
କେନ୍ଦ୍ରାପଡ଼ା ୧୨/୮- ଯୋଜନା ଭିତ୍ତୀକ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ଦାବିରେ ଶତାଧିକ ଶିକ୍ଷକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସଂଘର ସଭାପତି ଉଷାରାଣୀ ଦାସଙ୍କ ନେତୃତ୍ୱରେ କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀ (ଯୋଜନା ଭିତ୍ତୀକ)ମାନେ ଗରାପୁର ଛକରୁ ଏକ ବିରାଟ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପ୍ରତିବାଦ କରିଥିଲେ । ଏହାପରେ ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ମିଶ୍ରଙ୍କୁ ପ୍ରଦାନ କରିଥିଲେ ।
ଏହି ଦାବି ପତ୍ରରେ ଦର୍ଶାଇଛନ୍ତି ଯେ ରାଜ୍ୟର ସମସ୍ତ ବିଭାଗର କର୍ମଚାରୀ ନିୟମିତ ହେଉଥିବା ବେଳେ କେବଳ ଯୋଜନାଭିତ୍ତୀକ କନିଷ୍ଠ ଶିକ୍ଷକମାନେ ଏଥିରୁ ବଞ୍ôଚତ ହେଉଛନ୍ତି । ସେମାନେ ଯୋଜନାଭିତ୍ତୀକ ପରି ଗୋଟିଏ କୁପ୍ରଥାରେ ସଢୁଛନ୍ତି, ଯାହାକୁ କି ସରକାରଙ୍କ ଦ୍ୱାରା ଗଠିତ କମିଟିରେ ଥିବା ଅଧିକାରୀମାନେ ହୃଦବୋଧ କରିଥିଲେ। ସେଥି ପାଇଁ ରାଜ୍ୟସରକାର ଶିକ୍ଷା ବିଭାଗରେ ଏକ ଐତିହାସିକ ପରିବର୍ତ୍ତନ ଆଣିବା ନିମନ୍ତେ କମିଟି ଗତ ଅଗଷ୍ଟ ୨ ତାରିଖ ଚିଠା ନଂ – ୨୧୨୬୮ରେ କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀ (ଯୋଜନା ଭିତ୍ତୀକ)ମାନଙ୍କୁ ନିୟମିତ କରିବା, ଶିକ୍ଷା ବ୍ୟବସ୍ଥାରେ ଆରମ୍ଭରୁ ନିୟମିତ ନିଯୁକ୍ତି ଦେବା ୪୪,୦୦୦ ନୂତନ ଶିକ୍ଷକ ପଦବୀ ସୃଷ୍ଟି କରିବା ତତ୍ ସହିତ ପୁରୁଣା ଶିକ୍ଷକମାନଙ୍କର ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ଚାକିରୀ ସମୟ ଅବଧି ଭିତରେ ଗଣନା କରିବା ନିମନ୍ତେ ସୁପାରିଶ କରିଥିଲେ ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ଅନୁମୋଦନ କ୍ରମେ ଗଣଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ଜାରି କରିଥିଲେ। ସରକାରଙ୍କ ଏହି ପଦକ୍ଷେପ ଯୋଜନା ଭିତ୍ତୀକ ଶିକ୍ଷକମାନଙ୍କ ମଧ୍ୟରେ ନୂତନ ଆଶା ସୃଷ୍ଟି କରିଥିଲା । କିନ୍ତୁ ଗତ ଅଗଷ୍ଟ ୭ ତାରିଖରେ ବିଭାଗ ଏହି ଚିଠାକୁ ଉପଯୁକ୍ତ ସ୍ତରରେ ଅନୁମୋଦିତ ହୋଇନାହିଁ ବୋଲି ଦର୍ଶାଇ ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ପ୍ରାଥମିକ ଶିକ୍ଷାର ଏ ସୁପାରିଶକୁ ସରକାର ପ୍ରତ୍ୟାହାରକରିନେବା ସତରେ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି ସଭାପତି କହିଛନ୍ତି । ଏଥି ସହିତ ସେମାନେ ଆହୁରି କହିଛନ୍ତି ଯେ ଏହା ପ୍ରତ୍ୟେକଟି କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀଙ୍କର ସାମ୍ବିଧାନିକ ତଥା ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି। ପ୍ରସ୍ତାବଟିକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଏହାକୁ ପ୍ରତ୍ୟାହାର କରିନେବା ଆମ ଭାବାବେଗକୁ କୁଠାରାଘାତ କରିଛି। ଯେଉଁ ସୁପାରିଶ ଦ୍ୱାରା ଓଡ଼ିଶାର ଧ୍ୱଂସ ପାଇବାକୁ ବସିଥିବା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ନୂତନ ଦିଗଦର୍ଶନ ମିଳି ପାରିଥାଆନ୍ତା, କିନ୍ତୁ ତାହା ଏବେ ପ୍ରତ୍ୟାହୂତ। ଏଣୁ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କି ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା କରାଯାଇଥିବା ସୁପାରିଶକୁ ଆପଣ ସହୃଦୟତାର ସହ ଗ୍ରହଣ କରି ଆସନ୍ତା ଅଗଷ୍ଟ୧୭ ତାରିଖ ସୁଦ୍ଧା ନିୟାମକରେ ପରିଣତ କରନ୍ତୁ, ନଚେତ୍ ସେମାନେ ରାଜରାସ୍ତାରେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବେ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ଉପସଭାପତି ଅଶୋକ କୁମାର ନାଥ, କାର୍ଯ୍ୟକାରୀ ସଭାପତି ଚନ୍ଦ୍ର ଶେଖର ଦାସ, ସାଧାରଣ ସମ୍ପାଦକ ନବୀନ ପ୍ରଭାତ ଜେନା, ସହକାରୀ ସମ୍ପାଦକ ଅର୍ଚ୍ଚନା ଘଡାଇ, କୋଷାଧ୍ୟକ୍ଷ ରାଜେଶ କୁମାର ପଣ୍ଡା, ସହ କୋଷାଧ୍ୟକ୍ଷ ଶୁଭଶ୍ରୀ ପଟ୍ଟନାୟକ, ଗଣମାଧ୍ଯମ ସଂଯୋଜଜ ଜିତେନ୍ଦ୍ର ନାୟକଙ୍କ ସମେତ ଶତାଧିକ ଯୋଜନା ଭିତ୍ତୀକ କନିଷ୍ଠ ଶିକ୍ଷକମାନେ ଉପସ୍ଥିତ ଥିଲେ ।
