କୁମ୍ଭୀର ଆତଙ୍କରେ ଥରହର ଧୋୟାଞ୍ଚଳ!
ଡ଼ଙ୍ଗା, ଗୋଖାଦ୍ୟ, କିରୋସିନ, ବ୍ଲିଚିଙ୍ଗ ଦାବୀ

ପଟ୍ଟାମୁଣ୍ଡାଇ ତା ୩୦/୭-ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବାରମ୍ବାର ଲଘୁଚାପ ଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ଓ ପୌରାଞ୍ଚଳର ୧୧ଟି ୱାର୍ଡର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ ଲୋକ ଓ ୧୫ହଜାର ଗୃହ ପାଳିତ ପଶୁ ଜଳବନ୍ଦୀ ହୋଇପଡିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ସବୁଠାରୁ ଦୁର୍ଗମ ଅଂଚଳ ଭାବେ ପରିଚିତ ସିଂହଗାଁ ପଂଚାୟତ ବାହ୍ୟଜଗତ ରୁ ବିଛିନ୍ନ ହୋଇପଡିଛି । ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଂଚାୟତର ସିଂହଗାଁ, କୃଷ୍ଣଦାସପୁର,ରାଉଳିଆଡିଆ, ପାଣିସାଉଁଳିଆ ଆଦି ଜଳମଗ୍ନ ହୋଇ ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି । ଅଳପୁଆ ପଂଚାୟତ ଗୋଜିଆକଣ, ବିଲମଳିକସାହି, ବେହେରାସାହି, ମିଶ୍ରବାଗ, ସେଠୀସାହି, ଜେନାସାହି, ପାହାନ୍ତାସିଂହ ସାହି,ତରଡ଼ିପାଳ ପଂଚାୟତର ପୋଖରୀକୂଳ,ଗୋପାଳପୁର, ଜେନାସାହି, ବିଶ୍ୱାଳ ସାହି, ନାଥସାହି,ମଳିକସାହି ଘାଗରାଡିଆ ପେଣ୍ଠପାଳ ପଂଚାୟତର କୂଳସାହି, କୋଳଥିଆ,ବାଲିକିରା,ଦାଣ୍ଡିସାହି ଦାଣ୍ଡିସାହି,ଅଣ୍ଢରା ପଂଚାୟତର ବ୍ରହ୍ମପୁର,ବିଷ୍ଣୁପୁର, ବ୍ରାହ୍ମଣସାହି, ଦାଣ୍ଡିଉପର, ଅମୃତମଣୋହି ପଂଚାୟତର ନୂଆଡିଆ,ଜଗନ୍ନାଥ ପୁର, ଶାନ୍ତିପଡା, ସିଦ୍ଧବାଲି, ବଲୁରିଆ ପଂଚାୟତର ଫୁଲପାଟଣା ଆଦି ବହୁ ଗ୍ରାମ ଓ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇ ପଡିଛି । ଦାଣ୍ଡିସାହି ହାଇସ୍କୁଲ ଓ କଲେଜ ସମ୍ମୁଖ ରାସ୍ତାରେ ବନ୍ୟା ସୁଅ ଛୁଟିଛି । ଗତବର୍ଷ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ କୁମ୍ଭୀର ଆକ୍ରମଣ ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଓ ସମ୍ପ୍ରତି ବନ୍ୟା ବିପନ୍ନ ବିଭିନ୍ନ ଅଂଚଳରେ କୁମ୍ଭୀର ଦେଖାଯାଉଥିବା ଖବର ଜଣାପଡିବା ପରେ ଲୋକମାନଙ୍କ ମଧ୍ୟରେ ଘୋର ଆତଙ୍କ ସୃଷ୍ଟି ହୋଇଛି । ଫଳରେ ଲୋକମାନେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି । କୋଳଥିଆ ଓ ଶାସନ ସ୍କୁଲ ବନ୍ୟାଜଳରେ ବୁଡି ରହିଛି । ସୁବଳପୁର -ଗୋଜିଆକଣ ରାସ୍ତାରେ ବନ୍ୟାଜଳ ସୁଅ ଛୁଟୁଛି । ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର, ଡାମରପୁର, ନୀଳକଣ୍ଠପୁର, ବାଲିପାଟଣା, ବାଛରା, ବଳଭଦ୍ରପୁର ଶାସନ ଆଦି ପଂଚାୟତର ବିଭିନ୍ନ ଅଂଚଳ ଓ ଚାଷଜମି ଜଳମଗ୍ନ ହୋଇପଡିଛି । ବନ୍ୟା ବିପନ୍ନ ବିଭିନ୍ନ ପଂଚାୟତର ରାସ୍ତା ଗୁଡିକ ବୁଡି ଯାଇଥିବାରୁ ଯାତାୟାତ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହୋଇଛି । ରାଜନଗର ବିଧାୟକ ଧ୍ରୁବ ସାହୁବନ୍ୟାବିପନ୍ନ ଲୋକମାନଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିବା ସହିତ ବନ୍ୟା ମୁକାବିଲା ରେ ଜିଲ୍ଲା ପ୍ରଶାସନ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ବନ୍ୟା ବିପନ୍ନ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ହଜାର ହଜାର ଏକର ଚାଷ ଜମି ବନ୍ୟାଜଳରେ ବୁଡି ରହିଥିବାରୁ ପନିପରିବା ସମେତ ବିଭିନ୍ନ ଫସଲହାନୀ ଘଟିଛି । ବନ୍ୟା ବିପନ୍ନଲୋକମାନେ ଜଳବନ୍ଦୀ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ପାଇବାରୁ ବଂଚିତ ହୋଇଥିବା ବେଳେ ଗୃହପାଳିତ ପଶୁମାନେ ଗୋ ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି । କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,ବିଡ଼ିଓ ଶୀତଲ ଅଗ୍ରୱାଲ ବ୍ଲକର ବିଭିନ୍ନ ବନ୍ୟା ବିପନ୍ନ ଅଂଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ ଲୋକ ମାନଙ୍କୁ ଅଭାବ ଅସୁବିଧା ସମ୍ପର୍କ ରେ ପଚାରି ବୁଝିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ମାଳିପୁର ରାସ୍ତା ବୁଡି ଯାଇ ଥିବାରୁ ଶ୍ରୀରାମପୁର, ଡାମରପୁର ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି । ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ର ତନୁପୁର ରାସ୍ତା ବୁଡି ଯାଇ ଥିବାରୁ ବାଲିପାଟଣା, ଖଡ଼ିପାଳ ତନୁପୁର,ନଦିନୀନଗର ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି । ପଟ୍ଟାମୁଣ୍ଡାଇ ବ୍ଲକର ବାଛରା ପଂଚାୟତ ମଣ୍ଡପଡା ବାଛରା ରାସ୍ତା ବୁଡି ଯାଇଥିବାରୁ ବାଛରା ମଣ୍ଡପଡା ବାହ୍ୟଜଗତ୍ରରୁ ବିଛିନ୍ନ ହୋଇପଡିଛିI ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବାଲିପଡ଼ା, ତଳବାଲିପଡ଼ା, ବଳଦେବନଗର, ସିଦ୍ଧପାଟଣା, କଷଣଅଣ୍ଟା, ନୂଆଗାଁ, କାକୁଡିପଲ୍ଲୀ, ତନୁପୁର, ନନ୍ଦିନୀନଗର, ଷଣ୍ଢପଲ୍ଲୀ, ଅଳଭା ଆଦି ବିଭିନ୍ନ ଗ୍ରାମ ଓ ୧୧ଟି ୱାର୍ଡ ଜଳମଗ୍ନ ହୋଇପଡିବା ସହିତ ଶହ ଶହ ଏକର ଚାଷଜମି ମଧ୍ୟ ବୁଡି ରହିଛି । ତଳବାଲିପଡ଼ା ବାଲି ଉପରକୁ ଯିବା ରାସ୍ତା ବୁଡି ଯାଇଥିବାରୁ ୨୦ ପରିବାର ଜଳ ବନ୍ଦୀ ହୋଇପଡିଛନ୍ତି । ବନ୍ୟା ପାଣିରେ ବୁଡି ରହି ପନିପରିବା ସମେତ ବିଭିନ୍ନ ଫସଲ ନଷ୍ଟ ହୋଇଛି । ବନ୍ୟା ସ୍ଥିତି ଗମ୍ଭୀର ହୋଇ ଥିବାରୁ ଦୁର୍ବଳ ନଦୀବନ୍ଧ କ୍ଷତିଗ୍ରସ୍ତ ହୋଇ ଘାଇ ସୃଷ୍ଟି ହେବା ଆଶଙ୍କା ଥିବାରୁ ଲୋକମାନେ ଦିବାରାତ୍ର ସଜାଗ ହୋଇ ରହିଛନ୍ତି । ଜଳସମ୍ପଦ ବିଭାଗ ସହନିର୍ବାହୀ ଯନ୍ତ୍ରୀ ଇଂ ରବୀନ୍ଦ୍ର ସେଠୀ,ସହସହକାରୀ ଯନ୍ତ୍ରୀ ଇଂ ମନୋରଞ୍ଜନ ସାହୁ, ଇଂ ଦୀପ୍ତିରଞ୍ଜନ ବେହୁରା, ଇଂ ସୁନୀଲ ନାୟକ ପ୍ରମୁଖ ଦୁର୍ବଳ ନଦୀବନ୍ଧ ଗୁଡିକ ପରିଦର୍ଶନ କରି ବିଭାଗୀୟ କର୍ମଚାରୀ ସହାୟତାରେ ବାଲିବସ୍ତା ପକାଇ ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦେଶରେ ବ୍ଲକ ଓ ପୌର ପ୍ରଶାସନ ବନ୍ୟା ମୁକାବିଲା ପାଇଁ ସଜାଗହୋଇପଡିଛି । ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତର ୫୦ ହଜାରରୁ ଉର୍ଦ୍ଧ ଲୋକ ଓ ପୌରାଞ୍ଚଳର ୧୧ଟି ୱାର୍ଡର ୧୧ହଜାର ଲୋକ ବନ୍ୟା ଜଳ ଘେରରେ ରହିଛନ୍ତି । ପ୍ରାୟ ୧୫ ହଜାରରୁ ଉର୍ଦ୍ଧ ଗୃହପାଳିତ ପଶୁ ଗୋ ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି । ରାସ୍ତାଘାଟ ବୁଡି ଯାଇଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ପରିଲକ୍ଷିତ ହେଉଛି । ସମ୍ପ୍ରତି ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ଓ ବନ୍ୟା ଯୋଗୁଁ ପରିବେଶ ଦୂଷିତ ହୋଇ ଚାରିଆଡେ ଝାଡା ବାନ୍ତି, ଥଣ୍ଡା, ଜ୍ୱର ଲାଗି ରହିଛି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଅଳଭା ଠାରେ ବନ୍ୟା ଜଳ ୧୭. ୫ ଫୁଟ ରହିଛି । ସରକାରୀ ଭାବେ ବିପଦ ସଂକେତ ୧୬ ଫୁଟ ରହିଛି । ସରକାର ତଥା ଜିଲ୍ଲା ପ୍ରଶାସନ ପର୍ଯ୍ୟାପ୍ତ ଔଷଧ ସାଲାଇନ, ବ୍ଲିଚିଙ୍ଗ, ଗୋ ଖାଦ୍ୟ କିରୋସିନ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।
