
କେନ୍ଦ୍ରାପଡ଼ା,୬ା୫:କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜଣେ ବ୍ୟକ୍ତିଙ୍କ ବାଇକ ଡିକିରୁ ୪ ଲକ୍ଷ ୫୩ ହଜାର ଟଙ୍କା ଲୁଟ୍ ହୋଇଛି। ଲୁଟ୍ର ଶିକାର ହୋଇଛନ୍ତି ଏକ ସିମେଣ୍ଟ ଗୋଦାମର ମ୍ୟାନେଜର ଭାବଗ୍ରାହୀ ସାହୁ। ଲୁଟ୍ ହେବା ପରେ ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ଟାଉନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏହାସହ ଏସ୍ଡିପିଓ ଜ୍ୟୋତିରଞ୍ଜନ ଗୌଡ଼ ଓ ଟାଉନ୍ ଥାନା ଇନ୍ସପେକ୍ଟର ଦିଲ୍ଲୀପ ସାହୁ ଘଟଣା ସ୍ଥଳରେ ପହଞ୍ଚି ଦନ୍ତ ଆରମ୍ଭ କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଯୋଗାଣ ବିଭାଗର ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜରୁ ଜଣାପଡୁଛି ଯେ ଭାବଗ୍ରାହୀଙ୍କୁ ଅନୁସରଣ କରି ଏକ ବାଇକରେ ଦୁଇଜଣ ଲୁଟିଆ ଏକ ବାଇକରେ ଆସୁଛନ୍ତି। ଜଣେ ବାଇକ ଷ୍ଟାର୍ଟ କରି ରହୁଛନ୍ତି। ଅନ୍ୟ ଜଣେ ଲୁଟିଆ ଭାବଗ୍ରାହୀଙ୍କ ବାଇକ ନିକଟକୁ ଆସି ଡିକି ଭାଙ୍ଗି ଟଙ୍କା ଲୁଟି ନେଇ ବାଇକରେ ଫେରାର ହୋଇଯାଉଛି। ସିସିଟିଭି ଫୁଟେଜରୁ ଲୁଟିଆ ଦ୍ୱୟଙ୍କୁ ପୋଲିସ ଚିହ୍ନଟ କରିଛି। ହେଲେ ଲୁଟିଆଦ୍ୱୟକୁ ଧରିବାରେ ପୋଲିସ ସକ୍ଷମ ହୋଇନାହିଁ। ଖବର ନେବାରୁ ଜଣାପଡିଛି ଭାବଗ୍ରାହୀ ଦୁହୁରିଆଠାରେ ଥିବା ଏକ ସିମେଣ୍ଟ ଗୋଦାମରେ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି। ସେ ଆଇନ୍ ମହାବିଦ୍ୟାଳୟର ଛକ ଠାରେ ଥିବା ଷ୍ଟେଟ୍ ବ୍ୟାଙ୍କ ଶାଖାରୁ ୪ ଲକ୍ଷ ୫୩ ହଜାର ୯୦୦ ଟଙ୍କା ଉଠାଇଥିଲେ। ଏହି ଟଙ୍କାକୁ ବାଇକରେ ରଖି ସେ କୌଣସି କାର୍ଯ୍ୟରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଯୋଗାଣ ବିଭାଗ କାର୍ଯ୍ୟାଳୟ ମଧ୍ୟକୁ ଯାଇଥିଲେ। ସେଠାରୁ କାମ ସାରି ଫେରିବା ବେଳକୁ ଦେଖନ୍ତି ତ ତାଙ୍କ ଡିକତ ଭଙ୍ଗାଯାଇ ଟଙ୍କା ଲୁଟ୍ ହୋଇଛି। ଏହାପରେ ସେ ଟାଉନ୍ ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଟାଉନ୍ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ କହିଛନ୍ତି ଲୁଟ୍ ସଂକ୍ରାନ୍ତରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ ହୋଇଛି। ଆମେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛୁ। ତଦନ୍ତ କାଳରେ ସିସିଟିଭି ଫୁଟେଜ ଯାଞ୍ଚ ହୋଇଛି। ସିସିଟିଭିରୁ ସ୍ପଷ୍ଟ ଚିତ୍ର ମିଳିପାରୁନାହିଁ। ତେଣୁ ଅନ୍ୟ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବୁ। ଲୁଟିଆଦ୍ୱୟଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ ହୋଇଛି। ଖୁବଶୀଘ୍ର ଲୁଟିଆ ଦ୍ୱୟ ଗିରଫ ହେବେ ବୋଲି ସେ କହିଛନ୍ତି। ଯେଉଁ ସ୍ଥାନରୁ ଲୁ୍ଟ୍ ହୋଇଛି ସେହି ସ୍ଥାନଟି ଏସ୍ଡିପିଓଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୧୦ ହାତ ଦୂର। ତେଣୁ ଲୁଟିଆମାନେ ଜିଲାପାଳ ଓ ଏସ୍ଡିପିଓଙ୍କୁ ଖୋଲା ଚାଲେଞ୍ଜ ଦେଇ ଏଭଳି ଲୁଟ୍ କରିଥିବା ଚର୍ଚ୍ଚା ହେଉଛି।
