
କେନ୍ଦ୍ରାପଡା,୫ା୫: କେନ୍ଦ୍ରାପଡ଼ା ସଦର ମହକୁମାରେ ଆଜି ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ଣ ୭ ଘଟିକାଠାରୁ ୧୦ ଘଟିକା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନ୍ହଲ୍ଠାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, କେନ୍ଦ୍ରାପଡା ବିଡିଓ ଅଭିଷେକ ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ପ୍ରମୋଦ କୁମାର ପ୍ରହରାଜ, କେନ୍ଦ୍ରାପଡା ଏସଡିପିଓ, ସହକାରୀ ଜିଲ୍ଲାପାଳ, କେନ୍ଦ୍ରାପଡା ପୌରପରିଷଦର ନିର୍ବାହୀ ଅଧିକାରୀ, ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟମେଂଟ୍ର ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଅଭିଯୋଗ ଶୁଣାଣିରେ ସହାୟତା କରିଥିଲେ। ଆଜିର ଅଭିଯୋଗ ଶୁଣାଣିରେ ମୋଟ୍ ୧୬୬ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ସେଥି ମଧ୍ୟରୁ ୧୫ ଗୋଟି ସାମୁହିକ ଏବଂ ୧୫୧ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିଲା। ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୨୯ ହଜାର ଟଙ୍କା ୯ ଜଣ ଆବେଦନକାରୀଙ୍କୁ ଦେବା ପାଇଁ ଜିଲ୍ଲାପାଳ ମଞ୍ଜୁର କରିଛନ୍ତି। ସମସ୍ତ ଅଭିଯୋଗର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟ ଜଳ ଯୋଗାଣ, ନୂତନ ରାସନ୍କାର୍ଡ଼ ପ୍ରଦାନ, ଅନ୍ତୋଦୟ ଯୋଜନାରେ ନାମ ସାମିଲ କରିବା, ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ, ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା, ଜମି ସମସ୍ୟା ଓ ପୋଲିସ ସମସ୍ୟା ଆବେଦନପତ୍ର ଆଦି ଦରଖାସ୍ତଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା। ସେହିପରି ସାମୁହିକ ଅଭିଯୋଗ ମଧ୍ୟରେ ଫ୍ଲାୟ ଓଭର ନିର୍ମାଣ, ବିଦ୍ୟୁତ ଯୋଗାଣ, ରାସ୍ତା ନିର୍ମାଣ, ରାସ୍ତା ପ୍ରଶସ୍ତିକରଣ, ପାନୀୟ ଜଳ ଯୋଗାଣ, ବେଆଇନ ଭାବେ ଅଧିକୃତ ସରକାରୀ ଜମି ଉଚ୍ଛେଦ ଆଦି ଅଭିଯୋଗଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା।
