
କେନ୍ଦ୍ରାପଡ଼ା,୨୭ା୩:କେନ୍ଦ୍ରାପଡା-ବସପୁର ରାସ୍ତାର କନ୍ତିଆ ଛକରେ ଶୁକ୍ରବାର ପ୍ରାତଃ ପ୍ରାୟ ୫ଟା ବେଳେ ଏକ ଦ୍ରୁତଗାମୀ ବାଇକ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ଅଭିଯୋଗ ଅନୁଯାୟୀ କୁଦାନଗରୀ ଥାନା ଅନ୍ତର୍ଗତ ମାହାରାକୂଳ ଗ୍ରାମର ଭାଗବତ ଦାସ ଓ ତାଙ୍କ ପତ୍ନୀ ସୁକାନ୍ତି ଦାସ(୫୭) ଦିଆନପାଟଣା (ଆଇତିପୁର)ରୁ ଯାତ୍ରା ଦେଖି ଚାଲି ଚାଲି ଘରକୁ ଫେରୁଥିବା ବେଳେ ଶୁକ୍ରବାର ସକାଳେ ବିପରିତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ(ୟାମାହା ଏଫଜେଡ ନଂ- ଓଡି-୦୫-ବିଏଫ-୦୩୯୫) ସୁକାନ୍ତିଙ୍କୁ ଜୋରରେ ଧକ୍କା ଦେଇଥିଲା। ଫଳରେ ସୁକାନ୍ତି ରାସ୍ତା ଉପରେ ପଡିଯାଇଥିଲେ। ସୁକାନ୍ତିଙ୍କ ମୁଣ୍ଡ ପଛପଟ ରାସ୍ତାରେ ଜୋରରେ ପିଟିହୋଇଯାଇ ମୁଣ୍ଡ ଓ ନାକରୁ ରକ୍ତସ୍ରାବ ହୋଇଥିଲା। ବାଇକଟି ଧକ୍କାଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସୁକାନ୍ତିଙ୍କ ସ୍ୱାମୀ ଭାଗବତ ଚିତ୍କାର କରିବାରୁ ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ସୁକାନ୍ତିଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ସୁକାନ୍ତିଙ୍କ ପୁଅ ଜଗନ କୁମାର ଦାସ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଛନ୍ତି। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କ ସମେତ ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରେ ରାସ୍ତା ଉପରେ ସୁକାନ୍ତିଙ୍କ ଶବ ରଖି ରାସ୍ତାରୋକ କରିଥିଲେ। ପ୍ରାୟ ଅଧଘଣ୍ଟା ଧରି ସେହି ରାସ୍ତାର ଉଭୟ ପାଶ୍ୱର୍ରେ ଗାଡିମଟର ଗୁଡିକ ଅଟକି ରହିଥିଲା। ଖବର ପାଇ ଘଟଣାସ୍ଥଳରେ ସଦରଥାନା ଅଧିକାରୀ ପଦ୍ମାଳୟା ପ୍ରଧାନ ପୋଲିସ ଫୋର୍ସ ସହ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଅଭିଯୁକ୍ତକୁ ୩ଦିନ ମଧ୍ୟରେ ଗିରଫ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ରାସ୍ତାରୋକ ହଟିଥିଲା।
