ଅଘୋଷିତ ବିଦ୍ୟୁତ କାଟ, ପ୍ରବଳ ତାତିରେ ଲୋକେ ଛଟପଟ

blank
କେନ୍ଦ୍ରାପଡ଼ା,୧୪ା୫: କେନ୍ଦ୍ରାପଡ଼ାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଲୋକମାନେ ନାହିଁନଥିବା ସମସ୍ୟାରେ ସମ୍ମୁଖୀନ ହେଉଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ସେମାନଙ୍କ ସମସ୍ୟାକୁ ଆହୁରି ଅଧିକ ବଢାଇ ଦେଇଛି। ବିଶେଷତଃ କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନ ଅଧିନ ୨ନମ୍ବର ସେକ୍ସନର ଭରତପୁର, ମେହେନ୍ଦିପୁର, ଖଣ୍ଡିଆବନ୍ଧ, ପାରାଚକ,ଦିଆନପାଟଣା, ଜଗନ୍ନାଥପୁର, କନ୍ତିଆ ପ୍ରଭୃତି ଅଞ୍ଚଳରେ ଦୈନିକ ବିଭିନ୍ନ ସମୟରେ ୧୦ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଅଘୋଷିତ ବିଦ୍ୟୁତ କାଟ ହେଉଛି। ଦୈନିକ ସକାଳ ୮ଟାରୁ ୧୧ଟା, ଅପରାହ୍ନ ୧ଟାରୁ ସାଢେ ତିନିଟା, ସନ୍ଧ୍ୟା ୭ଟାରୁ ରାତି ୧୦ଟା ଓ ରାତି ୧୨ଟାରୁ ଦୁଇଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେଉଛି। ଏନେଇ ପୂର୍ବରୁ କୈାଣସି ସୂଚନା ଦିଆଯାଉନାହିଁ ବୋଲି ବିଭିନ୍ନ ଗ୍ରାମର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଭରତପୁର ଗ୍ରାମର ସଞ୍ଜୟ କୁମାର ଦାସ କହିଛନ୍ତି ଅଘୋଷିତ ବିଦ୍ୟୁତ କାଟ ଦ୍ୱାରା ଲୋକେ ଛଟପଟ ହେଉଛନ୍ତି। ବିଶେଷକରି ଘରେ ଚିକିତ୍ସାଧିନ ଅବସ୍ଥାରେ ଥିବା ରୋଗୀ ଓ ବରିଷ୍ଠ ନାଗରିକ ବିଦ୍ୟୁତ କାଟ ଦ୍ୱାରା ଛଟପଟ ହେଉଛନ୍ତି। ସେହିପରି ନବଜାତକ ଓ ଶିଶୁମାନଙ୍କ ଅବସ୍ଥା ନକହିଲେ ଭଲ। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ବିଦ୍ୟୁତ କାଟ ହେବା ଦ୍ୱାରା ସେମାନେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଖଣ୍ଡିଆବନ୍ଧ ଗ୍ରାମର ବୁଦ୍ଧିଜୀବି ଶ୍ରୀଧର ସାମଲ କହିଛନ୍ତି ଯଦି ବିଦ୍ୟୁତ କାଟ ହେବ ସେ ନେଇ ବିଭାଗ ପକ୍ଷରୁ ବିଜ୍ଞାପନ ମାଧ୍ୟମରେ କିମ୍ବା ଡାକବାଜି ଯନ୍ତ୍ର ସାହାଯ୍ୟରେ ପୂର୍ବରୁ ସୂଚନା ଦେବା ଉଚିତ। ଏହାଦ୍ୱାରା ଲୋକମାନେ ପୂର୍ବରୁ ପ୍ରସ୍ତୁତ ହୋଇ ରହିବେ। ଲୋକେ ବିଦ୍ୟୁତ କାଟ ହେବା ଜାଣିଲେ ବିକଳ୍ପ ବ୍ୟବସ୍ଥା କରିପାରିବେ। କିନ୍ତୁ ଅଘରୋଷିତ ଭାବେ ବିଦ୍ୟୁତ କାଟ ହେଉଥିବାରୁ ଲୋକେ ପ୍ରାକ୍ ସୂଚନା ପାଉନାହାନ୍ତି କି ସଠିକ ସମୟରେ ଏହାର ବିକଳ୍ପ ବ୍ୟବସ୍ଥା କରିପାରୁନାହାନ୍ତି। ଫଳରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବା ଛଡା ଅନ୍ୟ ପନ୍ଥା ରହୁନାହିଁ ବୋଲି ସେ କହିଛନ୍ତି। ଏହିସବୁ ଅଞ୍ଚଳର ଲୋକମାନେ ପ୍ରବଳ ଗ୍ରୀଷ୍ମ ପ୍ରବାହ ତାତିରେ ଛଟପଟ ହେଉଛନ୍ତି। ବିଦ୍ୟୁତ ଉପଭୋକ୍ତାମାନେ ବିଭାଗକୁ ବାରମ୍ବାର ଏସମ୍ପର୍କରେ ଅବଗତ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୈାଣସି ସୁଫଳ ମିଳିପାରିନାହିଁ। ଏଭଳି ଘଟଣା ସେହି ଅଞ୍ଚଳରେ ବାରମ୍ବାର ଘଟୁଥିବା ଅଭିଯୋଗ ହୋଇଆସୁଥିଲେ ମଧ୍ୟ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ସେଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ବିଦ୍ୟୁତ ବିଭାଗ (ଟିପିସିଓଡିଏଲ) ପକ୍ଷରୁ ଗ୍ରାମାଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଏଭଳି ଅଘୋଷିତ ବିଦ୍ୟୁତ କାଟକୁ ନେଇ ଉପଭୋକ୍ତାମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ବିଦ୍ୟୁତ ବିଭାଗକୁ ଚେତାବନୀ ଦେଇଛନ୍ତି। ଏସଂକ୍ରାନ୍ତରେ କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନ(ଟିପିସିଓଡିଏଲ)ର ସହକାରୀ ସାଧାରଣ ପରିଚାଳକ ପ୍ରତାପ କୁମାର ସ୍ୱାଇଁଙ୍କୁ ପଚାରିବାରେ ସେ କୁହନ୍ତି ଯେ ଅଘୋଷିତ ବିଦ୍ୟୁତକାଟ ହେଉନାହିଁ। କେଉଁ କେଉଁ ସ୍ଥାନରେ ଆବଶ୍ୟକ ମରାମତି ପାଇଁ ଏଭଳି ସମସ୍ୟା ହେଉଛି।

Next Post

ଜିଲ୍ଲା କଂଗ୍ରେସର ବୀର ଜବାନଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି

Thu May 15 , 2025
କେନ୍ଦ୍ରାପଡ଼ା,୧୫ା୫ : ଭାରତ ପାକ୍ ଯୁଦ୍ଧରେ ଅସୀମ ବୀରତ୍ୱ ଓ ଦେଶଭକ୍ତିର ପରାକାଷ୍ଠା ଦେଖାଇ ସହୀଦ ହୋଇଥିବା ବୀର ଜବାନଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି। ଏହି ଉପଲକ୍ଷେ କେନ୍ଦ୍ରାପଡା ସହରର କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ନେତୃତ୍ୱରେ କଂଗ୍ରେସ ଦଳର ନେତା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading