
କେନ୍ଦ୍ରାପଡ଼ା,୧୪ା୧୦: କେନ୍ଦ୍ରାପଡ଼ାର ଗଜଲକ୍ଷ୍ମୀ ପୂଜା ମେଳଣ ସୋମବାର ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ଭଷାଣୀ ଉତ୍ସବ ହୋଇଛି। ରାତି ସୁଦ୍ଧା କେତେକ ମେଢ ପାଣିରେ ବିସର୍ଜିତ ହୋଇଥିବା ବେଳେ ବାକି ମେଢ ରାସ୍ତାରେ ଅଟକି ରହିଛନ୍ତି। ପ୍ରଶାସନିକ ନିଷ୍ପତ୍ତି ଅନୁଯାୟୀ ଦୁଇ ଦିନରେ ମେଳଣ ଓ ଭଷାଣୀ ଉତ୍ସବ ଶେଷ ହେବା ପରିବର୍ତ୍ତେର୍ ଏହା ତୃତୀୟ ଦିନକୁ ଗଡିଯିବ ବୋଲି ଅନୁମାନ କରାଯାଉଛି।

କେନ୍ଦ୍ରାପଡ଼ା ସହରରେ ହୋଇଥିବା ଜଗଲକ୍ଷ୍ମୀ ପୂଜା ମେଳଣ ଉତ୍ସବରେ ୪୮ଟି ମେଢ ସାମିଲ ହୋଇଥିଲେ। ପରମ୍ପରା ଓ ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ସୋମବାର ରାତି ସୁଦ୍ଧା ସମସ୍ତ ମେଢ ପୁରୁଣା ବସଷ୍ଟାଣ୍ଡରେ ପହଞ୍ଚିବା କଥା। ମଙ୍ଗଳବାର ଭୋର ସମୟରେ ମେଲଣ ପଡିଆରେ ଭୋଗ ଲାଗିବା ପରେ ମେଢଗୁଡିକ ବିସର୍ଜନ ଘାଟ ଅଭିମୁଖେ ବାହାରିଥାନ୍ତେ। କିନ୍ତୁ କେତେକ ପୂଜା କମିଟି ନୀତିନିୟମକୁ ଭୁଲିଯାଇ ମେଳଣ ପଡିଆରେ ପହଞ୍ଚିବାକୁ ବହୁ ବିଳମ୍ବ କରିଦେଇଥିଲେ। ଯାହା ଫଳରେ ମାତ୍ର ୮ଟି ମେଢ ରାତି ୧୨ଟା ସୁଦ୍ଧା ମେଳଣ ପଡିଆରେ ପହଞ୍ଚି ପାରିଥିଲେ। ଉଚ୍ଚ ଶବ୍ଦ କରୁଥିବା ବୈଦ୍ୟୁତିକ ବାଦ୍ୟଯନ୍ତ୍ର ବନ୍ଦ ହୋଇଯିବା ଫଳରେ ରାସ୍ତାରେ ଥିବା ଅନ୍ୟ ମେଢ ଗୁଡିକ ଆଉ ଆଗକୁ ବଢି ନଥିଲେ। ଭୋର ସୁଦ୍ଧା ମାତ୍ର ୨୬ଟି ମେଢ ମେଳଣ ପଡିଆରେ ପହଞ୍ଚି ପାରିଥିଲେ। ଅନ୍ୟ ୨୨ଟି ମେଢ ମେଳଣ ପଡିଆର ପୂର୍ବ ଓ ପଶ୍ଚିମ ଦିଗର ରାସ୍ତାରେ ଅଟକି ରହିଥିଲେ। ପ୍ରଶାସନିକ ଚାପରେ ରାସ୍ତାରେ ଥିବା ମେଢ ଗୁଡିକ ଅପରାହ୍ଣ ୨ଟା ପରେ ଶୋଭାଯାତ୍ରା କରି ମେଳଣ ପଡିଆକୁ ଆଗମନ କରିଥିଲେ। ତେବେ ସମସ୍ତ ମେଢ ମେଳଣ ପଡିଆରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ତେଣୁ ଠାକୁରଙ୍କ ଭୋଗ ଖାଇବା ସମୟ ଅପରାହ୍ଣ ୪ଟା ହୋଇଯାଇଥିଲା। ପରେ ପରେ ନୂଆ ବସଷ୍ଟାଣ୍ଡ ଥାନପତି ମେଢ ମେଳଣ ପଡିଆ ଛାଡି ନୂଆବସଷ୍ଟାଣ୍ଡସ୍ଥିତ ବିସର୍ଜ୍ଜନ ଘାଟରେ ଆସି ବସିଥିଲେ। ତା ପରେ କାକଟ ମଙ୍ଗଳା ଏବଂ ଧର୍ମଗୁଳା ଅନୁଯାୟୀ ଗୋଟିଏ ପରେ ଗୋଟିଏ ଅନ୍ୟ ମେଢଗୁଡିକ ଶୋଭାଯାତ୍ରାରେ ବିସର୍ଜନ ଘାଟ ଅଭିମୁଖେ ଯାତ୍ରା କରିଥିଲେ। ମେଳଣ ପଡିଆରେ ଥିବା କେତେକ ମେଢ ବିଳମ୍ବ ଯୋଗୁ ଅନ୍ୟ ରାସ୍ତା ଦେଇ ବିସର୍ଜନ ଘାଟକୁ ଆସିବାକୁ ବାଧ୍ୟ ହୋଇଥିଲେ। ଏହାଦ୍ୱାରା ପରମ୍ପରା ଭଙ୍ଗ ହୋଇଥିଲା ବୋଲି ଆଲୋଚନା ହୋଇଥିଲା। କାହିଁକି ପରମ୍ପରା ଭଙ୍ଗ ହେଲା ଓ ଏଥିପାଇଁ କିଏ ଦାୟୀ ବୋଲି କେତେକ ପୂଜା କମିଟି ସଦସ୍ୟ ପ୍ରଶ୍ନ କରିଛନ୍ତି। ମଙ୍ଗଳବାର ରାତି ୨ଟା ସୁଦ୍ଧା ୨୧ଟି ମେଢ ଗୋବରୀ ନଦୀ ଓ ଅନ୍ୟ ଜଳାଶୟର ବିସର୍ଜନ ଘାଟରେ ବିସର୍ଜିତ ହେବାର ସମ୍ଭାବନା ରହିଛି। ବାକି ମେଢଗୁଡିକ ବୁଧବାର ବିସର୍ଜିତ ହେବେ ବୋଲି ପ୍ରଶାସନ ପକ୍ଷରୁ ଅନୁମାନ କରାଯାଇଛି। ମେଳଣ ପଡିଆକୁ ସଠିକ ସମୟରେ ଯାଇ ପାରି ନଥିବା ପୂଜା କମିଟିର ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଛନ୍ତି। ମେଳଣ ପଡିଆରେ ମା’ଙ୍କ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ବିଳମ୍ବ ସଂକ୍ରାନ୍ତରେ ଟାଉନ୍ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁଙ୍କୁ ପଚାରିବାରୁ ସେ କହିଲେ ଆମେ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥିଲୁ ସଠିକ ସମୟରେ ମେଢଗୁଡିକ ମେଳଣ ପଡିଆରେ ପହଞ୍ଚିବା ପାଇଁ। କିନ୍ତୁ କେତେକ ମେଢ ରାସ୍ତାରେ ଧୀରେ ଧୀରେ ଆସିବାରୁ ସମସ୍ତ ମେଢ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚି ପାରି ନଥିଲେ। ବିଳମ୍ବ ହୋଇଥିଲେ ମଧ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। କାରଣ ସବୁ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ବୋଲି ସେ କହିଥିଲେ।
