ବଢୁଛି ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା , ଉପେକ୍ଷିତ ହୋଇ ଜୀବନ ବିତାଉଛନ୍ତି

blank
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଓ ଏହାର ଆଖପାଖ ଅଂଚଳରେ ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଅସହାୟ ବୃଦ୍ଧାବୃଦ୍ଧ ଓ ଅଚିହ୍ନା ଅଜଣା ରୋଗୀ ଉପେକ୍ଷିତ ହୋଇ ଅଭିଶପ୍ତ ଜୀବନଯାପନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ଅଂଚଳର ହୋଇଥିବାବେଳେ ଆଉ କେତେକ ବାହାର ରାଜ୍ୟର ବୋଲି କୁହାଯାଉଛି । ସେମାନଙ୍କୁ ସ୍ୱସ୍ଥ୍ୟସେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ସହଯୋଗ ମିଳୁନାହିଁ କି ରହଣି ନେଇ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁନାହିଁ । ସେବା ଯୋଗାଇବାକୁ ସ୍ୱେଚ୍ଛାସେବୀ ମିଳୁ ନାହାନ୍ତି । ଏଇଭଳି ଅନେକ ଘଟଣାକୁ ଅନୁଧ୍ୟାନ କଲେ ସମାଜରୁ ମାନବିକତା ହଜି ଯାଉଥିବା ଦେଖିବାକୁ ମିଳୁଛି । ତେବେ ସଭା ସମିତିରେ ନିଜକୁ ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ ଦର୍ଶାଇ ହ୍ୱାଟସାପ ଗୃପରେ ବାହା ବା ନେଉଥିବା ବ୍ୟକ୍ତି ଏମାନଙ୍କୁ ଥଇଥାନ ବ୍ୟବସ୍ଥା କରାଇ ନିଜକୁ ସମୀକ୍ଷା କରିବାର ସମୟ ଆସିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏକାଧିକ ମାନସିକ ବିକାରଗ୍ରସ୍ତ ଦିନବେଳା ରାସ୍ତାଘାଟରେ ବୁଲୁଛନ୍ତି। ଜିଲାରେ ସର୍ଟ ଷ୍ଟେ ହୋମ ରହିଛି। ବୃଦ୍ଧାଶ୍ରମ ଅଛି। ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଛି । ହେଲେ କେହି ଏମାନଙ୍କୁ ନେବାକୁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି। ପ୍ରଶ୍ନ ଉଠୁଛି ସରକାର ଅସହାୟଙ୍କ ପାଇଁ ସରକାରୀ ଅନୁଦାନ ଯୋଗାଉଛନ୍ତି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅସହାୟଙ୍କ ଅନୁଦାନରେ ମଉଜ କରୁଛନ୍ତି। ତେବେ ସେମାନଙ୍କର କାର୍ଯ୍ୟକଳାପର କାହିଁକି ଅନୁଧ୍ୟାନ କରାଯାଉନି । ସେବା ନ ଯୋଗାଇ ନିଜକୁ ଗରୀବର ବନ୍ଧୁ କହି ସରକାରୀ ଅନୁଦାନ ହଡ଼ପ କରୁଥିବା ସଂସ୍ଥାକୁ କେତେଦିନ ଜିଲା ପ୍ରଶାସନ ସହଯୋଗ କରୁଥିବ ବୋଲିି ପ୍ରଶ୍ନ ଉଠିଛି। ଅନ୍ୟପକ୍ଷେ ଜିଲାରେ ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଛି । ଏହି ବିଭାଗ ମଧ୍ୟ କିଛି କାମ କଲା ପରି ଲାଗୁନି ।
ପଟ୍ଟାମୁଣ୍ଡାଇ ସହର ରାସ୍ତାଘାଟରେ ବହୁ ମାନସିକ ବିକାରଗ୍ରସ୍ତ ବୁଲୁଛନ୍ତି । କିଏ ରାସ୍ତା ମଝିରେ ଛିଡା ହେବା ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ଆଉ କିଏ ଫିଙ୍ଗା ଯାଇଥିବା ଖାଦ୍ୟ ଖାଉଛନ୍ତି। ଅଧିକାଂଶ ଛକ, ସବ୍‌ରେଜିଷ୍ଟାର ଅଫିସ, କୋଟ୍ ପାଖ, ହାଟଚାଳିରେ ଶୋଉଛନ୍ତି। ସେମାନେ ଦୂଷିତ ଖାଦ୍ୟ, ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। କିଏ କିଏ ଲୋକମାନଙ୍କୁ ଆକ୍ରମଣ କରିବାକୁ ପଛାଉ ନ ଥିବା ନଜିର ରହିଛି। ଏଥିପାଇଁ ରାସ୍ତାରେ ଯାତାୟତ କରୁଥିବା ଛୋଟ ପିଲା ଓ ବୃଦ୍ଧା ବୃଦ୍ଧ ଓ ଛାତ୍ରୀଛାତ୍ର ନିଜକୁ ସୁରକ୍ଷିତ ମଣୁ ନ ଥିବା ଅଭିଯୋଗ ହୋଇଛି। କିଛି ମାସ ପୂର୍ବରୁ ୩ରୁ ୪ ଜଣ ମାନସିକ ବିକାରଗ୍ରସ୍ତଙ୍କୁ ରାସ୍ତାରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ଏବେ ୮ରୁ ୧୦ ଜଣ ଏପରି ଅବସ୍ଥାରେ ରାସ୍ତାରେ ବୁଲୁଛନ୍ତି। କିଏ ହିନ୍ଦୀ ଓ କିଏ ବଙ୍ଗାଳି ଭାଷାରେ କଥାବାର୍ତା କରୁଛନ୍ତି। କେତେଜଣ ମହିଳା ବୁଲୁଥିବା ବେଳେ ଜଣେ ଶିକ୍ଷିତା କେତେବେଳେ ବଲକଥା ହୁଏ ତ ଗାଳିଗୁଲଜ କରୁଥିବାରୁ ସିଏ ସ୍ଥାନୀୟ ଅଂଚଳର ବୋଲି ଅନୁମାନ କରାଯାଉଛି। ତେବେ ସହରରେ ବହୁ ସ୍ୱେଚ୍ଛାସେବୀ ଓ ସେବା ଅନୁଷ୍ଠାନ ଥିଲେ ମଧ୍ୟ ଏପରି ବ୍ୟକ୍ତିମାନଙ୍କୁ ସେବା କିମ୍ବା ଥଇଥାନ କରିବାର ବ୍ୟବସ୍ଥା କରାଯାଇନାହିଁ। ଏ ସମ୍ପର୍କରେ ବରିଷ୍ଠ ଆୟୁଷ ଡାକ୍ତର ମନୋରଞ୍ଜନ ଦାଶ କୁହନ୍ତି, ସେମାନଙ୍କୁ ଉପଯୁକ୍ତ ସ୍ଥାନରେ ଥଇଥାନ କରାଯିବା ସହ ଆବଶ୍ୟକ ସେବା ଯୋଗାଇ ଦେଲେ ଅନେକେ ମୁଖ୍ୟସ୍ରୋତକୁ ଫେରି ପାରିବେ। ଜିଲା ସାମାଜିକ ସୁରକ୍ଷା ଅଧିକାରିଣୀ ରୂୁପାଲି ପ୍ରୀୟଦର୍ଶିନୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ । ପଟ୍ଟାମୁଣ୍ଡାଇ ସମେତ ଜିଲାରେ ଅନେକ ମାନସିକ ବିକାରଗସ୍ତ ବ୍ୟକ୍ତି ଘୁରି ବୁଲୁଥିବାରୁ ସେମାନଙ୍କର ରହଣି, ସ୍ୱାସ୍ଥ୍ୟସେବା ପାଇଁ ଏକ ଅନୁଷ୍ଠାନ କରାଯାଉ । ସେମାନଙ୍କୁ ସୁବିଧା ସୁଯୋଗ ମିଳୁ । ଏ ଦିଗରେ ଜିଲା ପ୍ରଶାସନ, ଲୋକ ପ୍ରତିନିଧି ସହଯୋଗ କରିବା ଦରକାର ବୋଲି ସାଧାରଣରେ ଦାବି ଉଠିଛି।

Next Post

ବିକଳ୍ପ ଜନବାଦୀ ବଜେଟକୁ କାର୍ଯ୍ୟକାରୀ କର ଦାବିରେ ବାମ ଦଳଗୁଡ଼ିକର ପ୍ରଚାର ଅଭିଯାନ କର୍ପୋରେଟ ସପକ୍ଷବାଦୀ କେନ୍ଦ୍ର ବଜେଟକୁ ପ୍ରତ୍ୟାହାର କର

Sun Feb 23 , 2025
କେନ୍ଦ୍ରାପଡ଼ା, ୨୩ା୨: ୨୦୨୫-୨୬ କେନ୍ଦ୍ର ବଜେଟ୍ ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପ୍ରତି ଚରମ ବିଶ୍ୱାସଘାତକତା ବୋଲି ବାମପନ୍ଥୀ ଦଳମାନଙ୍କ ପ୍ରଚାର ଅଭିଯାନରେ କୁହାଯାଇଛି। ଲୋକଙ୍କ କ୍ରୟଶକ୍ତିର ଅଭାବ, ବ୍ୟାପକ ବେକାରୀ କାରଣରୁ ଅର୍ଥନୀତିରେ ସଂକଟ ସୃଷ୍ଟି ହୋଇଥିଲେ ମଧ୍ୟ ଏହି ସମସ୍ୟାଗୁଡ଼ିକୁ ସମାଧାନ କରିବା ପରିବର୍ତ୍ତେ ଧନୀକ ବର୍ଗଙ୍କ ପାଇଁ ସୁବିଧା ବୃଦ୍ଧି କରିଛି। ଜନସେବା ପାଇଁ ବ୍ୟୟ ବରାଦ ହ୍ରାସ ପାଇଛି। ଧନୀମାନଙ୍କ ପୁଞ୍ଜି ବଢ଼ିବାରେ ସାହାଯ୍ୟ କରୁଛି। […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading