
ପଟ୍ଟାମୁଣ୍ଡାଇ ୨୩/୭ – ପିଲାମାନଙ୍କୁ ସୁସ୍ଥ ଓ ସୁରକ୍ଷିତ ରଖିବା ପାଇଁ ମହାରାଷ୍ଟ୍ର ସରକାର ସ୍କୁଲର ୫୦୦ ମିଟର ପରିଧି ମଧ୍ୟରେ ଉଚ୍ଚ-କ୍ୟାଫିନ୍ ଯୁକ୍ତ ଏନର୍ଜି ଡ୍ରିଙ୍କସ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରି ସାରା ଦେଶ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ, ଓଡ଼ିଶା ସରକାର ଶିକ୍ଷାନୁଷ୍ଠାନର ୧୦୦ ମିଟର ପରିସୀମା ମଧ୍ୟରେ କୌଣସି ପ୍ରକାର ତମାଖୁ ବା ନିଶାଦ୍ରବ୍ୟ ବିକ୍ରି ସମ୍ପୂର୍ଣ୍ଣ ବେଆଇନ ବୋଲି ନିୟମ କରିଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଏହାର ସମ୍ପୂର୍ଣ୍ଣ ଓଲଟା ଚିତ୍ର ଦେଖିବାକୁ ମିଳିଛି। ଅଂଚଳର ବିଭିନ୍ନ ସ୍କୁଲ କଲେଜ ସମ୍ମୁଖରେ ଥିବା ଦୋକାନ ସନିକଟରେ ଖୋଲାଖୋଲି ଗୁଟଖା ଓ ପାନମସଲା ସହ ବିଭିନ୍ନ ନିଶା ଜନିତ ସାମଗ୍ରୀ ବିକ୍ରି ହେଉଛି। ଯାହା ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସ୍ଥାନୀୟ ବୁଦ୍ଧିଜୀବୀମାନେ କୁହନ୍ତି ସ୍କୁଲରେ ସୁସ୍ଥ ପରିବେଶ ସାଙ୍ଗକୁ ପିଲାମାନେ ଯେପରି ସିଗାରେଟ, ଗୁଟଖା ଭଳି ବଦଭ୍ୟାସ ଠାରୁ ଦୂରରେ ରହନ୍ତି ସେନେଇ ସରକାର କଟକଣା ଜାରି କରି କୋଟପା ଆଇନ-୨୦୨୩ ଲାଗୁ କରିଛନ୍ତି। ଯଦି କେହି ୧୮ ବର୍ଷରୁ କମ୍ ବୟସର ଛାତ୍ରୀଛାତ୍ରଙ୍କୁ ତମାଖୁ କିମ୍ବା ନିଶାଦ୍ରବ୍ୟ ବିକ୍ରି କରନ୍ତି ତେବେ ସେହି ବ୍ୟକ୍ତିଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ ଧାରା ୭୭ ଅନୁଯାୟୀ, ଜରିମାନା ସହ କଠୋର ଜେଲ୍ ଦଣ୍ଡର ପ୍ରାବଧାନ ରହିଛି। ଏସବୁ ଆଇନକାନୁନ ଥାଇ ମଧ୍ୟ ପଟ୍ଟାମୁଣ୍ଡାଇ ଅଂଚଳ ପ୍ରସିଦ୍ଧ ଏମ୍ଏନ୍ ହାଇସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଅଣ୍ଢରା ଉଷାଦେବୀ ମହିଳା ମହାବିଦ୍ୟାଳୟ ଏବଂ ମଦନପୁର ମହାବିଦ୍ୟାଳୟ, ଚନ୍ଦନନଗର ପଦ୍ମନାଭ ବିଦ୍ୟାପୀଠ, ସାରକାରୀ ଆଇଟିଆଇ ଭଳି ଅନେକ ସ୍କୁଲ କଲେଜ ସମ୍ମୁଖରେ ଥିବା ବିଭିନ୍ନ ଦୋକାନ ସନିକଟରେ ଖୋଲାଖୋଲି ଗୁଟଖା ଓ ପାନମସଲା ବିକ୍ରି ହେଉଥିବା ନଜରି ରହୁଥିବା ବେଳେ କେତେକ ସ୍ଥାନରେ ବେଆଇନ ମାଦକଦବ୍ୟ ବିକ୍ରୀ ହେଉଥିବା ଅଭିଯୋଗ ହୋଇଆସୁଛି । ହେଲେ ଏଥିନେଇ ପୋଲିସ କିମ୍ବା ଅବକାରୀ ବିଭାଗର କୌଣସି ନିଘା ନାହିଁ ରହୁନଥିବା ସାଧାରଣରେ ଅଲୋଚନା ଜୋର ଧରିଛି ।ଫଳରେ ସବୁ ଆଇନ କାନୁନକୁ ଫୁ କରି ଶିକ୍ଷାନୁଷ୍ଠାନ ପାଖାପାଖି ଅବାଧରେ ତମାଖୁ ଓ ମାଦକଦ୍ରବ୍ୟ ବିକ୍ରି ହେଉଛି। ଫଳରେ ସ୍କୁଲ କଲେଜ ପିଲାମାନେ ସହଜରେ ନିଶାସେବନ କରିବାର ସୁଯୋଗ ପାଇ ନିଜ ଜୀବନକୁ ଅଦ୍ଧକାର ମଧ୍ୟକୁ ଠେଲି ଦେଉଛନ୍ତି ।

ଅପରପକ୍ଷେ ଆଜିକାଲି ଥଣ୍ଡାପାନୀୟର ବିଜ୍ଞାପନ ପ୍ରତି ଯୁବପିଢ଼ି ପିଢି ଆକର୍ଷିତ ହୋଇ ଶକ୍ତି ବଢ଼ାଇବା ନାଁରେ ପ୍ରତିଦିନ ଏନର୍ଜି ଡ୍ରିଙ୍କ୍ସ ଗ୍ରହଣ କରୁଛନ୍ତି। ମାତ୍ର ବିଶେଷଜ୍ଞଙ୍କ ମତରେ ଏହି ପାନୀୟଗୁଡ଼ିକରେ ସୀମାଠାରୁ ଅଧିକ ପରିମାଣର କ୍ୟାଫିନ୍ ଏବଂ ଚିନି ରହିଥାଏ। ଏହାକୁ ନିୟମିତ ପିଇବା ଦ୍ୱାରା ପିଲାମାନଙ୍କଠାରେ ଅନିଦ୍ରା, ମାନସିକ ଅସ୍ଥିରତା, ହୃଦ୍ସ୍ପନ୍ଦନ ଜନିତ ସମସ୍ୟା ଏବଂ ଓଜନ ବୃଦ୍ଧି ଭଳି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ ବୋଲି ଡାକ୍ତର ମନୋରଞନ ଦାଶ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଶିକ୍ଷାନୁଷ୍ଠାନରେ କୌଣସି ଶିକ୍ଷକ ତଥା କର୍ମଚାରୀମାନେ ପାନ, ବିଡ଼ି, ସିଗାରେଟ, ଗୁଟଖା ଖାଇପାରିବେ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କେତେକ ଶିକ୍ଷକ ଓ ଅଧ୍ୟାପକମାନେ ମଧ୍ୟ ଗୁଟ୍ଖା ସେବନ କରି ଶିକ୍ଷାଦାନ କରୁଥିବା ଲକ୍ଷ୍ୟ କରାଯାଇଛି। ଶିକ୍ଷା ବିଭାଗର ଅଧିକାରୀ ହଉନ୍ତୁ କି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏଥପ୍ରତି ଧ୍ୟନ ଦେଉନାହାଁନ୍ତି କି ଯାଂଚ କରୁନାହାଁନ୍ତି । ଏନେଇ ଜିଲା ଶିକ୍ଷାଧିକାରୀ ପ୍ରବିତ୍ର ମୋହନ ବାରିକଙ୍କ ସହ ଯୋଗାଯୋଗ କରିବାରୁ ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରିବି ବୋଲି କହିଥିଲେ ।
