ସୁଧୁରୁନି ପୋଲିସ ବ୍ୟବସ୍ଥା !
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ବଡ଼ପଦା ପଂଚାୟତ କାଠିଆପଡା ଗ୍ରାମରେ ବୁଧବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ +୩ ଶେଷ ବର୍ଷର କଲେଜ ଛାତ୍ରୀ ନିଜ ଘରେ ଦେହରେ କିରାସିନି ଢାଳି ନିଆଁ ଲଗାଇ ଜୀବନ ହାରି ଥିବା ନେଇ ଆଲୋଚନା ହେଉଛି । ବାପା, ମା ବଜାର ଯାଇଥିବା ବେଳେ ଝିଅ ଏଭଳିକାଣ୍ଡ ଘଟାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ହେଲେ ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲେ ମଧ୍ୟ ପୋଲିସ ପଂହଚିବା ବିଳମ୍ବ କରିଥିଲା ମାତ୍ର ଯୁବତୀ ଜଳିଯିବା ଘଟଣା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ହସ୍ତକ୍ଷେପ କରି କେନ୍ଦ୍ରାପଡ଼ା ଏସପିଙ୍କୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ରାପଡା ଏସପିଙ୍କ ସହ ପୋଲିସ ଓ ସାଇଂଟିଫିକ ଟିମ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପାରିପାର୍ଶ୍ୱିକ ସ୍ଥିତି ଓ ପରିବାର ଲୋକଙ୍କ ବୟାନ ଆଧାରରେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।
ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବଡପଡା ପଂଚାୟତ କାଠିଆପଡା ଗ୍ରାମର ଶଶିକାନ୍ତ ପରିଡାଙ୍କ ଝିଅ ସଂଗୀତା ବଡପଡା କଲେଜରେ +୩ ଶେଷବର୍ଷ କକା ଛାତ୍ରୀ ଥିଲେ । ବୁଧବାର ସକାଳେ ସଂଗୀତାଙ୍କ ବାପା ମା କୌଣସି କାମରେ ପଟ୍ଟାମୁଣ୍ଡାଇ ଯାଇଥିଲେ । ଘରେ ସଂଗୀତା ଏକୁଟିଆ ଥିଲେ । ବାପା ମା ପୂର୍ବାହ୍ନରେ ଘରକୁ ଫେରି ଘର ବନ୍ଦ ଥିବା ଦେଖିବାକୁ ପାଇଥିଲେ । ବହୁ ଡକାଡକି ପରେ ସେ କବାଟ ନଖୋଲିବାରୁ ବାପା ମା ବାଧ୍ୟ ହୋଇ କବାଟ ଭାଙ୍ଗି ତାଙ୍କ ରୁମ ଭିତରେ ପ୍ରବେଶ କରି ସଂଗୀତା ପୋଡି ହୋଇ ମୃତ୍ୟୁବରଣ କରିଥିବା ଦେଖିବାକୁ ପାଇଥିଲେ ।
ବ୍ଲାକମେଲର ଶିକାର ହୋଇଥିବା ହଠାତ ନିଜ ଦେହରେ କିରୋସିନ ଢାଳି ନିଆଁରେ ପୋଡି ହୋଇ ସନ୍ଦେହଜନକ ମୃତ୍ୟୁବରଣ କରିଥିବା ନେଇ ସାଧାରଣରେ ନାନା କଥା ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି ।
ଗତ ୬ ମାସ ତଳେ ଝିଅକୁ ଜଣେ ଯୁବକର ବ୍ଲାକମେଲ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଥିଲି । ପୋଲିସ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଯୁବକର ଅତ୍ୟାଚାର ସହିନପାରି ଶେଷରେ ନିରୂପାୟ ହୋଇ ସଂଗିତା ଆତ୍ମହତ୍ୟା କରିଥିବା ନେଇ ତାଙ୍କ ବାପା ବୈଦ୍ୟୁତିକ ଗଣମାଧ୍ୟମରେ ଦେଇଥିବା ବୟାନରୁ ଜଣାପଡଛି ।
ବଡପଡା ସରପଂଚ ପ୍ରତିନିଧି ପାରେଶ୍ୱର ସେଠୀ କୁହନ୍ତି ଶଶିକାନ୍ତ ପରିଡାଙ୍କ ୨୦ ବାର୍ଷର ଝିଅ ସଙ୍ଗିତା +୩ ଶେଷ ବର୍ଷର କଲେଜ ପଢୁଥିଲେ । ଗତ କିଛିଦିନ ହେବ ବାବର ଅଂଚଳର ଜଣେ ଯୁବକ ତାଙ୍କୁ ଅଶ୍ଳୀଳ ଫଟୋ ଓ ଭିଡିଓ ଜରିଆରେ ବ୍ଲାକମେଲିଂ କରୁଥିଲା । ଏଥିନେଇ ସେ ଗ୍ରାମଂଚଳ ଥାନାରେ ୬ ମାସ ପୂର୍ବରୁ ଅଭିଯୋଗ ମାତେ ସାଙ୍ଗରେ ନେଇ ଯାଇଥିଲେ । ହେଲେ ପରେ କଣ ହୋଇଛି ତାହା ମତେ ଜଣାଇନଥିଲେ ।
ଯୁବତୀ ଆତ୍ମହତ୍ୟା ଘଟଣା ନେଇ ସରକାରଙ୍କୁ ରାଜନଗର ବିଧାୟକ ଧ୍ରୁବ ସାହୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ପୋଲିସର ଅପାରଗତା ପାଇଁ ଆଜି ଏକ ନିରିହ ଯୁବତୀର ଜୀବନଦିପ ଲିଭିଗଲା । ଠିକ୍ ଢଙ୍ଗରେ ଘଟଣାର ତଦନ୍ତ ହେବାର ଆବଶ୍ୟକତା ରହିଛି। ଥାନାରେ ସେ କାହା ପାଖରେ ଅଭିଯୋଗ କରିଥିଲେ । ତେବେ କାହିଁକି ଯୁବତୀଙ୍କ ଅଭିଯୋଗକୁ ହାଲୁକା ଭାବେ ନିଆଯାଇଥିଲା । କାହିଁକି ରଖା ଯାଇନଥିଲା । ପାଠ ପଢୁଥିବା କଲେଜ ଛାତ୍ରୀ କାହିଁକି ଆତ୍ମାହୁତି ଦେଲେ ତାହାର ବିଧିବଦ୍ଧ ତଦନ୍ତ ହେବା ଅବଶ୍ୟକ ଅଛି ।
ସେହିପରି କେନ୍ଦ୍ରାପଡା ଜିଲା କଂଗ୍ରେସ ପୂର୍ବତନ ସଭାପତି ସତ୍ୟପ୍ରିୟ ସାମଲଙ୍କ କୁହନ୍ତି ଗତ ମାର୍ଚ୍ଚ ୭ ତାରିଖରେ ନୂଆପଲ୍ଲୀ ଥାନା ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ- ଥାନାରେ ସମସ୍ତ ଏଫଆଇଆର ଗ୍ରହଣ କରାଯିବ । ଯେଉଁ ଆଇଆଇସି ଏଫଆଇଆର ଗ୍ରହଣ କରିବନି ସିଏ ତତକ୍ଷଣାତ୍ ସସପେଣ୍ଡ ହେବ ବୋଲି ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଅତୀତରେ ନିଜ ସହ ପୋଲିସର ଖରାପ ବ୍ୟବହାରକୁ ଉଦାହରଣ ଦେଇ ଏଭଳି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ତାଙ୍କ ନିର୍ଦ୍ଦେଶକୁ ପଟ୍ଟାମୁଣ୍ଡାଇ ପୋଲିସ ଫୁଙ୍କି ବାଏଁ ବାଏଁ କରି ଉଡ଼ାଇ ଦିଆଯାଇଛି । ଯାହାର ବଡ଼ ଉଦାହରଣ ଆଜି ଘଟି ଜଣେ ଛାତ୍ରୀ ଜୀବନ ଚାଲିଯାଇଛି ।
ବିଜେଡି ରାଜ୍ୟ ସମ୍ପାଦକ ମିଟୁ ଦାଶ କୁହନ୍ତି ଓଡ଼ିଶାର ଶାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଗୃହ ବିଭାଗର ସ୍ଥାଣୁ ପାଲଟିଯାଇଛି । ସୁଶାସନ ନାଁରେ ଓଡ଼ିଶାରେ ଚାଲିଛି ଦୁଃଶାସନ ଶାସନ। କେତେବେଳେ ବାଲେଶ୍ୱର କେତେବେଳେ ପୁରୀ ଆଜି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ଯୁକ୍ତ ତିନି ତୃତୀୟ ବର୍ଷର ଝିଅଟି ଜୀବନ ହାରିଲା। ଏଇଥିପାଇଁ ଜୀବନ ହାରିଲା ଯେ ତାର ଅଭିଯୋଗ ଗ୍ରହଣ କରାଗଲା ନାହଁ। ମୁଖ୍ୟମନ୍ତ୍ରୀ କହିଥିଲେ ଜିରୋ ଏଫ ଆଇ ଆର ପଞ୍ଜୀକରଣ କରିବା ପାଇଁ ବାଧ୍ୟ । ଆଜି ଲାଗୁଛି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ କଥା ଡିଜିପି ଶୁଣୁନାହାନ୍ତି । ମହିଳା ଛାତ୍ରୀମାନେ ନିରାଶ ହୋଇପଡିଛନ୍ତି। ସେ ଝିଅର ବାପା ଥାନାକୁ ଯାଇ ଅନୁରୋଧ କରିଥିଲେ। ଆଇଆଇସି ଘଟଣାସ୍ଥଳକୁ ଯାଇ ନଥିଲେ। ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏଭଳି ଘଟଣାର ଘଟିଚାଲିଛି । ଆଉ କେତେ ଦିନ ଯାଏ ଅପେକ୍ଷା କରିବା । ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଚଳାଇ ପାରୁନାହାନ୍ତି । ଗୃହ ବିଭାଗ ଆଉ କାହାକୁ ଦିଅନ୍ତୁ, ଗାଦି ଛାଡ଼ନ୍ତୁ ବୋଲି କହିଛନ୍ତି।
