
କେନ୍ଦ୍ରାପଡ଼ା ତା ୩୦/୫- ଶୁକ୍ରବାର ଅପରାହ୍ନରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ କୋରୋ ସ୍ଥିତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସତୀର୍ଥର ମିଳିତ ଆନୁକୂଲ୍ୟରେ କଳା ନିକେତନର ଅକ୍ଷୟ ମହାନ୍ତି କକ୍ଷରେ ଗଣକବି ଗୋପାଳ ଦାଶଙ୍କ ପୁଣ୍ୟ ୧୪୯ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଡ. କଳ୍ପନା ମଲ୍ଲିକ ମୁଖ୍ୟ ଅତିଥି, ପଣ୍ଡିତ ପଦ୍ମନାଭ ଦାଶ ମୁଖ୍ୟ ବକ୍ତା, ଅନ୍ୟତମ ଆୟୋଜକ କବି ମନ୍ମଥ ନାଥ ବରାଳ ବିଶିଷ୍ଟ ଅତିଥି, କବି ଅମର ପ୍ରସାଦ ରାଉତ ସମ୍ମାନୀତ ଅତିଥି ଭାବରେ ଯୋଗଦାନ ପୂର୍ବକ ଗଣକବି ଗୋପାଳ ଦାଶଙ୍କ କାଳଜୟୀ ସୃଷ୍ଟି ସମ୍ଭାର ସଂପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ। ମନ୍ମଥ ବରାଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିମଳ ପରିଡା ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଗଣକବିଙ୍କୁ ଏକାଧାରରେ କବି, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ଗାୟକ, ସଙ୍ଗୀତ ନିର୍ଦ୍ଦେଶକ, ସୁସଙ୍ଗଠକ ଏବଂ ଅନେକ ଗୀତାଭିନୟର ପ୍ରଥିତଯଶା ସ୍ରଷ୍ଟା ଭାବେ ଅଭିହିତ କରିଥିଲେ। ପ୍ରବକ୍ତା କୈଳାସ ରାଉତ ଗଣକବିଙ୍କ କାଳଜୟୀ ସୃଷ୍ଟି ସମ୍ପର୍କରେ ଆଲୋକପାତ କରିଥିଲେ। କବି ଅମର ପ୍ରସାଦ ରାଉତ ଗୋପାଳ ଦାଶଙ୍କ ସ୍ମୃତି ଚାରଣ କରି ତାଙ୍କ ରଚିତ ସଙ୍ଗୀତ ଗାନ କରିଥିଲେ। କବି ଅଶୋକ ସାହୁ, କବୀ ବିଷ୍ଣୁପ୍ରିୟା ସାମଲ, କବି ରଞ୍ଜନ ୍ୱାଇ, କବି ଗଗନ ବିହାରୀ ଜେନା, ଶଙ୍କର୍ଷଣ ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି କବିତା ପାଠ କରିଥିଲେ। କଣ୍ଠଶିଳ୍ପୀ ରଶ୍ମୀତା ସୂତାର ଏବଂ ଅର୍ଚ୍ଚନା ପରିଡା, ଅଙ୍କିତା ପରିଡା, ଭାଗ୍ୟଲକ୍ଷ୍ମୀ ପରିଡା ସ୍ମୃତି ସଙ୍ଗୀତ ଗାଇଥିଲେ। ଆରମ୍ଭରେ ଲୋକକବି ଭାବଗ୍ରାହୀ ପରିଡା, କବି ପତ୍ନୀ ସରୋଜିନୀ ପରିଡା, ଚିର ସବୁଜ ଅକ୍ଷୟ ମହାନ୍ତି, ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତୀ ଏବଂ ଗଣକବିଙ୍କ ଫଟୋ ଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ କଲାପରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟକାର ଭୀମସେନ ପ୍ରଧାନ, କଣ୍ଠଶିଳ୍ପୀ ରାଜକିଶୋର ଜେନା, ବିକ୍ରମ କେଶରୀ ସାମଲ, ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା ଏବଂ ପ୍ରଭାତ ବେହେରା ଉପସ୍ଥିତ ଥିଲେ। ଶେଷରେ ସତୀର୍ଥର କୋଷାଧ୍ୟକ୍ଷ ଭାଗବତ ଷଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
