
ପଟ୍ଟାମୁଣ୍ଡାଇ ୧୯/୭ – କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳ ଅନ୍ତର୍ଗତ ବ୍ରାହ୍ମଣୀ ନଦୀରେ ବନ୍ୟା ଯୋଗୁ ବ୍ୟାପକ ଅଂଚଳ ଜଳମଗ୍ନ ହୋଇଛି। ୧୦ ଟି ପଂଚାୟତ ଓ ପୌରାଂଚଳର ୯ଟି ୱାର୍ଡ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି । ସାଧାରଣ ଲୋକେ ଓ ଗୃଷପାଳିତ ପ୍ରାଣୀ ଉଚ୍ଚ ସ୍ଥାନକୁ ଚାଲି ଯାଇଛନ୍ତି। ମାତ୍ର ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ ସମସ୍ତ ବିପନ୍ନଙ୍କୁ ରିଲିଫ, ପଲିଥିନ, ଔଷଧ ଓ ଗୋଖାଦ୍ୟ ଯୋଗାଇ ଦିଆଯାଇନଥିଲା। ମାତ୍ର କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁ ବନ୍ୟା ଅଂଚଳକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ତୁରନ୍ତ ବିପନ୍ନ ଲୋକମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକ ବେହେରା ଜିଲ୍ଲାପାଳ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଯୋଗାଯୋଗ କରିଥିଲେ । ପ୍ରତିଶୃତି ଅନୁଯାଇ ଶନିବାର ପ୍ରଶାସନ ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳ ପାଇଁ ୧୦୪୫ କ୍ୟୁଟାଂଲ ଗୋ ଖାଦ୍ୟ ମଂଜୁର କରାଯାଇ ମଧ୍ୟାହ୍ନରେ ଯୋଗାଇ ଦିଆଯାଇଛି ।

ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ଧିରେଧିରେ କମିବାରେ ଲାଗିଛି ଶନିବାର ଅଳଭା ନିକଟରେ ଜଳସ୍ତର ପାଖାପାଖି ୧୭ ଫୁଟ ରହିଛି । ଚଳିତ ପ୍ରଳୟଙ୍କରୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗାଁ, ଅଳପୁଆ, ତରଡ଼ିପାଳ, ପେଣ୍ଠପାଳ. ଅଣ୍ଢରା, ଅମୃତମଣୋହି, ବଲୁରିଆ, ନୀଳକଣ୍ଠପୁର, ଶ୍ରୀରାମପୁର, ବାଲିପାଟଣା, ବାଛରା, ବଳଭଦ୍ରପୁର, ଡାମରପୁର ଆଦି ପଂଚାୟତର ବିଭିନ୍ନ ଗ୍ରାମରେ ବନ୍ୟା ଜଳ ପାଣି ବହୁଥିବାରୁ ଲୋକେ ନିତ୍ୟ ବେବହାର୍ଯ୍ୟ ଜିନିଷ ସଂଗ୍ରହ କରିବାକୁ ସକ୍ଷମ ହେଉନାହାନ୍ତି। କେତେକ ପଡାଗ୍ରାମରେ ନଳକୂପ ବନ୍ୟାରେ ବୁଡ଼ିଥିବାରୁ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ବନ୍ୟା ବିପନ୍ନ ଲୋକମାନେ ପାଣି ଘେରରେ ଥିବାବେଳେ ଗୃହ ପାଳିତ ପଶୁ ମାନଙ୍କ ଅବସ୍ଥା ବେହାଲ ହୋଇ ପଡିଛି । ଚାଷଜମିକୁ ଚାରିବାକୁ ଯାଇ ନପାରି ପଶୁମାନେ ରାସ୍ତାରେ ଉପାସ ରହୁଛନ୍ତି । ସେହିପରି ପଟ୍ଟାମୁଣ୍ଡାଇ ପୌରାଂଚଳର ନନ୍ଦିନୀନଗର, ତଳବାଲିପଡ଼ା, ବଳଦେବନଗର, ସିଦ୍ଧପାଟଣା,କଷଣଅଂଟା, ବାଲିପଡ଼ା, ନୂଆଗାଁ କଉଡ଼ିପଲ୍ଲୀ ବନ୍ୟା ବିପନ୍ନ ଲୋକମାନେ ଜଳବନ୍ଦିରେ ଅଛନ୍ତି । ଘର ଭିତରେ ବନ୍ୟା ଜଳ ଭରି ରହିଛି। ଏଥିଯୋଗୁ ଅଧିକାଂଶ କଚ୍ଚା ଘର ଭାଙ୍ଗି ଗଲାଣି ଲୋକେ ଅଭିଯୋଗ କରୁଛନ୍ତି । କେତେଜଣ ଲୋକ ରାସ୍ତା ଉପର ଏବଂ ସୁରକ୍ଷିତ ଥିବା କୋଠାରେ ଆଶ୍ରୟ ନେଇଛନ୍ତି। ଅନ୍ୟପକ୍ଷରେ ସରକାରୀ ରିଲିଫ ପହଁଂଚି ନ ଥିବାରୁ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ଗୋରୁ ବାହାରେ ଭୋକିଲା ବୁଲୁଛନ୍ତି। ଗତକାଲି ବିଧାୟକ ବେହେରା ଓ ସାହୁ ବନ୍ୟାଂଚଳ ପରିଦର୍ଶନ କରି ବିପନ୍ନ ଲୋକମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବା ସହ ତୁରନ୍ତ ଗୋଖାଦ୍ୟ ଯୋଗାଇ ଦେବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଯୋଗାଯୋଗ କରିବାରୁ ଶନିବାର ୧୦୪୫ କୁଂଟାଲ ଗୋ ଖାଦ୍ୟ ମଂଜୁର କରାଯାଇଛି । ସେଥି ମଧ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ ପାଇଁ ୮୭୯କ୍ୟୁଟାଲ ଓ ପୌରାଂଚଳ ପାଇଁ ୧୬୬କ୍ୟୁଟାଲ ଗୋଖାଦ୍ୟ ମଂଜୁର କରାଯାଇଛି । ଗୋ ଖାଦ୍ୟ ବନ ଆରମ୍ଭ ହୋଇଛି । ବ୍ଲକର ବିଭିନ୍ନ ପଂଚାୟତ ଓ ପୌରାଂଚଳର ବିଭିନ୍ନ ୱାର୍ଡ ସ୍ଥିତି ଦେଖି ପର୍ଯ୍ୟାୟକ୍ରମେ ଗୋଖାଦ୍ୟ ବଂଟନ କରାଯିବ ବୋଲି ବିଡ଼ିଓ ଅଶୋକ ମହାନ୍ତି ଓ ପୌର ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
