
ପଟ୍ଟାମୁଣ୍ଡାଇ ତା୮/୧ – ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଦାଣ୍ଡିସାହି ପିଏମ ଶ୍ରୀ ଜୟହିନ୍ଦ ହାଇସ୍କୁଲରେ ଗତକାଲି ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ପୂର୍ବତନମନ୍ତୀ ତଥା କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ଯେ, ସବୁ ପିଲା ପାଠ ପଢି ଆଇଏଏସ, ଓଏଏସ, ଡାକ୍ତର, ଇଂଜିନିୟର ହେବେ ବୋଲି ଆଶା କରିବା ଠିକ୍ ନୁହେଁ । ଅଭିଭାବକ ମାନେ ପିଲାଙ୍କ ଅନ୍ତର୍ନିହିତ ଗୁଣକୁ ଚିହ୍ନି ସେମାନଙ୍କ ରୁଚିକୁ ଗୁରୁତ୍ଵ ଦେବା ଉଚିତ୍। ଏହାଦ୍ଵାରା ପିଲା ନିଜ ରୁଚି ଅନୁଯାୟୀ ସଫଳତା ହାସଲ କରିବ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷାଦାନ ସହିତ ପିଲାଙ୍କୁ ଆଦର୍ଶ ମଣିଷ ଭାବେ ଗଢି ତୋଳିବା ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଲକ୍ଷ୍ୟ ହେବା ଆବଶ୍ୟକ ବୋଲି କହିଥିଲେ ।୧୫ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ ମୁଖ୍ୟବକ୍ତା, ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅଧ୍ୟାକ୍ଷ ତଥା ପଞ୍ଚସଖା ସେତୁ ସଂଗଠନ ସଭାପତି ମାନସ ରଞ୍ଜନ ସାମଲ, ପେଣ୍ଠପାଳ ସରପଞ୍ଚ ଅନ୍ନପୂର୍ଣ୍ଣା ସେଠୀ, ସମିତି ସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳ ଓ ସ୍କୁଲ ପରିଚାଳନା କମିଟି ସଭାପତି ଅଲେଖ ମଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଗୁଣାତ୍ମକ ଶିକ୍ଷାର ପ୍ରଦାନ କରି ଉତ୍ତମ ଛାତ୍ରଛାତ୍ରୀ ତିଆରି କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ।ଏହି ଉତ୍ସଵରେ ଭିଜନ ୨୦୩୬, ସୃଜନୀ, କ୍ରୀଡ଼ାଙ୍ଗନା, କୌଶଳୀ, ଜିଜ୍ଞାସା ସହିତ ବୃତ୍ତିଗତ ବ୍ୟବସାୟ ଆଦି ୪ଟି ପ୍ରଦର୍ଶନୀକୁ ମୁଖ୍ୟଅତିଥି ଅନ୍ୟାନ୍ୟ ଅତିଥିଙ୍କ ଗହଣରେ ଉଦଘାଟନ କରିଥିଲେ। ବିଜୟଲକ୍ଷ୍ମୀ ଦାଶ ସ୍ୱାଗତ ଭାଷଣ ସହ ବିବରଣୀ ପାଠ କରିଥିଲେ। ପଣ୍ଡିତ ପ୍ରଭାତ କୁମାର ଆଚାର୍ଯ୍ୟ ଅତିଥିପରିଚୟ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀଛାତ୍ରଙ୍କୁ ଅତିଥିମାନେ କପ ଓ ମାନପତ୍ର ପ୍ରଦାନ କରିଥିଲେ।ଶେଷରେ ବିଶ୍ୱକଲ୍ୟାଣୀ ଓଝା ଧନ୍ୟବାଦ ଦେଇଥିଲେ।ସଭାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବକୁ ସହକାରୀ ଶିକ୍ଷକ ନିଶିକାନ୍ତ ନାୟକ, ରବୀନ୍ଦ୍ର କୁମାର ନନ୍ଦୀ କାମିନୀ ପାତ୍ର, ହରପ୍ରିୟା କର ପରିଚାଳନା କରିଥିବା ବେଳେ ଶୁଭଲକ୍ଷ୍ମୀ ଜେନା, ଉମାଶଙ୍କର ସାହୁ,ଜ୍ୟୋତି ସାଗର ସାହୁ କୁବେର କୁମାର ନାୟକ ଦେବ ପ୍ରସାଦ ସ୍ୱାଇଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
