
ପଟ୍ଟାମୁଣ୍ଡାଇ ୧୯/୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ନିକଟସ୍ଥ ଖଡିଅଂଟା ଗ୍ରାମରେ ଶ୍ରୀ ଶ୍ରୀ କପିଳେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ହୋମଯଜ୍ଞ ଉତ୍ସବ ମହାସମାରୋହରେ ବୁଧବାର ଶୁଭଆରମ୍ଭ ହୋଇଛି। ଏହି ଉପଲକ୍ଷେ ବୁଧବାର ପ୍ରତ୍ୟଷରୁ ଗ୍ରାମର ମହିଳା ଓ ପୁରୁଷ କଳସ ଶୋଭାଯାତ୍ରା ଯାଇ ପବିତ୍ର ଗୋବରୀ ନଦୀର କଳିଙ୍ଗା ଘାଟରୁ ଶୁଦ୍ଧ ଜଳ ଅଣାଯାଇ ମନ୍ଦିର ନିକଟସ୍ଥ ଯଜ୍ଞ ଗୃହରେ ଘଟ ସ୍ଥାପନା କରିଥିଲେ। ଏହାପରେ, ଗୁରୁ ପୂଜା, ଧରିତ୍ରୀ ପୂଜା, ସୂର୍ଯ୍ୟପୂଜା, ଗୋପୂଜା. ଶାଲା ମାର୍ଜନା, ଶୌବନାମଗ୍ନୀ ସ୍ଥାପନ, ସ୍ତମ୍ଭ ତୋରଣ ପୂଜା, ଅଗ୍ନି ସ୍ଥାପନ ପରେ ଯଜ୍ଞ କାର୍ଯ୍ୟ ଶୁଭାରମ୍ଭ କରାଯାଇଛି । ପଣ୍ଡିତ ଦେବରାଜ ପାଢିଙ୍କ ତତ୍ୱବଧାନରେ ବହୁ ବିଦ୍ୱାନ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତଙ୍କ ମନ୍ତ୍ର ଧ୍ୱନି ଓ ହୋମ ଯଜ୍ଞ କାର୍ଯ୍ୟ ବୁଧବାର ସଂନ୍ଧ୍ୟାରୁ ଆରମ୍ଭ କରାଯାଇଛି । ଏହି ଯଜ୍ଞ ତିନିଦିନ ଧରି ଚାଲିବ । ପୂଜା ଅବସରରେ ଖଡିଅଂଟା ଗ୍ରାମବାସୀଙ୍କ ସହଯୋଗ ରହୁଥିବା ବେଳେ ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୂପ ପ୍ରବଚନ ତଥା ଭଜନ କୀର୍ତନ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯିବାକୁ ସ୍ଥିର କରାଯାଇଛି ।ଗ୍ରାମବାସୀ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଉପସ୍ଥିତ ରହିବା ସହ ପରିଚାଳନା କରିବାରେ ସହଯୋଗ କରିଥିବା ବେଳେ ଅଂଚଳବାସୀ ମାନଙ୍କ ଆର୍ଥିକ ସହାୟତାରେ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ହୋଇପାରିଛି ବୋଲି କମିଟି ପକ୍ଷରୁ ସୁଚନା ମିଳିଛି।
