ବିକଳ୍ପ ଜନବାଦୀ ବଜେଟକୁ କାର୍ଯ୍ୟକାରୀ କର ଦାବିରେ ବାମ ଦଳଗୁଡ଼ିକର ପ୍ରଚାର ଅଭିଯାନ କର୍ପୋରେଟ ସପକ୍ଷବାଦୀ କେନ୍ଦ୍ର ବଜେଟକୁ ପ୍ରତ୍ୟାହାର କର

blank
କେନ୍ଦ୍ରାପଡ଼ା, ୨୩ା୨: ୨୦୨୫-୨୬ କେନ୍ଦ୍ର ବଜେଟ୍ ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପ୍ରତି ଚରମ ବିଶ୍ୱାସଘାତକତା ବୋଲି ବାମପନ୍ଥୀ ଦଳମାନଙ୍କ ପ୍ରଚାର ଅଭିଯାନରେ କୁହାଯାଇଛି। ଲୋକଙ୍କ କ୍ରୟଶକ୍ତିର ଅଭାବ, ବ୍ୟାପକ ବେକାରୀ କାରଣରୁ ଅର୍ଥନୀତିରେ ସଂକଟ ସୃଷ୍ଟି ହୋଇଥିଲେ ମଧ୍ୟ ଏହି ସମସ୍ୟାଗୁଡ଼ିକୁ ସମାଧାନ କରିବା ପରିବର୍ତ୍ତେ ଧନୀକ ବର୍ଗଙ୍କ ପାଇଁ ସୁବିଧା ବୃଦ୍ଧି କରିଛି। ଜନସେବା ପାଇଁ ବ୍ୟୟ ବରାଦ ହ୍ରାସ ପାଇଛି। ଧନୀମାନଙ୍କ ପୁଞ୍ଜି ବଢ଼ିବାରେ ସାହାଯ୍ୟ କରୁଛି। ଘରୋଇ ବିନିଯୋଗକୁ ଉତ୍ସାହିତ କରୁଛି। ସରକାରୀ ସମ୍ପତ୍ତିକୁ ଘରୋଇ କ୍ଷେତ୍ର ପାଇଁ ବ୍ୟବହାର କରୁଛି ଏବଂ ବିଦ୍ୟୁତ୍ କ୍ଷେତ୍ର ସହ ବିଭିନ୍ନ ଗୁରୁତ୍ୱପୂର୍ଣ ପରିସେବା ଗୁଡ଼ିକର ଘରୋଇକରଣକୁ ତ୍ୱରାନ୍ୱିତ କରୁଛି। ଏହି ବଜେଟ୍ ବେକାରୀ ସମସ୍ୟାକୁ ସମ୍ପୂର୍ଣ ଅଣଦେଖା କରିଛି। ଦରବୃଦ୍ଧିକୁ ରୋକି ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ସାମାଜିକ କଲ୍ୟାଣ ଏବଂ ସହରର ଉନ୍ନତି ପାଇଁ ବ୍ୟୟ ବରାଦ ଗତ ବର୍ଷ ତୁଳନାରେ ହ୍ରାସ ପାଇଛି। ଏଣୁ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ବିକଳ୍ପ ବଜେଟ୍ ପ୍ରସ୍ତାବ ଉପସ୍ଥାପିତ କରାଯାଇଛି। ନିମ୍ନ ବଜେଟ୍‌କୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ ନିମନ୍ତେ ଜନ ଆନ୍ଦୋଳନ ପାଇଁ ଆହ୍ୱାନ ଦିଆଯାଇଛି। ଦେଶର ୨୦୦ ଜଣ ବିଲିଅନେୟାର (ଧନକୁବେର)ଙ୍କ ଉପରେ ୪% ସମ୍ପତ୍ତି କର ଲାଗୁ କର ଏବଂ କର୍ପୋରେଟ୍ ଟିକସ ବୃଦ୍ଧି କର। କୃଷି ଉତ୍ପାଦନ ପାଇଁ ଏମ୍‌ଏସ୍‌ପିକୁ ଆଇନଗତ ଗ୍ୟାରେଣ୍ଟି ଦେବା ଏବଂ କୃଷି ବିପଣନ ପାଇଁ ପ୍ରସ୍ତୁତ ଚିଠା ଜାତୀୟ ନୀତି ପ୍ରସ୍ତାବକୁ ରଦ୍ଦ କରିବା। ଜାତୀୟ ସମ୍ପତ୍ତି ଘରୋଇକରଣ ବନ୍ଦ କର ଏବଂ ଜାତୀୟ ମୁଦ୍ରାକରଣ ଯୋଜନା ମାଧ୍ୟମରେ ସର୍ବସାଧାରଣଙ୍କ ସମ୍ପତ୍ତିକୁ ଘରୋଇ କ୍ଷେତ୍ରକୁ ହସ୍ତାନ୍ତର ବନ୍ଦ କର । ବୀମା କ୍ଷେତ୍ରରେ ଶହେ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ନୀତି ବାତିଲ କର। “ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଅଧିନିୟମ”ପାଇଁ ବରାଦ ୫୦ ପ୍ରତିଶତ ବଢ଼ାଇବା ସହିତ ସହରାଞ୍ଚଳରେ ରୋଜଗାର ନିଶ୍ଚିତ କରିବାକୁ ଏକ “ ସହରୀ ରୋଜଗାର ନିଶ୍ଚିତକରଣ ଆଇନ” ଆଣ। ବୟସ୍କ ଲୋକମାନଙ୍କ ପାଇଁ ପେନସନ ଏବଂ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ସୁବିଧା ପାଇଁ କେନ୍ଦ୍ରୀୟ ବ୍ୟୟ ବରାଦ ବଢ଼ାଅ। ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଜିଡିପିର ୩% ଏବଂ ଶିକ୍ଷା କ୍ଷେତ୍ର ପାଇଁ ଜିଡିପିର ୬% ବ୍ୟୟ ବରାଦ ନିଶ୍ଚିତ କର। ଗଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଖାଦ୍ୟ ବାବଦ ସବ୍‌ସିଡ଼ି ବଢ଼ାଅ। ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଉପଜାତି (ଏସ୍‌ଟି) କ୍ଷେତ୍ର ଏବଂ ମହିଳା ଓ ଶିଶୁମାନଙ୍କ ବିକାଶ ପାଇଁ ବ୍ୟୟ ବରାଦ ଅଧିକ ବଢ଼ାଇବା, ଯେଉଁଥିରେ ଆଇସିଡିଏସର ବ୍ୟୟ ବରାଦ ବଢ଼ାଇବା ଅନ୍ତର୍ଭୁକ୍ତ ରହିବ। ଏହି ପ୍ରକଳ୍ପରେ କାମ କରୁଥିବା ସ୍କିମ୍ ଶ୍ରମିକମାନଙ୍କ ଭତ୍ତା ପାଇଁ କେନ୍ଦ୍ରୀୟ ଭାଗିଦାରୀ ବଢ଼ାଇବା। ରାଜ୍ୟଗୁଡ଼ିକ ପାଇଁ ଅର୍ଥ ପ୍ରଦାନ କରିବା ଏବଂ କେନ୍ଦ୍ରୀୟ ଯୋଜନାଗୁଡ଼ିକ ପାଇଁ ଯଥେଷ୍ଟ ବ୍ୟୟ ବରାଦ ବଢ଼ାଇବା। ପେଟ୍ରୋଲିଅମ୍ ଉତ୍ପାଦନ ଉପରେ ଅତିରିକ୍ତ କର (ସେସ୍‌) ଏବଂ ସର୍ଚାର୍ଜ ରଦ୍ଦ କରିବା, ଯାହାକି ରାଜ୍ୟଗୁଡ଼ିକ ସହ ବଣ୍ଟନ ପାଇଁ ଉଦ୍ଦିଷ୍ଟ ବିଭାଜିତ ପୁଲରେ ନାହିଁ।ଏହି ଆଠଟି ଦାବି ଉପରେ ସାରା ଦେଶବ୍ୟାପୀ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ପ୍ରଚାର ଅଭିଯାନ ଚାଲିଥିଲା ବେଳେ କେନ୍ଦ୍ରାପଡା ସହରରେ ସିପିଆଇ (ଏମ୍‌) ଓ ସିପିଆଇ ପକ୍ଷରୁ ମିଳିତ ଭାବେ ପ୍ରଚାର ଅଭିଯାନ କରାଯିବା ସହିତ ସହରର ଦୁହୁରିଆ, ତିନିମୁହାଣୀ, ନୂଆ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ, ସାନ୍ତସାହି, ଇଚ୍ଛାପୁର ପ୍ରଭୃତି ସ୍ଥାନମାନଙ୍କରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ସିପିଆଇ(ଏମ୍‌) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସିପିଆଇ ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ମାଧବ ଦାସ, ଆଦିକନ୍ଦ ରାଉଳ, ଶ୍ରମିକ ନେତା ପ୍ରକାଶ ମହାନ୍ତି, ବୁଦ୍ଧିଜିବି କେଦାର ସାମନ୍ତରାୟ, ରମେଶ ପ୍ରଧାନ, ସୁହାନା ବେଗମ, ସଂଯୁକ୍ତା ରାଉତ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ଅଜୟ ସାମଲ ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦଶ ହଜାର ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା।

Next Post

କୋହଲିଙ୍କ ବିରାଟ ଶତକ ସହ ଭାରତର ମହାବିଜୟ

Sun Feb 23 , 2025
ଦୁବାଇ୨୩ା୨-ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ପଞ୍ଚମ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ମହାବିଜୟ ହୋଇଛି। ଚାମ୍ପିଅନ୍ସ ଟ୍ରଫିର ଏହି ହାଇଭୋଲଟେଜ୍ ମ୍ୟାଚ୍‌ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ବୋଲିଂ କରିଥିବା ବେଳେ ପାକିସ୍ତାନ ୪୯.୪ ଓଭରରେ ଅଲ୍‌ଆଉଟ୍ ହୋଇ ୨୪୧ ରନ୍ କରିଥିଲା। ଧାର୍ଯ୍ୟ ୨୪୨ ରନ୍ ଲକ୍ଷ୍ୟର ପିଛା କରି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading