ପଟ୍ଟାମୁଣ୍ଡାଇ ୨୪/୭ – ପଟ୍ଟାମୁଣ୍ଡାଇ ଧୋୟାଂଚଳ ଅନ୍ତର୍ଗତ ଅଳପୁଆ ପଂଚୟତର ଦାମୋଦରପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ଦିନ ହେବ ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ବିଦ୍ୟାଳୟ ଚାଲିଥିବା ଅଭିଯୋଗ ହୋଇଆସୁଥିବା ବେଳେ ଗ୍ରାମବାସୀ ଓ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଦାମୋଦରପାଟଣା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ କୋମଳମତି ଛାତ୍ରୀଛାତ୍ରମାନେ ପାଟପଢୁଛନ୍ତି । ମାତ୍ର ଏଠାରେ ଜଣେ ଶିକ୍ଷକ ସମସ୍ତ ଶ୍ରେଣୀ ଶିକ୍ଷାଦାନ ସହ ସରକାରୀ କାଗଜପତ୍ର କାର୍ଯ୍ୟ, ମଧ୍ୟାହ୍ନ ଭୋଜନ ପରିଚାଳନା ଏବଂ ଅନ୍ୟାନ୍ୟ ଅଫିସିଆଲ୍ ଦାୟିତ୍ୱ ତୁଲାଉଛନ୍ତି। ଫଳରେ ପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହେଉଛି। ଶିକ୍ଷକ ଅଫିସିଆଲ୍ କାମରେ ବାହାରକୁ ଗଲେ ବିଦ୍ୟାଳୟରେ ପାଠପଢ଼ା ସମ୍ପୂର୍ଣ୍ଣ ଠପ୍ ହୋଇଯାଉଛି। ଏହି ବିଦ୍ୟାଳୟ ପ୍ରତି ବିଭାଗୀୟ ଉଦାସୀନତା ଅଂଚଳବାସୀଙ୍କୁ ବ୍ୟଥିତ କରିଛି। ଏହି ଗମ୍ଭୀର ସମସ୍ୟାର ସମାଧାନ ଏବଂ ତୁରନ୍ତ ଶିକ୍ଷକ ନିଯୁକ୍ତି ନେଇ ଅଭିଭାବକ ଓ ଛାତ୍ରୀଛାତ୍ରମାନେ ସରକାର ତଥା ଶିକ୍ଷା ବିଭାଗ ନିକଟରେ ବାରମ୍ବାର ଦାବି କରିଛନ୍ତି । ହେଲେ ଏଯାଏଁ କୌଣସି ସୁଫଳ ମିଳିନାହିଁ । ଏଭଳି ପରିସ୍ଥିତିରେ ପ୍ରଶାସନର ନିରବତା କୋମଳମତି ପିଲାଙ୍କ ସୁନେଲି ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଉଛନ୍ତି ବୋଲି ଅଭିଭାବକମାନେ କହିଛନ୍ତି । ଉକ୍ତ କ୍ଳଷ୍ଟର୍ ସିଆରସିସି ପହଲ୍ଲାଦ ପଲେଇଙ୍କୁ ପଚରିବାରେ ଏବାବଦରେ ବିଇଓଙ୍କୁ ଅବଗତ କରାଯାଇଛି ବୋଲି କହିଥିଲେ ।ତେବେ କେନ୍ଦ୍ରାପଡା ଜିଲାପ୍ରଶାସନ ଓ ଶିକ୍ଷାଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଦାମୋଦର ପାଟଣା ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତ କରନ୍ତୁ । ନଚେତ୍ ଆଗାମୀ ଦିନରେ ଅଭିଭାବକ ଓ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଅଭିଭାବକ ପ୍ରକାଶ ଦାସ, ଅନନ୍ତ କିଶୋର ରାଉତ, ପ୍ରଭାତ ରାଉଳ, କିଶୋର ରାଉତ, କୈବଲ୍ୟ ପରିଡା, ଡି ରବର୍ଟସନ ରାଜୁ, ଶୁରେଶ ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି । ଏନେଇ ପଟ୍ଟାମୁଣ୍ଡାଇ ବିଇଓ ଅଜିତ ବାରିକଙ୍କୁ ପଚାରିବାରେ ବ୍ଲକରେ ସମୁଦାୟ ୮୦୦ ଶିକ୍ଷକ ଅବଶ୍ୟକ ଥିବା ବେଳେ ୬୦୮ ଜଣ ଶିକ୍ଷକରେ ଶିକ୍ଷାଦାନ କରାଯାଉଛି । ୧୯୨ ଶିକ୍ଷକଙ୍କ ଅବଶ୍ୟକ ଥିବା ବେଳେ ଆଗକୁ ୧୧ ଜଣ ଶିକ୍ଷକ ଅବଶର ନେବେ । ସଂପ୍ରତି ୨୧ ଟି ସ୍କୁଲେ ସିଙ୍ଗଲ ଶିକ୍ଷକରେ ଶିକ୍ଷାଦାନ କରାଯାଉଛି । ଅତିଶିଘ୍ର ଦମୋଦରପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଆଉ ଜଣେ ଶିକ୍ଷକ ନିଯୁକ୍ତ ଦିଆଯିବ ବୋଲି ସେ କହିଛନ୍ତି ।
