ନ୍ୟୁଟନ୍ ଜଣେ ‘ମହାନ ପାଇଲଟ୍‌’ ଥିଲେ, ଓଡ଼ିଶା ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି

 ଶିକ୍ଷା ବହିରେ ‘ଲିମ୍ବୁଡା’ ଗୀତ ,

ଶିକ୍ଷାର ମାନ ଏବଂ ସାମଗ୍ରିକ ଚିନ୍ତାଧାରା ଉପରେ ଶକ୍ତ ଆଘାତ

blank

କେନ୍ଦ୍ରାପଡା “ଯେଉଁ ଶିକ୍ଷା ମାନବକୁ ମୁକ୍ତି ଦେଇପାରେନା କି ମଣିଷ ସମାଜର ସାମଗ୍ରିକ କଲ୍ୟାଣ ନିମନ୍ତେ ଚିନ୍ତା ଭାବନା କରିବାର ଶକ୍ତି ପ୍ରଦାନ କରିପାରେନା, ସେ ଶିକ୍ଷା ଶିକ୍ଷା ପଦବାଚ୍ୟ ନୁହେଁ।” ମହାପୁରୁଷ ଓ ମନୀଷୀମାନଙ୍କର ଏହି କାଳଜୟୀ ଉକ୍ତି ଆଜିର ଆଧୁନିକ ଶିକ୍ଷା ବ୍ୟବସ୍ଥା ପାଇଁ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଶିଶୁର ଆଧ୍ୟାତ୍ମିକ, ବୌଦ୍ଧିକ ଓ ନୈତିକ ବିକାଶ କରିବା। କିନ୍ତୁ ବର୍ତ୍ତମାନ ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟ ପାଠ୍ୟପୁସ୍ତକରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ବହିରେ ପ୍ରାୟ ୧୬୭୮ଟି ତ୍ରୁଟି ଦେଖିବାକୁ ମିଳିଛି । ଯେଉଁଥିରେ ବୈଜ୍ଞାନିକ ଆଇଜାକ ନିଉଟନଙ୍କୁ ‘ପାଇଲଟ’ ଭାବରେ ଲେଖାଯିବା ଭଳି ବଡ଼ ଭୁଲ ରାଜ୍ୟ ତଥା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଆମ ଶିକ୍ଷାର ମାନ ଏବଂ ସାମଗ୍ରିକ ଚିନ୍ତାଧାରା ଉପରେ ଏକ ଶକ୍ତ ଆଘାତ ଦେଇଛି।

ଏହାଛଡ଼ା କୋଣାର୍କ ସୂର୍ଯ୍ୟମନ୍ଦିର ବଦଳରେ ହମ୍ପି ମନ୍ଦିରର ଫଟୋ ଛପାଯିବା ପରି ଅନେକ ବିଭ୍ରାଟ ସାମ୍ନାକୁ ଆସିଛି।ଓଡ଼ିଶାରେ ଅଷ୍ଟମ ଶ୍ରେଣୀ ‘କୃତି’ (କଳା ଶିକ୍ଷା) ରେ ବଲିଉଡର ଚଳଚ୍ଚିତ୍ର ଗୀତ ‘ନିମ୍ବୁଡ଼ା ନିମ୍ବୁଡ଼ା’ର ପୂରା ଲିରିକ୍ସ ଛପାଯିବା ଘଟଣାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ବିବାଦ ଦେଖାଦେଇଛି। ପାଠ୍ୟକ୍ରମରେ ଏଭଳି ଗୀତକୁ ଅଭିଭାବକ ଓ ଶିକ୍ଷାବିତମାନେ କଡ଼ା ଭାଷାରେ ସମାଲୋଚନା କରିଥିବା ବେଳେ ଇଣ୍ଟରନେଟରେ ଏହାକୁ ନେଇ ଅନେକ ଟ୍ରୋଲ ଭାଇରାଲ ହେବାରେ ଲାଗିଛି।ଏହା ବ୍ୟତୀତ, ଅନ୍ୟ ରାଜ୍ୟର ପ୍ରସିଦ୍ଧ ଏବଂ ଐତିହାସିକ କୋଠାଗୁଡ଼ିକୁ ଓଡ଼ିଶାର ବୋଲି ଭୁଲ ଭାବରେ ଦର୍ଶାଯାଇଛି । ଶିକ୍ଷାର ମୂଳ ଉଦ୍ଦେଶ୍ୟ ହେଉଛି ସଠିକ୍ ଓ ପ୍ରମାଣିତ ଜ୍ଞାନ ପ୍ରଦାନ କରିବା। ଯଦି ପାଠ୍ୟକ୍ରମରେ ତଥ୍ୟଗତ ଭୁଲ ରହେ, ତେବେ ଏହା ଛାତ୍ରୀଛାତ୍ରଙ୍କ ଶିକ୍ଷାର ମାନ ଉପରେ ପ୍ରତିକୂଳ ପ୍ରଭାବ ପକାଇବ।

ବିଭ୍ରାନ୍ତିର ଚରମ ସୀମା: ବହିରେ ସିନେମା ଗୀତ- ସାମ୍ବାଦିକ ପ୍ରବୀର ନାୟକ

blank

ନିକଟରେ ଜାତୀୟ ଶିକ୍ଷା ନୀତି (ଘଋଚ ୨୦୨୦) ଆଧାରରେ ପ୍ରସ୍ତୁତ ନୂତନ ପାଠ୍ୟପୁସ୍ତକରେ ଶହ ଶହ ଭୁଲ୍ ସାମ୍ନାକୁ ଆସିଛି। ଅଷ୍ଟମ ଶ୍ରେଣୀର ‘ମୋ ସଙ୍ଗୀତ ଜଗତ’ ପ୍ରସଙ୍ଗରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଓଡ଼ିଶୀ ନୃତ୍ୟ କିମ୍ବା ପାରମ୍ପରିକ ଲୋକଗୀତ ସ୍ଥାନରେ ବଲିଉଡର ଚଳଚ୍ଚିତ୍ର ଗୀତକୁ ସ୍ଥାନ ଦିଆଯାଇଛି। ଯେଉଁ ବୟସରେ ପିଲାମାନେ ନୈତିକତା, ମାନବିକ ମୂଲ୍ୟବୋଧ ଏବଂ ସମାଜର କଲ୍ୟାଣ ପାଇଁ ଚିନ୍ତା କରିବା ଶିଖିବା କଥା, ସେହି ସମୟରେ ସେମାନଙ୍କ ହାତରେ ସିନେମା ଗୀତ ଧରାଇ ଦିଆଯାଇଛି। ଏହା କେବଳ ପାଠ୍ୟପୁସ୍ତକ ପ୍ରସ୍ତୁତି କମିଟିର ଚରମ ଦାୟିତ୍ୱହୀନତାକୁ ଦର୍ଶାଉନାହିଁ, ବରଂ ଶିକ୍ଷାକୁ ଏକ ବ୍ୟବସାୟ ଓ ହାସ୍ୟାସ୍ପଦ ମାଧ୍ୟମରେ ପରିଣତ କରିଛି। ଏଭଳି ପାଠ୍ୟକ୍ରମ ଦ୍ୱାରା ପାଠ ପ୍ରତି ଛାତ୍ରୀଛାତ୍ରମାନଙ୍କର ଆଗ୍ରହ କମିଯାଉଛି ଅଭିଭାବକମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି ।

ପ୍ରକୃତ ଶିକ୍ଷାର ସଙ୍କଟ ଯୁବ ନେତା ସଥ୍ୟପ୍ରୀୟ ସାମଲ

blank
ଯଦି ଶିକ୍ଷା ମଣିଷକୁ ସଂସ୍କାର ଦେଇପାରିବ ନାହିଁ, ତେବେ ତାହା କେବଳ ଅକ୍ଷର ଚିହ୍ନାର ଏକ ପ୍ରକ୍ରିୟା ହୋଇ ରହିଯିବ। ବହିରେ ପ୍ରାୟ ୧,୬୦୦ ରୁ ଅଧିକ ଭୁଲ୍ ରହିବା ସହ ବୈଜ୍ଞାନିକ ଆଇଜାକ୍ ନିଉଟନଙ୍କୁ ‘ମହାନ ପାଇଲଟ୍‌’ କହିବା ଏବଂ କର୍ଣ୍ଣାଟକ ବିଧାନସଭାକୁ ଓଡ଼ିଶା ବିଧାନସଭା ବୋଲି ଦର୍ଶାଇବା ଭଳି ଗୁରୁତର ଭ୍ରମ ରହିଛି। ଏଭଳି ଶିକ୍ଷା ପିଲାମାନଙ୍କୁ ମୁକ୍ତ ଚିନ୍ତାଧାରା ଦେବା ପରିବର୍ତ୍ତେ ଭ୍ରମିତ କରୁଛି। ଶିକ୍ଷା ବିଭାଗର କାର୍ଯ୍ୟଶୈଳୀ ଓ ଯାଞ୍ଚ ପ୍ରକ୍ରିୟାର ଏହି ଦୁର୍ବଳତା କୋମଳମତି ଶିଶୁମାନଙ୍କ ଭବିଷ୍ୟତ ସହ ଖେଳ ସଦୃଶ।

ସଂସ୍କାରର ଆବଶ୍ୟକତା- ବୁଦ୍ଧିଜୀବୀ ଭାସ୍କର ରାଉତ ରାୟ

blank
ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେବା ସହ କିଛି ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ଏବଂ ପାଠ୍ୟପୁସ୍ତକକୁ ପୁନର୍ବାର ସଂଶୋଧନ କରି ଛାପିବାକୁ କହିଛନ୍ତି। କିନ୍ତୁ କେବଳ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ; ଶିକ୍ଷାର ମୌଳିକ ଆଦର୍ଶକୁ ଫେରାଇ ଆଣିବାକୁ ହେବ। ଶିକ୍ଷା ପାଠ୍ୟକ୍ରମରେ ଜାତୀୟତା, ଓଡ଼ିଆ ଅସ୍ମିତା, ମାନବିକ ମୂଲ୍ୟବୋଧ ଏବଂ ବୈଜ୍ଞାନିକ ମନୋଭାବର ବିକାଶ ଉପରେ ଗୁରୁତ୍ୱ ଦିଆଯିବା ଉଚିତ। ସେତେବେଳେ ଯାଇ ଶିକ୍ଷା ପ୍ରକୃତରେ ସାମଗ୍ରିକ କଲ୍ୟାଣ କରିପାରିବ ଏବଂ ଏହା ‘ଶିକ୍ଷା’ ପଦବାଚ୍ୟ ହେବ।

Next Post

ଡାକ୍ତରଙ୍କ ଆନ୍ଦୋଳନ ଦ୍ୱିତୀୟ ଦିନରେ

Thu Jul 2 , 2026
କେନ୍ଦ୍ରାପଡ଼ା,୨ା୭: କେନ୍ଦ୍ରାପଡ଼ା ଜିଲ୍ଲାର ଡାକ୍ତରମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଡାକ୍ତରମାନେ ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଲରେ ବସି ଆନ୍ଦୋଳନ କରିବା ପରିବର୍ତ୍ତେ ଖଡିଅଙ୍ଗସ୍ଥିତ ପୁରୁଣା ମେଡିକାଲର ଏକ ହଲ ଭିତରେ ଚେୟାରରେ ବସି ଆନ୍ଦୋଳନ କରୁଛନ୍ତି। ଏହାକୁ ନେଇ ବୁଦ୍ଧିଜିବୀମାନେ ସମାଲୋଚନା କରିଛନ୍ତି। ଆନ୍ଦୋଳନରେ ସବୁବେଳେ ଝାଳ ବୋହିଲେ ସଫଳ ହୋଇଥାଏ। ଚେୟାର ଉପରେ ବସି ଥଣ୍ଡା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading