ପୋଖରୀଆପଡା କେନାଲ ପୁନଃ ରୁଦ୍ଧାର ଜରୁରୀ
ସବୁ ଦେଖି ଚୁପ ପ୍ରଶାସନ

ପଟ୍ଟାମୁଣ୍ଡାଇ ୨୫/୮- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦୈନିକ ବର୍ଷା ଯୋଗୁ ସହରରେ ପାଣି, କାଦୁଅ ଭରି ରହିଛି। ଜଳନଷ୍କାସନ ପଥ ଜବରଦଖଲ ହୋଇଥିବାରୁ ଡ୍ରେନ୍ ପୋତି ହୋଇ ଦୂଷିତ ମଇଳା ପାଣି ରାସ୍ତାରେ ବହିଚାଲୁଛି । ରାସ୍ତାରେ ବର୍ଷା ପାଣି ଜମିରହିବାରୁ ଗାଡି ମୋଟର ଚାଲି ଗାଢ ସୃଷ୍ଠି ହେଉଛି ।ତେବେ ସବୁଠାରୁ ଚିନ୍ତାର ବିଷୟ ହୋଇଛି ସହର ସବୁଠାରୁ ବ୍ୟସ୍ତବହୁଳ ଓ ଗୁରୁତ୍ୱପୂର୍ଣ୍ଣ ପଟ୍ଟାମୁଣ୍ଡାଇ କଲେଜ ରୋଡ଼ରେ ଏକାଧିକ ସ୍ଥାନରେ ଗାଢ ସୃଷ୍ଟି ହୋଇ ଯାତାୟାତରେ ବାଧା ହୋଇଛି । ହେଲେ ଏଠାରେ ବର୍ଷା ପାଣି ଠିଆ ହୋଇ ରହିଥିଲେ ବି ପୌର କର୍ତୃପକ୍ଷ କେହି ବି ସେଥିପ୍ରତି ଧ୍ୟାନ ଦେଉନାହାଁନ୍ତି । ଫଳରେ ସହରକୁ ଆସୁଥିବା ହଜାର ହଜାର ଲୋକ ହନ୍ତସନ୍ତ ହେଉଛନ୍ତି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
ବୁୁଦ୍ଧିଜୀବୀ ପ୍ରେମାନନ୍ଦ ପଣ୍ଡା, ଅକ୍ଷୟ ସାହୁ, ପ୍ରବୀର ନାୟକ କୁହନ୍ତି ପଟ୍ଟାମୁଣ୍ଡାଇ ସହର ମେଡିକାଲ ଛକ ଠାରୁ ବକ୍ତାରପୁର ପର୍ଯ୍ୟନ୍ତ ଯାଇଥିବା ଏହି ରାସ୍ତା ସବୁଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରୁଛି । ଏହି ରାସ୍ତାରେ ଦେଇ ପର୍ଯ୍ୟଟକ ଭିତରକନିକା ଯାତାୟତ କରୁଥିବା ବେଳେ ଏହିରାସ୍ତା ପାଶ୍ୱର୍ରେ ପଟ୍ଟାମୁଣ୍ଡାଇ କଲେଜ, ଏମଏନ ହାଇସ୍କୁଲ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରହିଛି । ରାଜନଗର ନିର୍ବାଚନମଣ୍ଡଳୀର ରାଜନଗର ବ୍ଲକର ୨୯ ପଂଚାୟତ ଓ ପଟ୍ଟାମୁଣ୍ଡାଇ ବ୍ଲକର ୧୯ ପଂଚାୟତ ଓ ପୌର ପରିଷଦର ୬ଟି ୱାର୍ଡର ଲକ୍ଷାଧିକ ଲୋକ ଓ ହଜାର ହଜାର ସ୍କୁଲ କଲେଜ ଛାତ୍ରୀଛାତ୍ର ଯାତାୟାତ ପାଇଁ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ମାତ୍ର ଏବେ ଏହି ରାସ୍ତା ଖାଲଖମାରେ ଭର୍ତି ହୋଇଯାତାୟତର ବାଧା ଉପୁଜୁଛି । ଅତିତରର ଡାକବଙ୍ଗଳା ଛକ ଠାରୁ ରାସ୍ତା ଡାହାଣ ପାର୍ଶ୍ୱରେ ଥିବା ପୋଖରୀଆପଡା କେନାଲ ବର୍ଷା ଦିନେ ସବୁ ପାଣି ଟାଣି ନେଉଥିଲା । ଏହି କେନାଲ ଜବରଦଖଲ ହୋଇ ପୋତି ହୋଇପଡିବା ଫଳରେ ବର୍ଷା ଜଳ ନିଷ୍କାସନ ହୋଇପାରିଲାନାହିଁ । ମେଡିକାଲ ଛକ ଠାରୁ ବକ୍ତାରପୁର ପର୍ଯ୍ୟନ୍ତ ଢ଼ଳେଇ ରାସ୍ତା ନିର୍ମାଣ ବେଳେ ବର୍ଷାଜଳ ନିଷ୍କାସନ ପାଇଁ ରାସ୍ତା କଡେ କଡେ ଡ୍ରେନ ନିର୍ମାଣ ପ୍ରସ୍ତାବ ଥିଲେ ମଧ୍ୟ ପୂର୍ତ ବିଭାଗ କତୃପକ୍ଷ ଏହି ଡ୍ରେନ ନିର୍ମାଣ ନକରି ରାସ୍ତା ନିର୍ମାଣ ପରେ ଆଉ କୌଣସି ପଦକ୍ଷେପ ନେଲେ ନାହିଁ । ସମ୍ପ୍ରତି ଅସରାଏ ବର୍ଷା ହେଲେ କଲେଜ ରୋଡ଼ ସଂପୂର୍ଣ୍ଣ ଜଳାର୍ଣ୍ଣବ ହୋଇ ପଡୁଛି । ସଦା ସର୍ବଦା ପାଣି ଜମି ରହି ଏହି ବ୍ୟସ୍ତବହୁଳ ଗୁରୁତ୍ୱ ପୂର୍ଣ୍ଣ ରାସ୍ତାରେ ଏକାଧିକ ପୋଖରୀ ସୃଷ୍ଟି ହୋଇଛି । ଯାହାଫଳରେ ଯାତାୟାତ କ୍ଷେତ୍ରରେ ବାଧା ସୃଷ୍ଟି ହେବା ସହିତ ଅନେକ ସମୟରେ ଟ୍ରାଫିକ ଜାମ ହୋଇ ଦୁର୍ଘଟଣା ଘଟୁଛି । ଏଭଳି ଅବସ୍ଥାରେ ସ୍ଥିତି ସଂଗୀନ ହୋଇ ପଡ଼ିଥିବାବେଳେ ପଲ ପଲ ବୁଲା ଗାଇ ଗୋରୁ ରାସ୍ତାରେ ଶୋଇ ରହି ପରିସ୍ଥିତିକୁ ଅଧିକ ଜଟିଳ କରିବାରେ ଲାଗିଛନ୍ତି । ପଟ୍ଟାମୁଣ୍ଡାଇ କଲେଜ ରୋଡ଼ରୁ ସ୍ଥାୟୀ ଭାବେ ଜଳ ନିଷ୍କାସନ ପାଇଁ ପୋଖରୀଆପଡା କେନାଲ ପୁନଃରୁଦ୍ଧାର ଏକମାତ୍ର ବିକଳ୍ପ ଓ ଅନ୍ୟଥା ସୁଚିନ୍ତିତ ଉପାୟ ରେ ରାସ୍ତା କଡେ କଡେ ଡ୍ରେନ ନିର୍ମାଣ କରାଗଲେ ଜଳନିଷ୍କାସନ ସମସ୍ୟା ଦୂର ହୋଇପାରିବ । ପଟ୍ଟାମୁଣ୍ଡାଇ ସହର ବ୍ୟସ୍ତବହୁଳ ଗୁରୁତ୍ୱପୂର୍ଣ୍ଣ ପଟ୍ଟାମୁଣ୍ଡାଇ କଲେଜ ରୋଡ଼ରେ ଏକାଧିକ ଖାଲ ସୃଷ୍ଟି ହୋଇ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ଏଥି ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି । ଜନ ଅସନ୍ତୋଷ ଉଗ୍ର ରୂପ ଧାରଣ କରିବା ପୂର୍ବରୁ ପଟ୍ଟାମୁଣ୍ଡାଇ ପ୍ରଶାସନ ଜଳ ନିଷ୍କାସନ ଦିଗରେ ଫଳପ୍ରଦ ପଦକ୍ଷେପ ସହ ରାସ୍ତା ମରାମତି ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
