ୍ଷୋଭ କରିଥିଲେ। ୩ୟ ଦିନରେ ତହସିଲଦାର ପଂଚାନନ ନାୟକ, ବିଡ଼ିଓ ଶୀତଲ ଅଗ୍ରୱାଲ, ଅତିରିକ୍ତ ତହସିଲଦାର ସାଗରୀକା ସେଠୀ ଓ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ଅନଶନକାରୀଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ। ମାତ୍ର ଅନଶନକାରୀ ଦ୍ୱୟ ମୂଳ ଦାବିରୁ ଓହରି ରାସ୍ତା ଆଲୋକିକରଣ ପ୍ରସଙ୍ଗ ଉଠାଇ ପ୍ରଶାସନକୁ ଭ୍ରମିତ କରିଥିବା ଅଭିଯୋଗ ହୋଇଥିଲା। ଅନଶନର ୭ମ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟାର ତହସିଲ ସ୍ତରୀୟ ରାଜସ୍ୱ ଜନଶୁଣାଣୀ ଶିବିରରେ ଯୋଗ ଦେବା ଅବସରରେ ଅନଶନକାରୀଙ୍କୁ ଡକାଇ ଆଲୋଚନା କରିଥିଲେ। ଏକ ବରିଷ୍ଠ ଅଧିକାରୀଙ୍କ  ଜରିଆରେ ତଦନ୍ତ କରାଯାଇ ରିପୋର୍ଟ ଆଧାରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅନଶନକାରୀ ନିଜ ଜିଦ୍‌ରେ ଅଟଳ ରହିଥିଲେ।  ଜିଲପାଳଙ୍କ ପ୍ରତିଶ୍ରୁତି ଓ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଜିଲା ସ୍ତରୀୟ ବରିଷ୍ଠ ଅଧିକାରୀଙ୍କ  ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗୋଷ୍ଠୀ ଶୌଚାଳୟ ନିର୍ମାଣ ସ୍ଥଳ ପରିଦର୍ଶନ କରି ସବୁ ଦିଗରୁ ଅନୁଧ୍ୟାନ କରି ଫେରିବା ପରେ ତହସିଲଦାର ଅଫିସରେ ଅନଶନକାରୀଙ୍କ ସହିତ ବିଡ଼ିଓ  ଓ ତହସିଲଦାରଙ୍କ ଉପସ୍ଥିତିରେ ଆଲୋଚନା କରି ସରକାରୀ ନୀତି ନିୟମ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରିଥିଲେ ମଧ୍ୟ ଅନଶନକାରୀ ନିଜ ଦାବୀ ଉପରେ ଅଟଳ ରହିବାରୁ କିଛି ସମାଧାନ ବାଟ ଫିଟି ପାରିନାହିଁ ।ପ୍ରଶାସନିକ ଉଦ୍ୟମ ସତ୍ୱେ ବିବାଦର ସମାଧାନ ହୋଇପାରି ନଥିବାରୁ ସ୍ଥାନୀୟ ଅଂଚଳରେ ଆଲୋଚନାର ବିଷୟ ପାଲଟିଛି ।

ସ୍ଥାନୀୟ ବୁଦ୍ଧୀଜୀବୀଙ୍କ କହିବା ଅନୁଯାଇ ଗୋଟିଏ ପଟେ ଜିଲା ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀ ବାରମ୍ବାର ଆଲୋଚନା କରି ତଦନ୍ତର ପ୍ରତିଶ୍ରୁତି ଦେଉଥିବା ବେଳେ, ଅନ୍ୟପଟେ ଅନଶନକାରୀମାନେ ନିଜ ଜିଦ୍‌ରେ ଅଟଳ ରହିବା ପ୍ରଶାସନିକ ବ୍ୟବସ୍ଥା ପ୍ରତି ଏକ ଆହ୍ୱାନ ସୃଷ୍ଟି କରିଛି। ସାଧାରଣ ଜନହିତ ଗୋଷ୍ଠୀ ଶୌଚାଳୟ ଏବଂ ରାସ୍ତା କିସମ ଜମିର ସୁରକ୍ଷା ଉଭୟ ବିଷୟ ଗୁରୁତ୍ୱପୂର୍ଣ୍ଣ। ତେଣୁ ନମନୀୟ ମନୋଭାବ ଗ୍ରହଣ କରି ସ୍ଥାନ ପରିବର୍ତନ କିମ୍ବା ଅନ୍ୟ କୌଣସି ବିକଳ୍ପ ସମାଧାନର ବାଟ ବାହାର କରିବା ଆବଶ୍ୟକ । ଗୋଟିଏ ପଟେ ଶୌଚାଳୟ ନିର୍ମାଣକୁ ସମର୍ଥନ କରି ଗ୍ରାମବାସୀମାନେ ତହସିଲଦାରଙ୍କୁ ଦାବିପତ୍ର ଦେଇ ବିକ୍ଷୋଭ କରିସାରିଥିବା ବେଳେ ଅନ୍ୟକେତେଜଣ ମଧ୍ୟ ଅନଶନକାରିଙ୍କୁ ସମର୍ଥନ କରିଛନ୍ତି । ଅନ୍ୟପଟେ ଅନଶନକାରୀମାନେ ପ୍ରଶାସନର ପ୍ରତିଶ୍ରୁତି ଓ ନିଷ୍କର୍ଷକୁ ଗ୍ରହଣ ନକରି ବିଭିନ୍ନ ପୁରୁଣା କଥାକୁ ଆଧାର କରି ନାଟକୀୟ ଭାବେ ଅନଶନ ଜାରି ରଖିବାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ପ୍ରଶାସନକୁ ଭ୍ରମିତ କରି ଓ ଜନହିତକର ପ୍ରକଳ୍ପକୁ ଅନାବଶ୍ୟକ ଭାବେ ବାଧାପ୍ରାପ୍ତ କରିବା ପଛରେ କିଛି ସ୍ୱାର୍ଥନ୍ୱେଷୀ ଗୋଷ୍ଠୀଙ୍କ ହାତ ଥିବା ନେଇ ବୁଦ୍ଧିଜୀବୀ ମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏବାବଦରେ ପ୍ରକଳ୍ପ ନିର୍ଦ୍ଦେଶକ ଅଜାମ୍ବର ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ଗଣତନ୍ତ୍ରରେ ଅନଶନ କରିବାର ଅଧିକାର ସମସ୍ତଙ୍କର ରହିଛି। ମାତ୍ର ଆଇନଗତ ନିୟମ, ପ୍ରଶାସନିକ ତଦନ୍ତ ପ୍ରକ୍ରିୟା ଏବଂ ଗ୍ରାମବାସୀଙ୍କ ବୃହତର ସ୍ୱାର୍ଥକୁ ନଜରରେ ରଖି ପ୍ରଶାସନ ସହ ସହଯୋଗ କରିବା ଆବଶ୍ୟକ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଅଜାମ୍ବର ମହାନ୍ତି ପ୍ରକାଶ କରିଛନ୍ତି।

Leave a Reply

Next Post

ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ରିଲିଫ ବଂଟନ

Fri Aug 14 , 2026
ପଟ୍ଟାମୁଣ୍ଡାଇ ୧୪/୮ – ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ବିଭିନ୍ନ ବନ୍ୟା ପ୍ରଭାବିତ ଅଂଚଳରେ ରାଜ୍ୟ ଛାତ୍ରକଂଗ୍ରେସ ପକ୍ଷରୁ ରିଲିଫ ବଂଟନ କାର୍ଯ୍ୟ କରାଯାଇଛି। ରାଜ୍ୟ ଛାତ୍ର କଂଗ୍ରେସ କମିଟିର ସଭାପତି ବିଭୂତି ମହାପାତ୍ରଙ୍କ ନେତୃତ୍ୱରେ ପୂର୍ବତନ ବିଧାୟିକା ଡ଼ ସିପ୍ରା ମଲିକ,ଜିଲା ଛାତ୍ର କଂଗ୍ରେସ ସଭାପତି ଦିବ୍ୟରଞ୍ଜନ ରାଉତ, ଜିଲା ସାଙ୍ଗଠନିକ ଉପସଭାପତି ସତ୍ୟପ୍ରିୟ ସାମଲ, ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ କମିଟି ସଭାପତି ପ୍ରକାଶ ମହାନ୍ତି, ଜିଲା ସୋସିଆଲ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading