ଦିଶା ବୈଠକରେ କେନ୍ଦ୍ରୀୟ ଯୋଜନାର ଅଗ୍ରଗତି ସମୀକ୍ଷା

ଅଙ୍ଗନୱାଡି ଭିତ୍ତିଭୂମୀ,ପାନୀୟ ଜଳ, ଗ୍ରାମ୍ୟ ସଡକ, ଜନକଲ୍ୟାଣ ମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ

blank

କେନ୍ଦ୍ରାପଡ଼ା,୨ା୬: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ୫ମ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପରିଚାଳନା କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ରୀୟ ପ୍ରାୟୋଜିତ ବିଭିନ୍ନ ଯୋଜନାର ଅଗ୍ରଗତି, ପାଣ୍ଠି ବିନିଯୋଗ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟାନ୍ୱୟନର ସ୍ଥିତି ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବୈଠକରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ତଥା କେନ୍ଦ୍ରାପଡ଼ା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ. ଦୁର୍ଗାପ୍ରସନ୍ନ ନାୟକ, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଜିଲ୍ଲାପାଳ ରଘୁରାମ ଆର. ଆୟର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକୃଷ୍ଣ ଜେନାଙ୍କ ସମେତ ବିଭିନ୍ନ ବ୍ଲକର ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ସରପଞ୍ଚ, ସମିତି ସଭ୍ୟ ଏବଂ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ଆୟର ସମସ୍ତ ଅତିଥି ଓ ସଦସ୍ୟଙ୍କୁ ସ୍ୱାଗତ ଜଣାଇବା ସହ ପୂର୍ବବର୍ତ୍ତୀ ଦିଶା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଗୁଡ଼ିକର କାର୍ଯ୍ୟାନ୍ୱୟନ ଓ ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ। ବୈଠକରେ ‘ବେଟି ବଚାଓ, ବେଟି ପଢାଓ’ ଏବଂ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା। ରାଜନଗର ଓ ମହାକାଳପଡା ଅଞ୍ଚଳରେ ବାଲ୍ୟ ବିବାହ ନିରାକରଣ ପାଇଁ ଗ୍ରହଣ କରାଯାଉଥିବା ସଚେତନତାମୂଳକ ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ବିଦ୍ୟାଳୟସ୍ତରରେ ସ୍ୱାସ୍ଥ୍ୟ ବିଭାଗ, ଶିଶୁ ସୁରକ୍ଷା ବିଭାଗ, ଅଙ୍ଗନୱାଡି କର୍ମୀ ଏବଂ ଆଶା କର୍ମୀଙ୍କ ସମନ୍ୱୟରେ ନିୟମିତ ସଚେତନତା କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ନେଇ ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ। ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ବିକାଶ, ବିଦ୍ୟୁତ ସଂଯୋଗ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଉନ୍ନତମାନର ପୁଷ୍ଟିକର ଖାଦ୍ୟ ବଣ୍ଟନ ଏବଂ ଶୌଚାଳୟ ସୁବିଧା ସୁନିଶ୍ଚିତ କରିବା ଦିଗରେ ଅଧିକ ଗୁରୁତ୍ୱ ଦେବାକୁ ସାଂସଦ ନିର୍ଦ୍ଦେଶ ଦେଇଥିଲେ। ସମ୍ପୂର୍ଣ୍ଣ ହୋଇଥିବା ଅଙ୍ଗନବାଡି କେନ୍ଦ୍ରଗୁଡ଼ିକରେ ମୌଳିକ ସୁବିଧା ଉପଲବ୍ଧତା ସୁନିଶ୍ଚିତ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଏହା ବ୍ୟତୀତ ଗ୍ରାମ୍ୟ ସଡ଼କ ମରାମତି, ମେଗା ପାନୀୟ ଜଳ ପ୍ରକଳ୍ପ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସରକାରୀ ସୁବିଧା ପ୍ରଦାନ, ‘ଲକ୍ଷପତି ଦିଦି’ କାର୍ଯ୍ୟକ୍ରମ, ଅନ୍ତ୍ୟୋଦୟ ଯୋଜନା ଓ ଅନ୍ୟାନ୍ୟ ଜନକଲ୍ୟାଣମୂଳକ ଯୋଜନାର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରାଯାଇଥିଲା। ସାଂସଦ କେନ୍ଦ୍ରୀୟ ଅନୁଦାନର ସୁବିନିଯୋଗ ଏବଂ ଯୋଜନାଗୁଡ଼ିକର ଫଳପ୍ରଦ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିବା ସହ ଉନ୍ନୟନମୂଳକ କାର୍ଯ୍ୟରେ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ସକ୍ରିୟ ସହଭାଗିତା ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ଜନପ୍ରତିନିଧିମାନଙ୍କ ଦ୍ୱାରା ଉଠାଯାଇଥିବା ବିଭିନ୍ନ ପ୍ରସଙ୍ଗ ଓ ସମସ୍ୟା ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ସ୍ପଷ୍ଟୀକରଣ ଓ ଉତ୍ତର ପ୍ରଦାନ କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ଓ.ସି.ଏସ ସ୍ୱାତିସ୍ମିତା ବେହେରାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Tue Jun 2 , 2026
ମହାକାଳପଡା ବିକାଶ ମଞ୍ଚ ଓ ନୀଳମାଧବ ଉ:ପ୍ରା ବିଦ୍ୟାଳୟ ପକ୍ଷରୁ କେନ୍ଦ୍ରାପଡା,୨ା୬: କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବିଜୟନଗର ଗ୍ରାମର ଶାନ୍ତିଲତା ବେହେରା ଓ ନରେନ୍ଦ୍ର ବେହେରାଙ୍କ ଝିଅ ଚଳିତ ବର୍ଷ ଓ.ସି.ଏସ୍ ପରୀକ୍ଷାରେ ୪୫ତମ ସ୍ଥାନ ଅଧିକାର କରି ମହାକାଳପଡା ବ୍ଲକ ପାଇଁ ଗର୍ବ ଓ ଗୈାରବ ଆଣିଛନ୍ତି । ତାଙ୍କର ସଫଳତା ପାଇଁ ମହାକାଳପଡା ବିକାଶ ମଞ୍ଚ ଓ ନୀଳମାଧବ ଉ:ପ୍ରା ବିଦ୍ୟାଳୟ ତରଫରୁ ସ୍ୱାଗତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading