
କେନ୍ଦ୍ରାପଡ଼ା,୩୦ା୭:କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ ବାୟୋମେଟ୍ରିକ ଉପସ୍ଥାନ ପକାଉନାହାନ୍ତି। ସରକାର କାର୍ଯ୍ୟାଳୟକୁ ଆସିବା ଓ ଫେରିବା ପାଇଁ ଯେଉଁ ସମୟ ଧାର୍ଯ୍ୟ କରିଛନ୍ତି ତାହାକୁ କର୍ମଚାରୀମାନେ ମାନୁନାହାନ୍ତି। ଏହିଭଳି ଅଭିଯୋଗ ଜିଲ୍ଲାପାଳଙ୍କ ନିକଟକୁ ଆସିବା ପରେ ବାୟୋମେଟ୍ରିକ ଉପସ୍ଥାନ ନଥିବା କର୍ମଚାରୀଙ୍କ ଦରମା ବନ୍ଦ ହେବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା-୧୩୧୩ ତା ୨୮.୦୭.୨୦୨୬ରିଖରେ ଜାରି ହୋଇଥିବା ଏହି ନିର୍ଦ୍ଦେଶ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ଚିକିତ୍ସା ଅଧିକାରୀ(ଏମ ଆଣ୍ଡ ଏସ)ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ, କେନ୍ଦ୍ରାପଡା ପୈାରାଞ୍ଚଳ ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ଜରୁରୀ ଅଧିକାରୀ, ଜିଲ୍ଲାର ସମସ୍ତ ତହସିଲଦାର, ସମସ୍ତ ବିଡିଓ ଏବଂ ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକମାନଙ୍କୁ ପ୍ରଦାନ କରାଯାଇଛି। ଏହି ନିଦର୍ଦେେଶରେ ଜିଲ୍ଲାପାଳ ଉଲ୍ଲେଖ କରିଛନ୍ତି ଯେ ସରକାର ଓ ଜିଲ୍ଲା ପ୍ରଶାସନର ବାରମ୍ବାର ନିର୍ଦ୍ଦେଶ ସତ୍ୱେ ଉପରୋକ୍ତ କାର୍ଯ୍ୟାଳୟ ଗୁଡିକର ଅନେକ କର୍ମଚାରୀ ଆଧାର ସଂଯୋଗ ଥିବା ବାୟୋମେଟ୍ରିକ ଉପସ୍ଥାନ ପକାଉନଥିବା ପ୍ରମାଣ ମିଳିଛି। ଯେଉଁ କର୍ମଚାରୀମାନେ ଅନୁପସ୍ଥିତ ରହୁଛନ୍ତି ସେମାନେ ଉଚ୍ଚ କତ୍ତୃପକ୍ଷଙ୍କ ଠାରୁ ଅନୁମତି ନେଉନାହାନ୍ତି। କର୍ମଚାରୀମାନଙ୍କ ଏଭଳି ମନୋଭାବ ପ୍ରଶାସନିକଶୃଙ୍ଖଳା, ସ୍ୱଛତା ଓ ଉତ୍ତରଦାୟିତ୍ୱବୋଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାଦ୍ୱାରା ସାଧାରଣ ଜନତା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।
