
କେନ୍ଦ୍ରାପଡ଼ା,୨୯/୦୭: ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗତ ୨୨ ଜାନୁଆରୀ ୨୦୨୬ରୁ ଆଦେଶ ଦେଇଥିବା ବେଳେ ଆଦେଶକୁ କାର୍ଯ୍ୟକାରୀ କରିବାରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟାଳଟୁଳ ନୀତି ଅବଲମ୍ବନ କରୁଛି। ସୂଚନାଯୋଗ୍ୟ ଯେ, ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଗ୍ରହଣ କରି ଖୋର୍ଦ୍ଧା, ମାଲକାନଗିରି, ଅନୁଗୁଳ ଓ ନୟାଗଡ଼ ପୂର୍ବରୁ ଦେଇଥିବା ପଦୋନ୍ନତିକୁ ବାତିଲ କରି ନୂତନ ପଦୋନ୍ନତି ଦେଇ ସାରିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହି ଆଦେଶକୁ ଗ୍ରହଣ କରୁନାହିଁ। ଏଠି ପ୍ରଶ୍ନ ଉଠୁଛି ଉଚ୍ଚ ନ୍ୟାୟାଳୟ ବଡ଼ ନାଁ ସ୍ୱାସ୍ଥ୍ୟ ବିଭାଗ ବଡ଼? କେବେ ନିଦ ଭାଙ୍ଗିବ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ତାହା ସବୁଠାରୁ ବଡ଼ ପ୍ରଶ୍ନ? କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ୫୦ରୁ ଉର୍ଦ୍ଧ୍ୱ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଦୀର୍ଘ ୧୮ମାସ ଧରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସହ ସେମାନଙ୍କର ନିଜର ଜୀବନଯାପନ ଏବଂ ସରକାରୀ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ସ୍ୱାସ୍ଥ୍ୟ କର୍ମଚାରୀ ମାନେ ମାନସିକ ଅଶାନ୍ତିରେ ରହି ସରକାରୀ କାର୍ଯ୍ୟ କରୁଛନ୍ତି। ଯଦି ସେମାନଙ୍କର କିଛି ଅସୁବିଧା ହୁଏ ସେଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି କର୍ମଚାରୀ। ସ୍ୱାସ୍ଥ୍ୟ ବିଭାଗ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପ୍ରତି ଉଦାସୀନତାକୁ ଦର୍ଶାଉଛି। ବାରମ୍ବାର ସ୍ୱାସ୍ଥ୍ୟ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଦେଖା କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ କର୍ମଚାରୀ ମାନେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କୁ ଭେଟି ସେମାନଙ୍କର ଅଧିକାର ଓ ପଦୋନ୍ନତି ପାଇଁ ନିଜର ଦାବି ଜଣାଇଥିଲେ। ଜିଲ୍ଲାପାଳ ଏହି ସମସ୍ୟାର କେବେ ସମାଧାନ କରିବା ସହ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ସେମାନଙ୍କର ପଦୋନ୍ନତି ଦେଉଛନ୍ତି ତାହା ସମୟ ସାପେକ୍ଷ।
