
କେନ୍ଦ୍ରାପଡ଼ା,୧୯ା୪: କାଳବୈଶାଖି ପ୍ରଭାବରେ ଶୁକ୍ରବାର ସନ୍ଧ୍ୟାରେ ମହାକାଳପଡ଼ାରେ ପ୍ରବଳ ଝଡ଼ ତୋଫାନ ହୋଇଛି। ଏହାଦ୍ୱାରା ଟେଣ୍ଟ ଭାଙ୍ଗି ଯାଇଥିଲା। ଟେଣ୍ଟ ଭିତରେ ମହୋତ୍ସବ ଦେଖିବା ପାଇଁ ରହିଥିବା ହଜାର ହଜାର ଦର୍ଶକ ଆତଙ୍କିତ ହୋଇପଡିଥିଲେ। ଟେଣ୍ଟ ଭିତରୁ ବାହାରି ଯିବା ପାଇଁ ଲୋକେ ଉଦ୍ୟମ କରୁଥିବା ବେଳେ ଠେଲାପେଲାରେ ୨ ଜଣ ଆହତ ହୋଇଥିଲେ। ଅତିଥି ଭାବେ ଯୋଗଦେବାକୁ ଆସିଥିବା ଆଇନ୍ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୂର୍ତ୍ତବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ, ସାନଖେମୁଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଫେରି ଯାଇଥିଲେ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଆସିଥିବା କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ତାଙ୍କ ସାଥୀମାନେ ମଧ୍ୟ କାର୍ଯ୍ୟକ୍ରମ ବାତିଲ ହେବାରୁ ଫେରି ଯାଇଥିଲେ। ଝଡ଼ତୋଫାନ କମିବା ପରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ଘଟଣା ସ୍ଥଳକୁ ଆସି ସ୍ଥିତି ପରଖିଥିଲେ। ଆହତମାନଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ସେହିପରି କ୍ଷତିଗ୍ରସ୍ତ ହୋଇଥିବା ଦୋକାନୀମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ କ୍ଷୟକ୍ଷତି ଭରଣ କରାଯିବ ବୋଲି ବିଧାୟକ ଡ. ନାୟକ ପ୍ରତିଶ୍ରୁତି ଦେଇଥିଲେ। ସୂଚନା ଥାଉକି ଜମ୍ବୁଦ୍ୱୀପ ମହୋତ୍ସବର ଚତୁର୍ଥ ସନ୍ଧ୍ୟାକୁ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିଲା। ସାଂସ୍କୃୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିଲା। ମଞ୍ଚକୁ ଆସିବା ପାଇଁ ଅପେକ୍ଷା କରିଥିଲେ ଅତିଥି ୨ ମନ୍ତ୍ରୀ ଓ ଦୁଇ ବିଧାୟକ। କିନ୍ତୁ ସମସ୍ତ ଆଶା ଓ ଉଦ୍ଦୀପନାକୁ କାଳବୈଶାଖି କ୍ଷଣକରେ ଧୂଳିଶାତ କରିଦେଇଥିଲା। ଏହି ସମୟରେ ଟେଣ୍ଟ ଭିତରେ ଥିବା ହଜାର ହଜାର ଦର୍ଶକ ଜୀବନ ବିକଳରେ ମା ରାମଚଣ୍ଡୀଙ୍କୁ ପ୍ରାର୍ଥନା କରିଥିଲେ। ସମସ୍ତେ ଟେଣ୍ଟରୁ ବାହାରି ମା’ଙ୍କ ମନ୍ଦିର ପରିସରକୁ ଚାଲିଯାଇଥିଲେ। ଝଡ଼ ତୋଫାନ ଥମିବା ପରେ ବିଧାୟକ ଡ. ନାୟକ ଉତ୍ସବ ସ୍ଥଳକୁ ଆସି ସ୍ଥିତି ପରଖିଥିଲେ। ସଭା ସ୍ଥଳରେ ଆଣ୍ଡୁଏ ପାଣି ଜମିଛି। ଫଳରେ ଉତ୍ସବ ଓ ମେଳା ବନ୍ଦ ରହିଛି। ସଭା ସ୍ଥଳରେ ଥିବା ଏଲସିଡି, ପ୍ରୋଜେକ୍ଟର, ଲ୍ୟାପଟପ କ୍ଷତିଗ୍ରସ୍ଥ ହୋଇଛି।
