
ପଟ୍ଟାମୁଣ୍ଡାଇ ୧୧/୫ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶିଧବାଲି ଏସକେ ଉଚ୍ଚ ବିଦ୍ୟାଳୟରେ ୧୯୯୪ ମାଟ୍ରିକ ବ୍ୟାଚ ପକ୍ଷରୁ ଗୁରୁ ପୂଜନ ଓ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସୁଶାନ୍ତ କୁମାର ବାରିକଙ୍କ ସଂଯୋଜନାରେ ଆୟୋଜିତ ଗୁରୁ ପୂଜନ ଓ ବନ୍ଧୁ ମିଳନ ଉତ୍ସବରେ ପୂର୍ବତନ ଅବସରପ୍ରାପ୍ତ ଶିକ୍ଷକ ସଚିତ୍ର ବେହୁରା, ଦିଲ୍ଲୀପ ପରିଡା, ଦିଲ୍ଲୀପ ଖଣ୍ଡାଇ, ସନ୍ତୋଷ ମଳିକ, ସନାତନ ତରାଇ, ମାଗୁଣି ଚରଣ ବାରିକ, ସତ୍ୟାନନ୍ଦ ବିଶ୍ୱାଳ, ଦୟାନିଧି ନାୟକ, ପ୍ରେମାନନ୍ଦ ଦାଶ, ରବୀନ୍ଦ୍ର ପାତ୍ର, ନିରାକାର ବାରିକ, ମଥୁରାନନ୍ଦ ଦାସ ପ୍ରମୁଖ ସହକାରୀ ଶିକ୍ଷକ ଯୋଗଦେଇ ସମଗ୍ର ଧୋୟାଂଚଳର ଏହି ଗାରିମାମୟ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶପାଇଁ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରମୁଖ ଶିକ୍ଷକ ଯୋଗଦେଇ ଗୌରବମୟ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ସମସ୍ତ ପୁରାତନ ଛାତ୍ରୀଛାତ୍ର ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ଗୁରୁପୂଜନ ଉତ୍ସବରେ ଛାତ୍ରୀଛାତ୍ର ମାନେ ଗୁରୁ ମାନଙ୍କ ପାଦ ଧୋଇ ଦେଇ ସିନ୍ଦୁର ଚନ୍ଦନ ଲଗାଇବା ସହିତ ଉତରୀୟ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଦୀର୍ଘ ୩୨ବର୍ଷ ପରେ ପିଲା ଦିନର ସାଙ୍ଗ ମାନଙ୍କୁ ନିକଟରେ ପାଇ ସମସ୍ତେ ଭାବଭିବୋଲ ହୋଇ ପଡ଼ିଥିଲେ । ସ୍କୁଲର ରଙ୍ଗ ବଦଳିଛି, କିନ୍ତୁ ଅତୀତର ସ୍ମୃତି ଏବେ ବି କାଲି ପରି ଲାଗୁଛି ବୋଲି ସ୍ମୃତି ଚାରଣ କରିବା ସହିତ ସାମାଜିକ ପରିଚୟ ଓ ପ୍ରତିଷ୍ଠା ଦେଇଥିବା ଏହି ମହାନ ଶିକ୍ଷାନୁଷ୍ଠାନ ବିକାଶ ପାଇଁ ସମସ୍ତ ଛାତ୍ରୀଛାତ୍ର ଶପଥ ନେଇଥିଲେ । ବର୍ତମାନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ମଲ୍ଲିକ ଓ ଅନ୍ୟ ଶିକ୍ଷକ ମାନେ ଉପସ୍ଥିତ ଥିଲେ । ଏହି କାଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ ବନ୍ଧୁ ମାନେ ଯୋଗ ଦେଇଥିଲେ ।
