
କେନ୍ଦ୍ରାପଡ଼ା,୧୫ା୪: ଗୁଜୁରାଟରକୁ ଦାଦନ ଖଟିବାକୁ ଯାଇଥିବା କେନ୍ଦ୍ରାପଡା ସଦର ଥାନା ପୁରୁଷୋତ୍ତମପୁର ପଂଚାୟତର ସନ୍ନ୍ୟାସପୁର ଗାଁର ଜଣେ ୪୨ବର୍ଷୀୟ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ତ୍ରିଲେଖ ବେହେରା(୪୨)। ସେ ସୁରଟର ଏକ ଲୁଗା କାରଖାନାରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜୀବନ ଚାଲିଯାଇଛିି। ଏହି ଖବର ପାଇବା ପରେ ସ୍ତ୍ରୀ ଓ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। କାନ୍ଦ ବୋବାଳିରେ ଘର ଫାଟିପଡୁଥିବା ବେଳେ ଗାଁରେ ଶୋକକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
କେନ୍ଦ୍ରାପଡା ସଦର ଥାନା ସନ୍ନ୍ୟାସପୁର ଗାଁର ତ୍ରିଲେଖ ଦୀର୍ଘ ୨୬ ବର୍ଷ ଧରି ସୁରଟର ଲୁଗା ତିଆରି କାରଖାନାରେ କାମ କରିଆସୁଥିଲେ। ୧୪ ତାରିଖ ରାତିରେ କାରଖାନାରେ କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା କୁହାଯାଉଛି। କିନ୍ତୁ ଏହି ଘଟଣାକୁ ସମ୍ପୃକ୍ତ କାରଖାନାର ମାଲିକ ଚାପି ଦେବାକୁ ଚେଷ୍ଠା କରୁଥିବା ବେଳେ ଓଡିଆ ଶ୍ରମିକମାନେ ଏହାର ପ୍ରତିବାଦ କରିଥିଲେ । କାରଖାନାରେ ଶବ ରଖି ଶ୍ରମିକମାନେ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। କେବଳ ସେତିକି ନୁହେଁ ତ୍ରିଲେଖଙ୍କ ଶବ ତାଙ୍କ ଗ୍ରାମରେ ପହଁଚାଇବାର ବ୍ୟବସ୍ଥା କରିବାକୁ ମଧ୍ୟ ଦାବି କରିଛନ୍ତି।
ଏପଟରେ ତ୍ରିଲେଖଙ୍କ ବାପା ଚୈତନ୍ୟ ବେହେରାଙ୍କର ଗତ ବର୍ଷ ମୃତ୍ୟୁ ହୋଇଯାଇଥିଲା। ବୁଢ଼ି ମା’ ମଞ୍ଜୁଲତା କର୍କଟ ରୋଗରେ ପୀଡିତା ହୋଇଥିବା ବେଳେ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସେପରି ଭଲ ନାହିଁ। ତ୍ରିଲେଖଙ୍କର ୧୦ ବର୍ଷ ଏବଂ ୩ ବର୍ଷର ଦୁଇଟି ଝିଅ ଅଛନ୍ତି। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଗତ ମାର୍ଚ୍ଚ ମାସରେ ଗାଁରେ ବାପାଙ୍କ ବର୍ଷିକିଆ କାମ ସାରି ସେ ସୁରଟ ଫେରି ଯାଇଥିଲେ। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ଦେହାନ୍ତ ପରେ ଏବେ ପରିବାର ଚଳିବ କେମିତି ସେ ନେଇ ଚିନ୍ତାରେ ପଡିଯାଇଛନ୍ତି ତାଙ୍କ ପତ୍ନୀ। କୁନିକୁନି ଦୁଇ ଝିଅ, ବିଧବା ପତ୍ନୀ ଓ ବୃଦ୍ଧା ମା’ ମୁହଁରେ ଦାନା ମୁଠେ ଦେବା ପାଇଁ କେହି ନାହିଁ। ସେପଟେ ରୋଜଗାରିଆ ପୁଅର ଅଚାନକ ମୃତ୍ୟୁ ଖବରକୁ ନେଇ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ପୁଅର ମୃତଦେହ ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକେ।ଏହି ଘଟଣାରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ତ୍ରିଲେଖଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ସହ ତାଙ୍କ ମରଶରୀରକୁ ଗ୍ରାମକୁ ଫେରାଇ ଆଣିବାକୁ ଆବଶ୍ୟକ ବ୍ୟବସ୍ଥା କରିବାକୁ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି।
