ମିଳିଲା କୋଟିକୋଟି ଟଙ୍କାର ସମ୍ପତି ଓ ସୁନା ବିସ୍କୁଟ : ଜେଲ ଗଲେ ମହିଳା ଯନ୍ତ୍ରୀ

blank
କେନ୍ଦ୍ରାପଡ଼ା,୭ା୯:ଭିଜିଲାନ୍ସ ହାତରେ ଧରା ପଡିଥିବା କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଶ୍ରୀମତୀ ସାହୁ ୨୦୦୯ ମସିହାରେ ମାତ୍ର ୪ ହଜାର ଟଙ୍କା ଦରମାରେ ଚାକିରୀ ଆରମ୍ଭ କରି ୨୦୨୬ ମସିହା ମଧ୍ୟରେ କୋଟିପତି ହୋଇଯାଇଥିଲେ। ୨୦୧୬ ମସିହାରେ ତାଙ୍କ ଚାକିରୀ ନିୟମିତ ହୋଇଥିଲା ଓ ସେ ସହକାରୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ। ୨୦୨୬ ମସିହା ମାର୍ଚ୍ଚ ମାସ ୨ ତାରିଖରେ ସେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ସେ ଏଭଳି ଦୁର୍ନୀତି କରିଥିଲେ ଯେ କୋଟି କୋଟି ଟଙ୍କାର ମାଲିକାଣୀ ହୋଇ ଯାଇଥିଲେ। ଏହି ସମୟ ମଧ୍ୟରେ ସେ ବ୍ୟାଙ୍କରେ ୬୩ ଲକ୍ଷ ଟଙ୍କାର ଜମା ରଖିଛନ୍ତି। ଭୁବନେଶ୍ୱରର ପ୍ରାଇମ ଲୋକେସନରେ ଏକ ଫ୍ଲାଟ କିଣିଛନ୍ତି ଯାହାର ମୂଲ୍ୟ ଏକ କୋଟିରୁ ଊର୍ଦ୍ଧ୍ୱ ହେବ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଏକ ରଡ ଓ ସିମେଣ୍ଟ ଗୋଦାମ ଓ ବଲାଙ୍ଗୀରରେ ମଧ୍ୟ ଏକ ରଡ ସିମେଣ୍ଟ ଗୋଦାମ କରିଛନ୍ତି ଯେଉଁଥିରେ କୋଟି କୋଟି ଟଙ୍କା ବିନିଯୋଗ ହୋଇଛି। ୫ଟି ଦାମୀ ପ୍ଲଟ କିଣିଛନ୍ତି ଯାହାର ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ ହେବ। ଗୋଟିଏ ପ୍ଲଟ ଭୁବନେଶ୍ୱରରେ ରହିଛି। ୩ଟି ପ୍ଲଟ ମାର୍ଶାଘାଇରେ ଓ ଆଉ ଏକ ପ୍ଲଟ୍ ଢେଙ୍କାନାଳରେ ରହିଛି। ଏହି ପ୍ଲଟଗୁଡିକର ମୂଲ୍ୟ ୨ କୋଟିରୁ ଊର୍ଦ୍ଧ୍ୱ ହେବ। ସେହିପରି ସୁନା ବିସ୍କୁଟ କିଣିଛନ୍ତି। ଏହାସହ ହୀରା ମଧ୍ୟ କିଣିଛନ୍ତି। ଏଗୁଡିକର ମୂଲ୍ୟ ୫୦ ଲକ୍ଷରୁ ଅଧିକ ଟଙ୍କା ହେବ। ସୂଚନା ଯୋଗ୍ୟ ଯେ ଗତ ଶନିବାର ସେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶଘାଇରେ ଥିବା ଡ୍ରେନେଜ ଡିଭିଜନରୁ ୩ ଲକ୍ଷ ୧୫ ହଜାର ଟଙ୍କା ସାଙ୍ଗରେ ନେଇ ଏକ ସରକାରୀ ଗାଡିରେ ନୟନବିହାର ସ୍ଥିତ ବାସଭବନକୁ ଯାଉଥିଲେ। ବିଶେଷ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଅଧିକାରୀମାନେ ୫୩ନମ୍ବର ଜାତୀୟ ରାଜପଥର ମାର୍ଶାଘାଇ କ୍ରସିଂ ନିକଟରେ ଛକି ରହିଥିଲେ। ସହକାରୀ ଯନ୍ତ୍ରୀ ଶ୍ରୀମତୀ ସାହୁ ସେହି ରାସ୍ତାଦେଇ ଯିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଗାଡି ଅଟକାଇଥିଲେ। ତାଙ୍କ ଗାଡି ତଲାସୀ ନେବାରୁ ୩ ଲକ୍ଷ ୧୫ ହଜାର ଟଙ୍କା ନଗଦ ଅର୍ଥ ମିଳିଥିଲା। ଏହାପରେ ଭିଜିଲାନ୍ସ ଅଧିକାରୀମାନେ କେନ୍ଦ୍ରାପଡ଼ା ସହରର ଦୁହୁରିଆର ନୟନବିହାର ସ୍ଥିତ ତାଙ୍କ ବାସଭବନରେ ଯାଞ୍ଚ କରିବାରୁ ଆଉ ୪ ଲକ୍ଷ ଟଙ୍କା ମିଳିଥିଲା। ଏହାପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ, ସୁନାଗହଣା, ଜମିବାଡି କାଗଜପତ୍ର ସମେତ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରିବାରୁ ସେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ବୋଲି ଜଣାପଡିଥିଲା। ଶନିବାର ରାତି ୮ଟାରୁ ରାତି ୩ଟା ପର୍ଯ୍ୟନ୍ତ ତାଙ୍କ ବାସଭବନରେ ତଲାସୀ ଚାଲିଥିଲା। ରବିବାର ଭୋର ସମୟରେ ଭିଜିଲାନ୍ସ ଅଧିକାରୀମାନେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀମତୀ ସାହୁଙ୍କୁ ସାଙ୍ଗରେ ଧରି କଟକ ଭିଜିଲାନ୍ସ ଡିଭିଜନକୁ ନେଇଥିଲେ। ସେଠାରେ ଜେରା କରାଯିବା ପରେ ସେ ତାଙ୍କ ବୈଧ ଆୟର ଉତ୍ସ ସଂକ୍ରାନ୍ତରେ ତଥ୍ୟ ଦେଇ ପାରି ନଥିଲେ। ଆୟବହିର୍ଭୁତ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ଅଧିକାରୀମାନେ ସ୍ପଷ୍ଟ ହୋଇଥିଲେ। ତେଣୁ ତାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ଯିବାକୁ ପଡିଛି।

Leave a Reply

Next Post

ରାଜସ୍ୱ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ତହସିଲସ୍ତରରେ ସେପ୍ଟେମ୍ବରମାସର ଅଭିଯୋଗ ଶୁଣାଣି

Mon Sep 7 , 2026
କେନ୍ଦ୍ରାପଡ଼ା,୭ା୯:କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ତହସିଲସ୍ତରରେ ବିଚାରାଧୀନ ରାଜସ୍ୱ ସମ୍ପର୍କିତ ଅଭିଯୋଗ ଗୁଡ଼ିକର ତ୍ୱରିତ ସମାଧାନ ଏବଂ ଜନସାଧାରଣଙ୍କୁ ନିଜ ଅଭିଯୋଗ ଉପସ୍ଥାପନ ପାଇଁ ସୁଯୋଗ ପ୍ରଦାନ ନିମନ୍ତେ ପ୍ରତି ମାସରେ ତହସିଲସ୍ତରରେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଅଭିଯୋଗ ଶୁଣାଣି କରାଯାଉଛି। ଏହି ପରିପ୍ରେକ୍ଷୀରେ ସେପ୍ଟେ୍ଟମ୍ବରମାସ ପାଇଁ ଅଭିଯୋଗ ଶୁଣାଣିର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲାପାଳ ରଘୁରାମ ଆର. ଆୟର୍ ୧୦ ସେପ୍େଟମ୍ବରରେ କେନ୍ଦ୍ରାପଡ଼ା ତହସିଲରେ ଅଭିଯୋଗ ଶୁଣାଣି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading