- ନାଳ ଭିତରେ ଯାଇଛି ପାଣି ପାଇପ୍,
- ଜଳ ପ୍ରଦୂଷଣ ହେବା ସହ ଧନଜୀବନ କ୍ଷତି ହେବାର ଆଶଙ୍କା

କେନ୍ଦ୍ରାପଡା ୨୧/୯-ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ଆରମ୍ଭ କରିଥିବା ବେଳେ ଏବେ ପ୍ରତି ଘରକୁ ପାଇପ ଜଳ ଯୋଗାଣ ପାଇଁ ବିଭିନ୍ନ ଗ୍ରାମରେ ପ୍ରକଳ୍ପ କରିଛନ୍ତି। କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଥିବା ୩୧ ପଂଚାୟତକୁ ମଧ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ବିଭିନ୍ନ ୱାର୍ଡ଼ର ପଡ଼ା ମାନଙ୍କୁ ପାଣି ପାଇପ୍ ସଂଯୋଗ ହୋଇଛି। ମାତ୍ର ଏହି ପାଣି ପାଇପ ଗୁଡ଼ିକ କେଉଁଠି ନର୍ଦ୍ଦମା ଭିତରୁ ଯାଇଛି ତ ଆଉ କେଉଁଠି ସେପଟିକ ନାଳ ଭିତରୁ ଯାଇ ଘରେ ପଶିଛି।
ସେଥିମଧ୍ୟରୁ ଖଡିଅଂଟା ଗ୍ରାମପଂଚାୟତ ସ୍କୁଲ ସାମନାରେ ଜଳଯୋଗାଣ ପ୍ରକଳ୍ପ ରହିଛି। କିନ୍ତୁ ଏହା ଲୋକଙ୍କ ଆବଶ୍ୟକତା ପୂରଣ କରି ପାରୁ ନାହିଁ। ପ୍ରକଳ୍ପ ଥାଇ ମଧ୍ୟ ବହୁ ସାହିବାସିନ୍ଦା ପାନୀୟ ଜଳରୁ ବଂଚିତ ହେଉଛନ୍ତି। ଦିନରେ ଗୋଟିଏ ବେଳା ୧ ଘଂଟା ପାଣି ଯୋଗାଣ ହେଉଥିବା ବେଳେ କାହା ଘରପାଖରେ ଭାସୁଛି ତ କାହା ଘର ନିକଟରେ ପହଁଚି ପାରୁନାହିଁ । ଏହି ପ୍ରକଳ୍ପ ରେ ବାଇପଦାଗ୍ରାମ ଖଡିଅଂଟା ଗ୍ରାମକୁ ପାଣି ଯୋଗାଇବା ପାଇଁ ଷ୍ଟାଣ୍ଡ ପଏଂଟ ନିର୍ମାଣ କରାଯାଇଛି। ତେବେ ପ୍ରକଳ୍ପ ଆରମ୍ଭ ହେବାର କିଛି ଦିନ ପର୍ଯ୍ୟନ୍ତ ଠିକଠାକ ପାଣି ଯୋଗାଣ ହୋଇଥିଲା । କିନ୍ତୁ ଗତ ଦେଢ ବର୍ଷ ହେଲା ଏହି ପ୍ରକଳ୍ପ ଦ୍ୱାରା ସଠିକ ଜଳଯୋଗାଣ କରାଯାଉନି । ଖଡିଅଂଟା ଗ୍ରାମର ଗ୍ରାମର ଆର ପାରିକୁ ମଧ୍ୟ ପାଣି ଆସୁ ନଥିବାରୁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଳଯୋଗାଣ ପ୍ରକଳ୍ପର ଓଭରହେଡ ଟାଙ୍କି ନିର୍ମାଣ ଦିନଠାରୁ ମନ ମୁଖି ପାନୀୟ ଜଳ ପରିଚାଲନା କରାଯାଉଛି । କେବେ ପାଣି ଆସୁଛି ତାହାର ଠିକ ଠିକଣା ରହୁନି । ବହୁ ସମୟରେ ଶହଶହ ପରିବାର ପାଣି ପାଇଁ ଦୁଇଟି ନଳକୂପ ଉପରେ ନିର୍ଭର କରୁଛନ୍ତି । ଏନେଇ ଆରଡବ୍ଲୁଏସଏସ ଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ। ଅନ୍ୟପକ୍ଷରେ ଏହି ପାଇପ ଦେଇ ପାନୀୟ ଜଳ ଯୋଗାଣ ହେଉଥିବା ବେଳେ ଏହି ପାଇପ୍ ନର୍ଦ୍ଦମା ଭିତର ଦେଇ ଯାଉଥିବାରୁ ଏହି ପାଣିର ବିଶୁଦ୍ଧତାକୁ ନେଇ ଏବେ ସଂଦେହ ସୃଷ୍ଟି ହେଉଛି। ନର୍ଦ୍ଦମା ଭିତରେ ଅତି ବିପଦଜନକ ଭାବରେ ପାଇପ୍ ଗୁଡ଼ିକ ଥିବାରୁ ପାନୀୟ ଜଳ ପ୍ରଦୂଷଣ ହେବାର ଯଥେଷ୍ଟ ଆଶଙ୍କା ରହିଛି।
