
କେନ୍ଦ୍ରାପଡ଼ା,୨୭ା୭: ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଏହାର କାର୍ଯ୍ୟାଳୟର ଭାରତରତ୍ନ ଡ. ଏପିଜେ ଅବଦୁଲ କାଲାମ ସ୍ମୃତି କମିଟି ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ଏକାଦଶତମ ପୂଣ୍ୟତିଥି ପାଳିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଥିବା ଡ. କଲାମଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ସଂଘର ସଭାପତି ହେମନ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ନାୟକ, ଉପଦେଷ୍ଟା ମହମ୍ମଦ ଜାହିଦ, ଯୁଗ୍ମ ସଂପାଦକ ବିଜୟ କୁମାର ଦାସ, ସଂଗଠନ ସଂପାଦକ କାଶୀନାଥ ରାଉତରାୟ, କୋଷାଧ୍ୟକ୍ଷ ନରୋତ୍ତମ ପରିଡ଼ା, ପୂର୍ବତନ କାଉନସିଲର ତଥା ସମାଜସେବୀ ଗୋପୀନାଥ ବାରିକ, ଅବସରପ୍ରାପ୍ତ ଶିକ୍ଷକ ସେକ ମନସୁର ଅଲ୍ଲୀ, ସେକ ହିଦାୟତୁଲ୍ଲା ପ୍ରମୁଖ ଯୋଗଦେଇ ସ୍ୱର୍ଗତ କଲାମଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ। ବକ୍ତାମାନେ ଓଡ଼ିଶା ସହ ଡ. କଲାମଙ୍କ ସଂପର୍କ, ପ୍ରତିରକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ, ଶିକ୍ଷାର୍ଥୀମାନଙ୍କୁ ମାର୍ଗଦର୍ଶନ ଓ ନିରାଡମ୍ବର ଜୀବନଯାପନ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଶେଷରେ ପ୍ରକୃତିବନ୍ଧୁ ତଥା ସଂଗଠନ ସଂପାଦକ କାଶୀନାଥ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।
