
କେନ୍ଦ୍ରାପଡ଼ା,୧୬ା୪: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଡ. ସଞ୍ଜୀବ କୁମାର ମହାନ୍ତି ଅଧ୍ୟକ୍ଷ ଭାବରେ ଯୋଗଦେବା ପରେ ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ ଫେରି ଆସିଥିବା ଦେଖିବାକୁ ମିଳିଛି। ଏହି ମହାବିଦ୍ୟାଳୟର କେହି ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ସାମଗ୍ରୀକ ବିକାଶରେ ଅନ୍ତରାୟ ସୃଷ୍ଟି ହୋଇଥିଲା। କାରଣ ଅତିରିକ୍ତ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଅଧ୍ୟକ୍ଷ କୈାଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରୁ ନଥିଲେ। କିନ୍ତୁ ଡ. ମହାନ୍ତି କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ତାଙ୍କର ନିଷ୍ଠା ଓ ଦକ୍ଷତା ବଳରେ ବିଗତ ୪ବର୍ଷ ଧରି ଏହି ମହାବିଦ୍ୟାଳୟରେ ହଜିଯାଇଥିବା ଶୈକ୍ଷିକ ବାତାବରଣ ପୂନର୍ବାର ଫେରିଆସିଛି। ଅଧ୍ୟକ୍ଷ ପ୍ରଫେସରେ ଡ. ମହାନ୍ତି ପ୍ରତ୍ୟେକ ଦିନ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଶ୍ରେଣୀକକ୍ଷକୁ ପାଠପଢା ସମୟରେ ପରିଦର୍ଶନ କରୁଛନ୍ତି। ଫଳରେ ଅଧ୍ୟାପକମାନେ ଠିକ ସମୟରେ ଆସି ଶିକ୍ଷାଦାନ କରିବାକୁ ବାଧ୍ୟ ହୋଇଛନ୍ତି। ଅଧ୍ୟକ୍ଷ ଡ. ମହାନ୍ତି ପ୍ରତ୍ୟେକ ଦିନ ସକାଳ ୬ଟାରୁ ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହ ସଂପୃକ୍ତ ବିଭାଗର ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝି ସେସବୁ ସମସ୍ୟାର ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାକୁ ନେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, କର୍ମଚାରୀ ଓ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ନୂତନ ଅଧ୍ୟକ୍ଷ ମହାବିଦ୍ୟାଳୟ ପରିସରରେ ଥିବା ଅଧ୍ୟକ୍ଷଙ୍କ କ୍ୱାର୍ଟର୍ସରେ ରହୁଥିବାରୁ କଲେଜ ପ୍ରଶାସନ ସକ୍ରୀୟ ହୋଇ ଉଠିଛି। ଏଥିସହିତ ଅଧ୍ୟକ୍ଷ ଡ. ମହାନ୍ତି ଛାତ୍ରାବାସ ଓ ଛାତ୍ରୀନିବାସକୁ ପରିଦର୍ଶନରେ ଯାଇ ସେମାନଙ୍କ ସମସ୍ୟା ସମ୍ପର୍କରେ ବୁଝିବା ସହ ପରିଛନ୍ନତା ଓ ସୁସ୍ଥ ପରିବେଶ ଉପରେ ଗୁରୁତ୍ୱାରୋପ କରିଥିବା ଜଣାପଡିଛି। ଫଳରେ କଲେଜ ପରିସରରେ ଶୈକ୍ଷିକ ପରିବେଶର ଉନ୍ନତି ହେବା ସହ ସୁସ୍ଥ ପରିବେଶ ପରିଛନ୍ନତା ଓ ଶୃଙ୍ଖଳା ରକ୍ଷା ହୋଇପାରିଥିବାରୁ ଶିକ୍ଷାନୁଷ୍ଠାନର ପୁରୁଣା ହୃତଗୈାରବ ବୃଦ୍ଧି ପାଇ ଜନସାଧାରଣଙ୍କ ବିଶ୍ୱାସ ଦୃଢୀଭୂତ ହୋଇପାରିଛି।
