
କେନ୍ଦ୍ରାପଡା, ୬/୯: ବ୍ୟାଡମିଣ୍ଟନ ଆସୋସିଏସନ ଅଫ୍ କେନ୍ଦ୍ରାପଡା ପକ୍ଷରୁ ଆୟୋଜିତ ପଞ୍ଚମ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଜି କେନ୍ଦ୍ରାପଡା ମଲ୍ଟି ପରପସ୍ ଇନଡୋର ଷ୍ଟାଡିୟମଠାରେ ଉତ୍ସାହ ଓ ଆଡମ୍ବରପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ୧୩ରୁ କମ, ୧୫ରୁ କମ ଓ ୧୭ରୁ କମ ବାଳକ ଏବଂ ବାଳିକା ବିଭାଗରେ (ବିଏସ ଓ ଜିଏସ) କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଉଦୀୟମାନ ଖେଳାଳୀମାନେ ନିଜର ଦକ୍ଷତା, ଶୃଙ୍ଖଳା ଓ ଉତ୍ସାହର ସହ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ଉଦ୍ଘାଟନୀ ଅବସରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ନବ କୃଷ୍ଣ ଜେନା, ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ସେ ନିଜ ଅଭିଭାଷଣରେ ପିଲାମାନଙ୍କୁ ପାଠପଢା ସହିତ କ୍ରୀଡାକୁ ମଧ୍ୟ ସମାନ ଗୁରୁତ୍ୱ ଦେବା ସହିତ ନିୟମିତ ଅଭ୍ୟାସ, ଶୃଙ୍ଖଳା ଓ ନିଷ୍ଠା ମାଧ୍ୟମରେ ଭବିଷ୍ୟତରେ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିବାକୁ ପରାମର୍ଶ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଜିଲ୍ଲାର ଯୁବ ପ୍ରତିଭାମାନଙ୍କୁ ନିଜର ଦକ୍ଷତା ପ୍ରଦର୍ଶନ ପାଇଁ ଏକ ଉତ୍ତମ ମଞ୍ଚ ମିଳିଥିବାବେଳେ, ଆଗାମୀ ଦିନରେ କେନ୍ଦ୍ରାପଡା ଜିଲ୍ଲାରୁ ଅଧିକ ସଂଖ୍ୟକ ଉତ୍କୃଷ୍ଟ ବ୍ୟାଡମିଣ୍ଟନ ଖେଳାଳୀ ସୃଷ୍ଟି କରିବା ଦିଗରେ ଆସୋସିଏସନର ଏହି ପ୍ରୟାସ ନିଶ୍ଚିତ ଭାବେ ଏକ ସକାରାତ୍ମକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି। ଶେଷରେ ବ୍ୟାଡମିଣ୍ଟନ ଆସୋସିଏସନ ଅଫ୍ କେନ୍ଦ୍ରାପଡାର କାର୍ଯ୍ୟକାରୀ ସମ୍ପାଦକ ସୁଜିତ କୁମାର ମଲ୍ଲିକ ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ଖେଳାଳୀ, ଅଭିଭାବକ, କୋଚ୍, ଅଫିସିଆଲ୍ସ ଓ ଆସୋସିଏସନର ସମସ୍ତ କର୍ମକର୍ତ୍ତାଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ।
