କେନ୍ଦ୍ରାପଡା କେନାଲରୁ ହେଉନି ଦଳ ସଫା,ବର୍ଷାଦିନେ ବି ମରୁଡି ସମସ୍ୟା

blank
କେନ୍ଦ୍ରାପଡ଼ା,୨୧ା୭ :କେନ୍ଦ୍ରାପଡ଼ା ସହର ଦେଇ ଗଣ୍ଡାକିଆ ପର୍ଯ୍ୟନ୍ତ ବୋହି ଯାଇଥିବା ଗୋବରୀ କେନାଲ ବା କେନ୍ଦ୍ରାପଡା କେନାଲରୁ ଦଳ ସଫା ହେଉନାହିଁ। ଯାହା ଫଳରେ ତଳ ମୁଣ୍ଡୁକୁ ପାଣି ମାଡି ପାରୁନାହିଁ। ପାଣି ମାଡି ପାରୁ ନଥିବାରୁ ଚାଷୀମାନେ କେନାଲ ଜଳକୁ ଜମିରେ ବ୍ୟବହାର କରିପାରୁନାହାଁନ୍ତି। ଫଳରେ ପନିପରିବା ଚାଷ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଚାଷୀମାନେ ବାଧ୍ୟହୋଇ ବିଲରେ ବୋରିଂ କରି ପାଣି ମଡାଉଛନ୍ତି। ତେଣୁ ଏତେ ବଡ଼ କେନାଲ ଥାଇ ଲାଭ କ’ଣ ବୋଲି ଚାଷୀମାନେ ପ୍ରଶ୍ନ କରୁଛନ୍ତି। କେନ୍ଦ୍ରାପଡ଼ା ସହର ଦେଇ ବୋହି ଯାଇଥିବା ଗୋବରୀ କେନାଲ କେନ୍ଦ୍ରାପଡ଼ା ବ୍ଲକର ଓସ୍ତପୁର ପଞ୍ଚାୟତ, କଂସାର ପଞ୍ଚାୟତ, ପୁରୁଷୋତ୍ତମପୁର ପଞ୍ଚାୟତ, ଅୟବା ପଞ୍ଚାୟତର ହଜାର ହଜାର ହେକ୍ଟର ଜମିକୁ ଜଳସେଚିତ କରିଥାଏ। ଫଳରେ ଚାଷୀମାନେ କେନାଲ୍ ଜଳକୁ ବ୍ୟବହାର କରି ପନିପରିବା ଚାଷ କରିଥାନ୍ତି। ହେଲେ କେନାଲ ସଫା ହେଉ ନଥିବାରୁ ଚାଷୀମାନେ ପନିପରିବା ଚାଷ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଯେଉଁ କେତେକ ଚାଷର ବିଲରେ ବୋରିଂ କରି ଚାଷ କରୁଛନ୍ତି ସେମାନେ କ୍ଷତି ସହୁଛନ୍ତି। କାରଣ ବିଦ୍ୟୁତ ବିଲ ଅଧିକ ହୋଇ ଯାଉଛି। କିନ୍ତୁ କେନାଲ ଯୋଗେ ବିଲକୁ ପାଣି ମଡାଇଲେ ସେମାନେ ଲାଭବାନ ହୋଇଥାନ୍ତେ। ଫଳରେ ପନିପରିବା ଚାଷ ହେଉ କି ଧାନ ଚାଷ ହେଉ ଚାଷ କାର୍ଯ୍ୟରେ ଚାଷୀମାନେ ମନୋନିବେଶ କରିବେ। ହେଲେ କେନାଲରୁ ଦଳ ସଫା ହେଉ ନଥିବାରୁ ଜଳ ପ୍ରବାହିତ ହୋଇ ପାରୁନାହିଁ। ଦଳ ସଫା ପାଇଁ କୋଟି କୋଟି ଟଙ୍କାର ଟେଣ୍ଡର ହେଉଛି। କିନ୍ତୁ ଯେଉଁ ଠିକାଦାରମାନେ କାମ ନେଉଛନ୍ତି ସେମାନେ ସଠିକ ଭାବେ କାର୍ଯ୍ୟ କରୁନାହାନ୍ତି। ଯାହା ଫଳରେ ଦଳସଫା କାର୍ଯ୍ୟ ସଠିକ ଭାବେ ହୋଇ ପାରୁନାହିଁ। ଓସ୍ତପୁର ପଞ୍ଚାୟତର କୃଷକ ନେତା ଫକୀର ଚରଣ ଖଟୁଆ କହିଛନ୍ତି ପୂର୍ବରୁ ଏହି କେନାଲ ଯୋଗେ ପାଣି ଚାଷୀଙ୍କ ବିଲ ପର୍ଯ୍ୟନ୍ତ ପହଞ୍ଚୁଥିଲା। ହେଲେ ଏବେ ତାହା ହେଉନାହିଁ। କେନାଲକୁ ସଠିକ ଭାବେ ସଫା କରାଯାଉନାହିଁ। ପୂର୍ବରୁ ଶ୍ରମିକ ଲଗାଯାଇ ସଠିକ ଭାବେ କେନାଲ ସଫା ହେଉଥିଲା। ହେଲେ ଏବେ ଠିକାଦାରମାନେ ଜେସିବି ଲଗାଇ କେନାଲ ସଫା କରୁଛନ୍ତି। କିନ୍ତୁ କିଛି ଲାଭ ହେଉନାହିଁ। କାରଣ କେନାଲ ଠିକ ଭାବେ ସଫା ହୋଇ ପାରୁନାହିଁ। ଏହାଦ୍ୱାରା ଉପର ମୁଣ୍ଡରୁ ପାଣି ତଳମୁଣ୍ଡକୁ ଯାଇ ପାରୁନାହିଁ। ତେଣୁ ତଳ ମୁଣ୍ଡରେ ଥିବା ଚାଷୀମାନେ ଚାଷ କାର୍ଯ୍ୟ କରିବା ପାଇଁ ପାଣି ପାଉନାହାଁନ୍ତି। ଏହାଦ୍ୱାରା ସେମାନେ ହନ୍ତସନ୍ତ ହେଉଛନ୍ତି। ବର୍ତ୍ତମାନ ବର୍ଷା ଋତୁ ଚାଲିଛି। ହେଲେ ବର୍ଷା ଋତୁରେ ବି ଚାଷୀମାନେ ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। କାରଣ ପନିପରିବା ଚାଷ ପାଇଁ ଯେଉଁ ପାଣିର ଆବଶ୍ୟକତା ରହିଛି ତାହା କେନାଲ ଯୋଗାଇ ପାରୁନାହିଁ। ତେଣୁ ପନି ପରିବା ଚାଷ କରିବା ପାଇଁ ଚାଷୀମାନେ ବିମୁଖ ହେଉଛନ୍ତି। ଏହାଦ୍ୱାରା କେନ୍ଦ୍ରାପଡ଼ାର ଲୋକମାନେ ଅନ୍ୟ ଜିଲ୍ଲାର ପନିପରିବା ଉପରେ ନିର୍ଭର କରୁଛନ୍ତି। ଫଳରେ ଦରଦାମ ଅଧିକ ରହୁଛି। ଗରିବ ଓ ନିମ୍ନମଧ୍ୟବିତ ଲୋକମାନେ ଆବଶ୍ୟକ ପରିମାଣର ପନିପରିବା ଖାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ସେଠୀ କହିଛନ୍ତି ନିକଟରେ କେନାଲରୁ ଦଳ ସଫା କାର୍ଯ୍ୟ ଆରମ୍ଭ ହୋଇଛି। କିଛି ଦିନ ମଧ୍ୟରେ କେନାଲରୁ ଦଳ ସଫା କାର୍ଯ୍ୟ ଶେଷ ହୋଇଗଲେ ଚାଷୀମାନେ କେନାଲ ଜଳ ବ୍ୟବହାର କରି ଚାଷ କାର୍ଯ୍ୟ କରିପାରିବେ।

Next Post

ସାହିତ୍ୟ ହିଁ ଦେଶ ଓ ଜାତିର ମେରୁଦଣ୍ଡ..

Mon Jul 21 , 2025
କେନ୍ଦ୍ରାପଡ଼ା,୨୧ା୭ :ମୌସୁମୀ ସାହିତ୍ୟ ଓ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ସାଂଧ୍ୟ୍ୟ ମହାବିଦ୍ୟାଳୟ ସଭା ଗୃହରେ କବି ଡ଼. ଶ୍ରୀଧର ସାମଲଙ୍କ ନୂତନ କବିତା ସଂକଳନ “ନିରବତାର ସେପାଖରେ’ର ଶୁଭ ଉନ୍ମୋଚନ ସହ ଏକ ଭବ୍ୟ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ସମ୍ପାଦକ ଡ଼ ଶ୍ରୀଧର ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟଅତିଥି ଭାବେ ବିଶିଷ୍ଠ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading