
କେନ୍ଦ୍ରାପଡା,୧ା୪: ଓଡିଶାର ଅନ୍ୟତମ ପ୍ରଖ୍ୟାତ ସାହିତ୍ୟ ପ୍ରତିଷ୍ଠାନ ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ଦୀର୍ଘ ୧୯୯୬ ମସିହାରୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଓଡ଼ିଆ ଭାଷାର ବିଭିନ୍ନ ବର୍ଗର କୃତି ସାହିତ୍ୟିକକୁ ପୁରସ୍କାର ପ୍ରଦାନ କରାଯାଇ ଆସୁଅଛି। ଚଳିତ ୨୦୨୫ ବର୍ଷ ନିମନ୍ତେ ଯୁବସାହିତ୍ୟ ବର୍ଗରେ ପ୍ରଦାନ କରାଯାଉଥିବା ସୁବ୍ରତ ରଥ ସ୍ମାରକୀ ପୁରସ୍କାର କଥାକାର ବିରଜା ରାଉତରାୟଙ୍କୁ ପ୍ରଦାନ କରାଯାଇଛି। ଗତ ରବିବାର କଟକସ୍ଥିତ କଳାବିକାଶ କେନ୍ଦ୍ରରେ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏକ ମନୋଜ୍ଞ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ସାଂସଦ ଭର୍ତ୍ତୃହରି ମହତାବ, ମୁଖ୍ୟବକ୍ତା ବରିଷ୍ଠ ଗବେଷକ ଓ ପ୍ରାବନ୍ଧିକ ଅସିତ ମହାନ୍ତି, ବରିଷ୍ଠ ସାହିତ୍ୟିକ ବିଜୟାନନ୍ଦ ସିଂହ, ଫାଉଣ୍ଡେସନର ସଭାପତି ଡା. ଜୟନ୍ତ ରଥ, ସମ୍ପାଦିକା ତଥା ସାହିତ୍ୟିକା ସୁସ୍ମିତା ରଥ ଏବଂ ଚଳିତ ବର୍ଷର ସାହିତ୍ୟ ଭାରତୀ ଶିଖର ସମ୍ମାନର ପ୍ରାପକ ବରିଷ୍ଠ ସାହିତ୍ୟିକ ଶୈଳଜ ରବି ପ୍ରମୁଖ ବିରଜା ରାଉତରାୟଙ୍କୁ ମାନପତ୍ର, ଉପଢୌକନ ଓ କୋଣାର୍କ ଚକର ଏକ ରୌପ୍ୟ ସ୍ମାରକୀ ସହିତ ଦଶ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ ଉଭୟ କବିତା ଓ କଥା ସାହିତ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିରଜାଙ୍କ ଏଯାବତ୍ ୭ଗୋଟି ଗଳ୍ପ ସଂକଳନ, ୫ ଗୋଟି କବିତା ସଂକଳନ, ଗୋଟିଏ ପ୍ରବନ୍ଧ ସଂକଳନ ଏବଂ ଭିନ୍ନକ୍ଷମତା ସମ୍ପର୍କିତ ଏକାଧିକ ଗଳ୍ପ ଓ ଅନ୍ୟାନ୍ୟ ପୁସ୍ତକର ସମ୍ପାଦନା ସହିତ “ପୁନର୍ବାସ ସମାଚାର”ପରି ଭିନ୍ନକ୍ଷ୍ମତା ସମ୍ପର୍କିତ ଏକ ସ୍ୱତନ୍ତ୍ର ସମ୍ବାଦପତ୍ରର ସମ୍ପାଦନା ପ୍ରଭୃତି ଅନ୍ତର୍ଗତ।
