ଜିଲ୍ଲା ପରିଷଦ ଓ ଜଳସେଚନ ବିଭାଗରେ ବଦଳି ନିୟମକୁ ଫୁ! ବର୍ଷାଧିକ କାଳ ଗୋଟିଏ ସ୍ଥାନରେ ରହିଛନ୍ତି କର୍ମଚାରୀ

କେନ୍ଦ୍ରାପଡ଼ା,୧୭/୯:କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସରକାରୀ ନିୟମ ଓ ବଦଳି ନୀତି ବାଟବଣା ହୋଇଛି। ଗୋଟିଏ ସ୍ଥାନରେ ତିନି ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବା ପରେ ଅନ୍ୟତ୍ର ବଦଳି ହେବା ନିୟମ ରହିଥିଲେ ହେଁ, କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଓ ଜଳସେଚନ ଡିଭିଜନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ କେତେକ କର୍ମଚାରୀ ଓ ଅଫିସର ଜାଗା ମାଡ଼ି ବସିଥିଲେ ମଧ୍ୟ ପ୍ରଶାସନ ସେମାନଙ୍କୁ ବଦଳି କରିବାରେ ସମ୍ପୂର୍ଣ୍ଣ ଅସମର୍ଥ ସାବ୍ୟସ୍ତ ହୋଇଛି।

ସୂଚନା ଅନୁଯାୟୀ, ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ କାର୍ଯ୍ୟରତ କେତେକ କର୍ମଚାରୀ ଦୀର୍ଘ ୧୧ ବର୍ଷ, ୧୫ ବର୍ଷ ତ ପୁଣି କେତେକ କ୍ଷେତ୍ରରେ ୩୦ ବର୍ଷ ଧରି ଗୋଟିଏ ସ୍ଥାନରେ ରହି କାର୍ଯ୍ୟ କରୁଛନ୍ତି। ବଦଳି ନିୟମକୁ ଆଖିବୁଜି ଦେଇ ଏହି ବାବୁମାନେ ନିଜର ଆସ୍ଥାନ ଜମାଇ ରହିଛନ୍ତି। ସାଧାରଣତଃ ନିୟମିତ ବଦଳି ଦ୍ୱାରା କାର୍ଯ୍ୟାଳୟରେ ସ୍ୱଚ୍ଛତା ଆସିଥାଏ, ମାତ୍ର ଦୀର୍ଘ ଦିନ ଧରି ଗୋଟିଏ ସ୍ଥାନରେ ରହିବା ଦ୍ୱାରା ବିଭାଗୀୟ କାର୍ଯ୍ୟରେ ସ୍ୱଚ୍ଛତା ହ୍ରାସ ପାଇବା ସହ ନିର୍ଦ୍ଦିଷ୍ଟ ଗୋଷ୍ଠୀର କବଜା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି।ସେହିପରି ଜିଲ୍ଲା ଜଳସେଚନ ବିଭାଗରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ବିଭିନ୍ନ ଶାଖାରେ କାର୍ଯ୍ୟରତ ଅନେକ କର୍ମଚାରୀ ଉପରସ୍ଥ ଅଧିକାରୀଙ୍କୁ ନିଜ ସାଧୁତା ଓ ଅନୁକମ୍ପାରେ ହାତ କରି ବଦଳି ଆଦେଶକୁ ଏଡ଼ାଇବାରେ ସଫଳ ହେଉଛନ୍ତି। କାଗଜପତ୍ରରେ ବଦଳି ପାଇଁ ଆଲୋଚନା ହେଉଥିଲେ ବି ବାସ୍ତବରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଜଳସେଚନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଓ ଅନୁଦାନ ପରିଚାଳନାରେ ଏହି କର୍ମଚାରୀମାନଙ୍କର ଏକଚାଟିଆ ପ୍ରଭାବ ରହୁଥିବା ସ୍ଥାନୀୟ ଲୋକେ ଚର୍ଚ୍ଚା କରୁଛନ୍ତି।ଗୋଟିଏ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ରହିବା ଫଳରେ ଏହି କର୍ମଚାରୀମାନେ ନିଜର ଏକ ସ୍ୱତନ୍ତ୍ର ସିଣ୍ଡିକେଟ୍ ତିଆରି କରିନେଉଛନ୍ତି। ସାଧାରଣ ଜନସାଧାରଣ ନିଜର ମୌଳିକ କାମ ପାଇଁ ଆସିଲେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାସହ ନିର୍ମାଣ ଓ ଉନ୍ନୟନମୂଳକ କାର୍ଯ୍ୟର ଟେଣ୍ଡର, ଅନୁଦାନ ବଂଟନ ଏବଂ ବିଲ୍ ପାସ୍ କ୍ଷେତ୍ରରେ ଅନିୟମିତତା ହେଉଥିବା ଅଭିଯୋଗ ଉଠୁଛି। ସରକାର ସ୍ୱଚ୍ଛ ଶାସନ ଓ ନିୟମିତ ବଦଳି ନୀତି ଉପରେ ଗୁରୁତ୍ୱ ଦେଉଥିବା ବେଳେ କେନ୍ଦ୍ରାପଡ଼ାରେ ଏହାର ଖୋଲାଖୋଲି ଉଲ୍ଲଂଘନକୁ ନେଇ ଜନସାଧାରଣ ଓ ସାମାଜିକ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲାପାଳ ଏବଂ ସମ୍ପୃକ୍ତ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଦୀର୍ଘ ବର୍ଷରୁ ଆସ୍ଥାନ ଜମାଇଥିବା କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରିବାକୁ ଦୃଢ଼ ଦାବି ହୋଇଛି।

ସାମାଜିକକର୍ମୀ ଚିତ୍ତରଞ୍ଜନ ଦାଶ କୁହନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି ବାବୁ ମାନେ କାର୍ଯ୍ୟ କରୁଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ ଦିହରେ ହାତ ମାରି ପାରୁ ନାହିଁ। ସେଥିି ମଧ୍ୟରୁ ବରିଷ୍ଠ ଷ୍ଟେନୋ ଭବେଶ ଦାସ ୧୯୯୫ ମସିହାରୁ ଏଠାରେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି କାମ କରିବା ପରେ ଅବସର ନେଇଥିଲେ।କମ୍ପ୍ୟୁଟର ପ୍ରୋଗ୍ରାମର ପ୍ରିୟଦର୍ଶନ ସ୍ୱାଇଁ ୨୦୧୯ମସିହାରୁ ୮ବର୍ଷ ହେଲା ଏଠାରେ କାର୍ଯ୍ୟରତ ଅଛନ୍ତି। ପ୍ରୋଗ୍ରାମ ମ୍ୟାନେଜର ଅବଦୁଲ ରହେମାନ ଖାନ୍ ୨୦୧୧ ମସିହାରୁ ଏଠାରେ ଅଛନ୍ତି। ତାଙ୍କର୧୫ ବର୍ଷରୁ ଅଧିକ ସମୟ ବିତିଲାଣି।ପ୍ରୋଗ୍ରାମ ମ୍ୟାନେଜର ଜ୍ୟୋତିପ୍ରକାଶ ଦାଶ ୨୦୧୦ ମସିହାଠାରୁ କାମ କରୁଥିବା ବେଳେ ଏଠାରେ ତାଙ୍କର ୧୬ ବର୍ଷରୁ ଅଧିକ ସମୟ ବିତିଲାଣି। ସେହିପରି ପ୍ରୋଗ୍ରାମ ମ୍ୟାନେଜର ପୁଷ୍ପଲତା ରାଉଳ ମଧ୍ୟ ୨୦୧୩ ମସିହାରୁ କାମ କରୁଥିବା ବେଳେ ତାଙ୍କର ୧୩ ବର୍ଷ ଅତିକ୍ରାନ୍ତ ହୋଇସାରିଲାଣି । ପ୍ରୋଗ୍ରାମ ମ୍ୟାନେଜର ମନମୋହିନୀ ମହାନ୍ତି ୨୦୧୪ ମସିହାରୁ ଅଦ୍ୟାବଧି ସାଢ଼େ ୧୨ବର୍ଷ ହେଲା ଏଠାରେ କାର୍ଯ୍ୟରତ ଅଛନ୍ତି। ପ୍ରୋଗ୍ରାମ ମ୍ୟାନେଜର ମନିଷା ଗୁପ୍ତା ମଧ୍ୟ ୨୦୧୬ ମସିହାରୁ ୧୦ବର୍ଷ ହେଲା ସମାନ ସ୍ଥାନରେ କାମ କରୁଛନ୍ତି। ପ୍ରୋଗ୍ରାମ ମ୍ୟାନେଜର ସୁକନ୍ୟା ଦିବ୍ୟଜ୍ୟୋତି ସ୍ୱାଇଁ ୨୦୨୦ ମସିହାରୁ ୬ବର୍ଷ ଗୋଟିଏ ସ୍ଥାନରେ କାର୍ଯ୍ୟରତ ଅଛନ୍ତି। ସେହିପରି କନିଷ୍ଠ କିରାଣୀ ପ୍ରମିଳା ମିଶ୍ର ୨୦୧୭ ମସିହାରୁ ୯ବର୍ଷ ହେଲା କାମ କରୁଛନ୍ତି। ଜୁନିୟର ଷ୍ଟେନୋ ମନୋଜ କୁମାର ପରିଡ଼ା ୨୦୧୬ମସିହାରୁ ଦୀର୍ଘ ୧୦ବର୍ଷ ହେଲା ଗୋଟିଏ ଯାଗାରେ ରହିଛନ୍ତି। ଏନ୍‌ଆରଇଜିଏସ ଆସିଷ୍ଟାଣ୍ଟ କୃଷ୍ଣଚନ୍ଦ୍ର ନାୟକ ୨୦୧୧ ମସିହାରୁ ରହିଥିବା ବେଳେ ବିଶ୍ୱରଞ୍ଜନ ସ୍ୱାଇଁ ୨୦୧୮ ମସିହାରୁ ଗୋଟିଏ ଯାଗାରେ ଆଉଟ୍‌ସୋର୍ସିଂ ସଂସ୍ଥା ଜରିଆରେ କାମ କରୁଥିବା ବେଳେ ସେମାନେ ଯଥାକ୍ରମେ ୧୫ ବର୍ଷ ଓ ୮ବର୍ଷ ହେଲା କାର୍ଯ୍ୟରତ ଅଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତିଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ ପ୍ରୋଗ୍ରାମ ମ୍ୟାନେଜର ମାନଙ୍କୁ ଠିକା ଭିତିରେ ସରକାର ନିଯୁକ୍ତି ଦେଇଛନ୍ତି।ସେମାନଙ୍କ ବଦଳି ବାବଦରେ ସରକାର ନିଷ୍ପତି ନେବେ। ସର୍ଭିସ ପ୍ରୋଭାଇଡର ସଂସ୍ଥା ନିଯୁକ୍ତି ଦେଇଥିବା କର୍ମଚାରୀଙ୍କ ବଦଳି ନିଷ୍ପତି ନେବ। ଅନ୍ୟ କିଛି କର୍ମଚାରୀ ସିଧାସଳଖ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ନିଯୁକ୍ତ ପାଇଛନ୍ତି ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଅନ୍ୟ କୌଣସି ଶାଖା କାର୍ଯ୍ୟାଳୟ ନଥିବାରୁ ସେମାନଙ୍କୁ ଅନ୍ୟତ୍ର ବଦଳି କରିବାର ବ୍ୟବସ୍ଥା ନାହିଁ।

ଲକ୍ଷ୍ମୀକାନ୍ତ ନାୟକ କୁହନ୍ତି ପୂର୍ବରୁ ମଧ୍ୟ ଜଣେ ପ୍ରୋଗ୍ରାମ ମ୍ୟାନେଜରଙ୍କୁ ଏଠାରୁ ବଦଳି କରାଯାଇଛି କିନ୍ତୁ ଅନ୍ୟମାନଙ୍କ କ୍ଷେତ୍ରରେ କାହିଁକି କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି ସାଧାରଣ ମହଲରେ ଉଦବେଗ ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥାର ସୁପରିଚାଳନା ତଥା ୩ବର୍ଷରୁ ଉର୍ଦ୍ଧ୍ୱ ରହିଥିବା କର୍ମଚାରୀଙ୍କୁ ବଦଳି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ନିର୍ଦ୍ଦେଶ ରହିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ଗୋଟିଏ ଯାଗାରେ ଗାଦି ମାଡ଼ି ବସିଥିବା କର୍ମଚାରୀଙ୍କ କ୍ଷେତ୍ରରେ ବଦଳି ନିୟମ କେବେ କାର୍ଯ୍ୟକାରୀ ହେବ ତାହା ଜିଲ୍ଲା ପ୍ରଶାସନର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Next Post

ବାଇକ ଆରୋହୀଙ୍କ ପେଟରେ ପଶିଗଲା ଗଛଡାଳ

Fri Sep 18 , 2026
କେନ୍ଦ୍ରାପଡ଼ା,୧୮ା୯:କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତ ବାଇପୁର ଗ୍ରାମର ଜଣେ ବାଇକ ଆହୋହୀଙ୍କ ପେଟରେ ଗଛ ଡାଳ ପଶି ଯାଇଛି। ଗୁରୁତର ଆହତ ଯୁବକଙ୍କ ନାମ ହେଉଛି ବିଚିତ୍ର ପ୍ରଧାନ ଓ ତାଙ୍କ ଘର ବାଇପୁର ଗ୍ରାମରେ ବୋଲି ଜଣାପଡିଛି। ଗଛ ଡାଳଟି ତାଙ୍କ ପେଟ ବାଟେ ପଶି ପିଠି ବାଟେ ବାହାରି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading