ପଟ୍ଟାମୁଣ୍ଡାଇ ବିଜେଡିର ନାରୀ ଅଧିକାର ଅଭିଯାନ ସମାବେଶ

ପଟ୍ଟାମୁଣ୍ଡାଇ.୬/୫ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅରଡପଲ୍ଲୀ ଯଜ୍ଞ ପଡିଆ ଠାରେ ଭାଜପା ସରକାରର ମହିଳା ବିରୋଧୀ ନୀତି ବିରୁଦ୍ଧରେ ବିଜେଡି ପକ୍ଷରୁ ନାରୀ ଅଧିକାର ଅଭିଯାନ ସମାବେଶ ଅନୁଷ୍ଠିତ ହୋଇଛି । ଏହି ସମାବେଶରେ ବିଜେଡି ମହିଳା ନେତ୍ରୀଙ୍କ ସମେତ ବିଧାୟକ ଓ ନେତାମାନେ ଯୋଗ ଦେଇ ଭାଜପା ସରକାର ସୀମା ପୁନଃ ନିର୍ଦ୍ଧାରଣ ନାମରେ ଭାଜପା ମହିଳା ସଂରକ୍ଷଣ ବିଲକୁ ଅନିଶ୍ଚିତତା ଭିତରକୁ ଠେଲି ଦେବାକୁ ଉଦ୍ୟମ କରୁଛି । ନିଜକୁ ମହିଳାଙ୍କ ହିତେଇଶି ଓ ବିରୋଧୀଙ୍କୁ ମହିଳା ବିରୋଧୀ ବୋଲି ଦର୍ଶାଇବାକୁ ଭାଜପା ଜନଆକ୍ରୋଶ ରାଲି କରୁଛି । କିନ୍ତୁ ଆମ ଅଂଚଳର ମହିଳା ମାନେ ବୋକା ନୁହଁନ୍ତି, ସେମାନେ ଭାଜପା ଭଳି ଜୁମଲା ପାଟିକୁ ଭଲ ଭାବେ ବୁଝି ସାରିଲେଣି । ଭାଜପା ଦେଶର ଏକ ମାତ୍ର ଦଳ ଯିଏକି ବର୍ତର୍ମାନର ସଂସଦ ଓ ବିଧାନସଭା ଆସନ ଗୁଡିକରେ ସିଟ ବୃଦ୍ଧି ନହେବା ପର୍ଯ୍ୟନ୍ତ ମହିଳା ସଂରକ୍ଷଣ ବିଲ ଲାଗୁ କରିବାକୁ ଚାହୁଁନାହିଁ । ଏହା ତାଙ୍କ ଦଳର ପୁରୁଷ ପ୍ରାଧାନ୍ୟ ଓ ମହିଳା ବିରୋଧୀ ମନୋଭାବକୁ ପ୍ରଦର୍ଷିତ କରୁଛି । ସଂରକ୍ଷଣ ନାଁରେ ମହିଳାମାନଙ୍କୁ କେବଳ ଭୁଆଁ ବୁଲାଇ ଚାଲିଛି । ତେଣୁ ଭାଜପାର ଏହି ନାରୀ ବିରୋଧୀ ମନୋଭାବକୁ ଲୋକଙ୍କ ସାମ୍ନାରେ ରଖିବା ପାଇଁ ବିଜେଡି ତରଫରୁ ନାରୀ ଅଧିକାର ଅଭିଯାନ ସମାବେଶ ରାଜ୍ୟ ସାରା ଅୟୋଜନ କରାଯାଇଛି ।

ଏହି ପରିପେଖିରେ ଆଜି ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତରେ ଆୟୋଜିତ ନାରୀ ଅଧିକାର ଅଭିଯାନ ସମାବେଶରେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ଭାଜପା ଦେଶର ଏକମାତ୍ର ଦଳ ଯିଏ ଆସନ ବୃଦ୍ଧି ବିନା ମହିଳା ସଂରକ୍ଷଣ ବିଲକୁ ବିରୋଧ କରେ । ମହିଳାଙ୍କୁ ସାମ୍ୱିଧାନିକ ପଦବୀରେ ସଂରକ୍ଷଣ ଦେବାରେ ଓ ସଶକ୍ତ କରିବାରେ ବିଜେଡି ସର୍ବାଗ୍ରେ ରହିଛି । ବିଜୁ ପଟ୍ଟନାୟକ ଓଡ଼ିଶାରେ ମହିଳା ସଶକ୍ତିକରଣର ମୂଳଦୁଆ ପକାଇଥିଲେ, ଯେଉଁଥିରେ ସେ ୧୯୯୨ ମସିହାରେ ପଂଚାୟତିରାଜ ସଂସ୍ଥାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଲାଗୁ କରିଥିଲେ ।ଏହି ଐତିହାସିକ ପଦକ୍ଷେପ ମହିଳାମାନଙ୍କୁ ରାଜନୀତି ଓ ପ୍ରଶାସନରେ ସାମିଲ କରିବା ପାଇଁ ଉଦ୍ଦିଷ୍ଟ ଥିଲା । ଯାହା ପରେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ସରକାର ଦ୍ୱାରା ୫୦%କୁ ବୃଦ୍ଧି କରାଯାଇଥିଲା । ନବୀନ ଯୁଗର ମହିଳା ସଶକ୍ତ ହୋଇ ମିଶନ ଶକ୍ତି ମହିଳାମାନଙ୍କୁ ନୂଆ ଭରସା ଓ ପରିଚୟ ଦେଇଥିଲେ। ଓଡିଶାରୁ ଦୁବେଇ ବ୍ୟାଙ୍କଙ୍ଗ ପର୍ଯ୍ୟନ୍ତ ଯାଇପାରିଥିଲେ । ସେମାନେ ଏସଏସଜିରୁ ଏମଏଏସଏମଇ କରିପାରିଛନ୍ତି । ମାତ୍ର ଭାଜପା ସରକାର ସୁଭଦ୍ରା ଯୋଜନାରେ ବର୍ଷକୁ ୧୦ ହଜାର ଟଙ୍କା ପ୍ରଦାନ କରୁଛନ୍ତି । ସେଥିରେ ମହିଳାଙ୍କୁ ଆର୍ôଥକ ସ୍ୱାବଲମ୍ବୀ କରିବା ପରିବର୍ତେ ମା ମାନଙ୍କୁ ଛେଳି ଜଗୁଆଳି କରି ଲକ୍ଷପତି ଦିଦି ସୃଷ୍ଠି କରାଇବା କହୁଛନ୍ତି । ମହିଳା ସଂରକ୍ଷଣ ବିଲ ୨୦୨୩ ମସିହାରୁ ପାରିତ ହୋଇସାରିଥିବା ବେଳେ ଏହାକୁ ଲାଗୁ କରିବା ପରିବର୍ତେ କେବଳ ନାଟକ କରୁଛନ୍ତି ।ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡିର ମହିଳା ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଧାୟକ ପ୍ରକାଶ କରିଥିଲେ ।

ବିଜେଡି ରାଜ୍ୟ ମହିଳା ଉପସଭାନେତ୍ରୀ ରୋସ୍ନା ସାହୁ, କେନ୍ଦ୍ରାପଡା ପୌରଧ୍ୟକ୍ଷା ସରିତା ସାହୁ, ସରପଂଚ ସଂଘର ସଭାନେତ୍ରୀ ଲକ୍ଷ୍ମୀପ୍ରୀୟା ଷଡଙ୍ଗୀ, ରାଜ୍ୟ ବିଜେଡି ସଂପାଦକ ମିଟୁ ଦାଶ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,ବ୍ଲକ ବିଜେଡି ସଂପାଦକ ଅରକ୍ଷୀତ ସାହୁ, ଜିଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ନଗର ବିଜେଡି ସଭାପତି ଖଗେଶ୍ୱର ଲେଙ୍କା ପ୍ରମୁଖ ଭାଷଣ ଦେଇ ଭାରତୀୟ ଜନତା ପାର୍ଟିକୁ ଯାତ୍ରା ପାଟି ବୋଲି ସମ୍ବୋଧନ କରି ମିଛ କହି ମହିଳାମାନଙ୍କୁ କେବଳ ଏକ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ମହିଳା ସଂରକ୍ଷଣକୁ ୫୦ପ୍ରତିଶତକୁ ବୃଦ୍ଧି କରି ୨୦୧୮ ମସିହାରେ, ମହିଳା ମାନଙ୍କୁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରଦାନ କରାଇଥିଲେ । ଓଡିଶା ବିଧାନସଭାରେ ଏକ ସଙ୍କଳ୍ପ ପାରିତ କରାଇବା ସହିତ ଦେଶର ୨୨ଟି ରାଜନୈତିକ ଦଳକୁ ଏହା ସପକ୍ଷରେ ମତ ଦେବାକୁ ପ୍ରବର୍ତାଇ ଥିଲେ । ମାତ୍ର ଭାଜାପା ସରକାର ବିଜେଡି ସମେତ ବିରୋଧୀ ଦଳ ମାନଙ୍କୁ ମହିଳା ବିରୋଧୀ ବୋଲି କହି ମିଛ ପ୍ରଚାର କରୁଛି । ଚିକ୍ରାର କରି ମିଛ କହିବା ଭାଜପାର ପୁରୁଣା ଅଭ୍ୟାସ । ୨୦୨୪ ମସିହା ସାଧାରଣ ନିର୍ବାଚନରେ ଭାଜପାର ଶୀର୍ଷ ନେତୃମଣ୍ଡଳୀ କିଭଳି ମିଛର ପ୍ରହେଳିକା ସୃଷ୍ଟି କରି ଓଡିଶାବାସୀଙ୍କୁ ଭ୍ରମିତ କରିଥିଲେ । ତାହା ଆଜି ଓଡ଼ିଶାବାସୀ ହୃଦୟଙ୍ଗମ କରିସାରିଲେଣି । ଭାଜପା କ୍ଷମତାକୁ ଆସିବାର ୨ ବର୍ଷ ଭିତରେ ମହିଳା ସୁରକ୍ଷା ବିପର୍ଯ୍ୟସ୍ତ ହୋଇଛି । ତାହା ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ କରିଛି ବୋଲି ସେମାନେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ଅଂଚଳର ବହୁ ମହିଳା ଯୋଗ ଦେଇଥିବା ବେଳେ ଦଳର ବିଭିନ୍ନ ଛାମୁଆ ସଂଗଠନର କାର୍ଯ୍ୟକର୍ତା, ପଂଚାୟତ ଓ ଜିଲା ପରିଷଦ ପ୍ରତିନିଧି ସମେତ ବହୁ ନେତା କର୍ମୀ ସରପଂଚ, ସମିତିସଭ୍ୟା ସଭ୍ୟ କାଉନସିଲ ଉପସ୍ଥିତ ଥିଲେ।
