
କେନ୍ଦ୍ରାପଡା,୨୪ା୫: ସରକାରୀ ଅବହେଳାର ଶିକାର ହୋଇଥିବା ଅକ୍ଷମ ତଥା ଅସହାୟ ୮୧ବର୍ଷ ବୟସ୍କ ବୃଦ୍ଧ ଶ୍ରୀଧର ସାହୁଙ୍କୁ ଆଜି ତାଙ୍କ କୋରୋ ବାସଭବନରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଭେଟି ତାଙ୍କ ଦୁଃସ୍ଥିତି ପ୍ରତି ସମ୍ବେଦନଶୀଳ ହୋଇ ଅସହାୟତାର ହାତ ବଢାଇଛନ୍ତି । ପିନ୍ଧାବସ୍ତ୍ର ତଥା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଅତ୍ୟନ୍ତ ଅମାନବୀୟ ପରିବେଶରେ ଶ୍ରୀ ସାହୁଙ୍କୁ ଦେଖି ବିଧାୟକ ଉଦ୍ବେଗ ପ୍ରକାଶ କରିଛନ୍ତି । ସଂପ୍ରତି ରହୁଥିବା ଭଙ୍ଗା ଚାଳଘରଟିକୁ ଅତିଶୀଘ୍ର ସଜାଡି ବାସ ଉପଯୋଗୀ କରିଦେବାକୁ କୋରୋ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ରଣଜିତ୍ ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥି ସାଙ୍ଗକୁ ଆଉ କେତୋଟି ଆବଶ୍ୟକୀୟ ଜିନିଷ ଯୋଗାଇ ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସରକାରୀ ନିର୍ଦ୍ଦେଶନାମାର ଉଲଂଘନ ହେତୁ ଏପରି ଏକ ଦୁଃଖଦାୟକ ଘଟଣା ଘଟିଲା ଓ ସାରା ଓଡିଶାରେ କୋରୋ ଗାଁର ସୁନାମରେ ଆଞ୍ଚ ଆସିଲା । ଘରେ ପହଞ୍ôଚ ଯଦି ପଞ୍ଚାୟତ ଅଧିକାରୀ ଭତ୍ତା ଟଙ୍କା ଦେଇଦେଇ ଥାଆନ୍ତେ ତାହେଲେ ଅଭାବନୀୟ ଘଟଣା ଘଟି ନଥାନ୍ତା । କର୍ତ୍ତବ୍ୟରେ ଅବହେଳା ପାଇଁ ପଞ୍ଚାୟତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଶ୍ରୀଧର ସାହୁଙ୍କ ବୟସ ୮୧ ହୋଇଥିବାରୁ ତାଙ୍କୁ ମାସିକ ୩୫୦୦ ଭତ୍ତା ନିୟମିତ ଭାବରେ ତାଙ୍କ ଘରେ ପ୍ରଦାନ ଏବଂ ବାସହୀନ ହେତୁ ପ୍ରଧାନମନ୍ତ୍ରୀ ଅନ୍ତୋଦୟ ଗୃହ ଯୋଜନାରେ ଘର ଯୋଗାଇ ଦେବାକୁ ବିଧାୟକ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି ।
