
ପଟ୍ଟାମୁଣ୍ଡାଇ ୨୨/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅନ୍ତର୍ଗତ ସୁଜନପୁର ଗ୍ରାମ ନିକଟରେ ଗୁରୁବାର ମଧ୍ୟାହ୍ନ ୨ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ଯୁବକ ନୂଆ ପଲସର ବାଇକରେ ମାଳିବସା-ବାବର ପୂର୍ତ ରାସ୍ତା ଦେଇ ବାବର ଅଭିମୁଖେ ଯାଇଥିବା ବେଳେ ମଟରସାଇକଲଟି ନିୟନ୍ତ୍ରଣ ହରାଇ ସୁଜୁନପୁର ଗାଁ ମୁଣ୍ଡ ଏକ ଆକାସି ଗଛରେ ପିଟି ହୋଇଛି । ଫଳରେ ଘଟଣା ସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ହେଲେ ସ୍ଥାନୀୟ କଣିପାଳ ଗ୍ରାମର ସ୍ୱର୍ଗତ ବସନ୍ତ ସାହୁଙ୍କ ପୁଅ ଚିତରଂଜନ ସାହୁ (୨୨) ଓ ସ୍ୱର୍ଗତ ଅକ୍ଷୟ ସାହୁଙ୍କ ପୁଅ ମୃତ୍ୟୁଞୟ ସାହୁ (୨୦)ବୋଲି ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁସାରେ, କଣିପାଳ ଗାଁର ମୃତ୍ୟୁଞୟ ବୁଧବାର ଏକ ନୂଆପଲସର ବାଇକ କିଣିଥିଲେ । ଗୁରୁବାର ମଧ୍ୟାହ୍ନରେ ଦୁଇ ସାଙ୍ଗ ବାଇକ୍ ଯୋଗେ କୌଣସି ଏକ କାମରେ ବାବର ବଜାରକୁ ଯାଉଥିଲେ। ନିଜ ଗ୍ରାମ ଠାରୁ ୨ କିମି ଦୂର ସୁଜନପୁର ଗାଁ ନିକଟରେ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପଟି ହୋଇଯାଇଥିଲେ। ଘଟଣାସ୍ଥଳରେ ଦୁଜଣଙ୍କର ଗୁରୁତର ହୋଇ ମୃତ୍ୟୁ ବରଣ କରିଥିଲା। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆଣି ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ଚିତରଂଜନ ଓ ମୃତ୍ୟୁଞୟଙ୍କୁ ମୃତ ଘୋଷଣା କରିଥିଲେ। ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ପୋଲିସ ମେଡିକାଲରେ ପହଁଂଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।
