
ପଟ୍ଟାମୁଣ୍ଡାଇ ତା ୧୯/୭- ଚଳିତ ପ୍ରଳୟଙ୍କରୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି ପଂଚାୟତ ଓ ପୌରାଞ୍ଚଳର ୯ଟି ୱାର୍ଡ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି । ବନ୍ୟାର ଭୟାବହତା ଓ ପ୍ରକୃତ ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦେଶରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି ବନ୍ୟା ବିପନ୍ନ ଧୋୟା ଞ୍ଚଳର ବିଭିନ୍ନ ପଂଚାୟତ ଗସ୍ତ କରି ସ୍ଥିତି ଆକଳନ କରିବା ସହିତ ବିପନ୍ନ ଲୋକମାନଙ୍କ ସହିତ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ପି ଡିଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବିଡ଼ିଓ ଅଶୋକ ମହାନ୍ତି, ବ୍ଲକ ସହକାରୀ ଯନ୍ତ୍ରୀ ପ୍ରସନ୍ନ ରାଉତ ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ବନ୍ୟା ବିପନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ତେବେ ବିପନ୍ନ ଲୋକମାନେ ପାଣି ଘେରରେ ଥିବାବେଳେ ଗୃହ ପାଳିତ ପଶୁ ମାନଙ୍କ ଅବସ୍ଥା ବେହାଲ ହୋଇ ପଡିଛି । ଚାଷଜମିକୁ ଚାରିବାକୁ ଯାଇ ନପାରି ପଶୁମାନେ ଉପାସ ରହୁଛନ୍ତି । ବନ୍ୟା ସ୍ଥିତି ସମ୍ପର୍କରେ ପି ଡିଙ୍କ ରିପୋର୍ଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳ ପାଇଁ ୧୦୪୫ କ୍ୟୁଣ୍ଟାଲ ଗୋ ଖାଦ୍ୟ ମଂଜୁର କରାଯାଇଛି । ସେଥି ମଧ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ ପାଇଁ ୮୭୯କ୍ୟୁଣ୍ଟାଲ ଓ ପୌରାଞ୍ଚଳ ପାଇଁ ୧୬୬କ୍ୟୁଣ୍ଟାଲ ଗୋଖାଦ୍ୟ ମଂଜୁର କରାଯାଇଛି । ଗୋ ଖାଦ୍ୟ ବଣ୍ଟନ ଆରମ୍ଭ ହୋଇଛି । ବ୍ଲକର ବିଭିନ୍ନ ପଂଚାୟତ ଓ ପୌରାଞ୍ଚଳର ବିଭିନ୍ନ ୱାର୍ଡ ସ୍ଥିତି ଦେଖି ପର୍ଯ୍ୟାୟକ୍ରମେ ଗୋଖାଦ୍ୟ ବଣ୍ଟନ କରାଯିବ ବିଡ଼ିଓ ଅଶୋକ ମହାନ୍ତି ଓ ପୌର ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
