
ପଟ୍ଟାମୁଣ୍ଡାଇ ୧୪ା୯ – ପଟ୍ଟାମୁଣ୍ଡାଇ ବାଇପାସ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପୌରପାଳିକାର ବରିଷ୍ଠ କର୍ମଚାରୀ ଅକ୍ଷୟ ମଲ୍ଲିକ (୫୯)ଙ୍କର ଅକାଳ ବିୟୋଗ ଘଟିଛି। ଏହି ଦୁଃଖଦ ଘଟଣା ସମଗ୍ର ଅଂଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି।
ସୂଚନା ଯୋଗ୍ୟ ଯେ, ଅକ୍ଷୟ ନିଜର ଦୈନନ୍ଦିନ କାର୍ଯ୍ୟ ସାରି ସୋମବାର ସଂନ୍ଧ୍ୟାରେ ସାଇକେଲ ଯୋଗେ ପଟ୍ଟାମୁଣ୍ଡାଇ ରୁ ଘରକୁ ଫେରୁଥିଲେ। ଏହି ସମୟରେ ବାଇପାସ ନିକଟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋରିକ୍ସା ତାଙ୍କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ସେ ରାସ୍ତା ଉପରେ ପଡ଼ି ପ୍ରଚୁର ରକ୍ତସ୍ରାବ ସହ ଅତ୍ୟନ୍ତ ମୁମୂର୍ଷୁ ଅବସ୍ଥାକୁ ଚାଲିଆସିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରି ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଚିକିତ୍ସାଳୟରେ ପହଁଚି ମୃତଦେହକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।ଜଣେ ନିଷ୍ଠାପର ଓ କର୍ତବ୍ୟପରାୟଣ ପୌରକର୍ମଚାରୀଙ୍କର ଏଭଳି ଆକସ୍ମିକ ମୃତ୍ୟୁରେ ପୌରପାଳିକା କର୍ମଚାରୀ, ନେତୃବୃନ୍ଦ, ସ୍ଥାନୀୟ ଜନସାଧାରଣ ଓ ତାଙ୍କ ପରିବାରବର୍ଗ ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇପଡ଼ିଛନ୍ତି।
