
ପଟ୍ଟାମୁଣ୍ଡାଇ ୨୫/୫ – ଓଡ଼ିଶାର ସର୍ବବୃହତ ପଂଚକଳା କେନ୍ଦ୍ର ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର(ଗଡ଼ମେକର)ପକ୍ଷରୁ ୧୪୯ତମ ଗଣକବି ଗୋପାଳ ଦାଶ ଜୟନ୍ତୀ ଓ ୯୬ତମ ଭଜନ ସମ୍ରାଟ ଭିକାରି ବଳଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା-ନିର୍ଦ୍ଦେଶକ ଗୀତିକବି ସୁଶାନ୍ତ ପାଣିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମାରୋହରେ କଳା ମନ୍ଦିର ଅଧ୍ୟକ୍ଷ ରମେଶ ଦେ, ତାଳବାଦ୍ୟ ଗୁରୁ ସମୀରଞ୍ଜନ ଦାସ, ନୃତ୍ୟଗୁରୁ ବିଜୟ କୁମାର ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଗଣକବି ଗୋପାଳ ଦାଶ ଓ ଭଜନ ସମ୍ରାଟ ଭିକାରୀ ବଳ ଉଭୟ ଓଡ଼ିଶାର ସୁମହାନ ପ୍ରାତଃ ସ୍ମରଣୀୟ ବରପୁତ୍ର । ଉତ୍କଳୀୟ ସଙ୍ଗୀତ, ନାଟକ ଓ କଳା ପ୍ରତି ଉଭୟଙ୍କ ଅବଦାନ ଅତୁଳନୀୟ । ଗଣକବି ଗୋପାଳ ଦାଶ ଓଡ଼ିଆ ଗଣନାଟ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ ଭାବେ ପରାଧୀନ ଭାରତବର୍ଷରେ ନିରବଚ୍ଛିନ୍ନ ୪୦ ବର୍ଷକାଳ ସ୍ୱରଚିତ ୭୨ଟି ଗୀତିନାଟ୍ୟ ପରିବେଷଣ କରି ଆମ ଭାଷା ଓ ଜାତିର ଟେକ ରଖିଛନ୍ତି। ସେହିପରି ଭଜନ ସମ୍ରାଟ ଭିକାରୀ ବଳ ସୁଦୀର୍ଘ ଛଅ ଦଶନ୍ଧି କାଳ ନିଜର ଗୁରୁଗମ୍ଭୀର ସ୍ୱର ବିତରଣ ପୂର୍ବକ ଶ୍ରୀ ଶ୍ରୀ ଜଗନ୍ନାଥ ସଂସ୍କୃତି ଗାନକରି କିମ୍ବଦନ୍ତୀ ସଂରଚନା କରିଛନ୍ତି। ଉଭୟ କେନ୍ଦ୍ରାପଡା ମାଟିର ସୁଯୋଗ୍ୟ ସନ୍ତାନ ଆଜି ସମଗ୍ର ଓଡ଼ିଆ ଜାତିର ଗର୍ବ ଓ ଗୌରବ ପାଲଟିଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଅନୁଷ୍ଠାନର ଦୂରଦର୍ଶନ ଶିଳ୍ପୀ ସୁଶ୍ରୀ ସମ୍ପୂର୍ଣ୍ଣାଇନ୍ଦୁ ପାଣି, ସ୍ମୃତିପ୍ରିୟା ପ୍ରଧାନ, ବୈଶାଖୀ ରାଉତ, ରୀତା ସେଠୀ, ପ୍ରିୟଙ୍କା ବେହେରା ପ୍ରମୁଖ ଉତ୍ସବ ସଂଯୋଜନା, ସଂପ୍ରସାରଣ ଓ ଆୟୋଜନରେ ସହଯୋଗ କରିଥିଲେ ।
