- ବିପନ୍ନଙ୍କୁ ମିଳୁନି ରିଲିଫ, ପଲିଥିନ, ଔଷଧ
- ଝିପ୍ଝିପ୍ ବର୍ଷାରେ ବଢୁଛି ବିପନ୍ନଙ୍କ ଦୁର୍ଦ୍ଦଶା
- କେନ୍ଦ୍ରାପଡାକୁ ଭାଜପା ସରକାରଙ୍କ ବୈମାତୃକ ମନୋଭାବ

ପଟ୍ଟାମୁଣ୍ଡାଇ ୩୦/୭– କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ଗତ କିଛି ଦିନ ଭିତରେ ଦୁଇ ଥର ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକ ୧୪ଟି ପଂଚାୟତର ୫୫ଗାଁ ଜଳମଗ୍ନ ହୋଇଥିବା ବେଳେ ହଜାର ହଜାର ହେକ୍ଟର ଚାଷ ଜମିରେ ଫସଲ ଉଜୁଡି ଯାଇଛି । ବିଭିନ୍ନ ସ୍ଥାନରେ କଟ୍ ଯୋଗୁ ବ୍ୟାପକ ଅଂଚଳ ଜଳମଗ୍ନ ହୋଇଛି। ସହସ୍ରାଧିକ ଲୋକ ଜୀବନ ବଂଚାଇବା ପାଇଁ ଉଚ୍ଚ ସ୍ଥାନକୁ ଚାଲି ଯାଇଛନ୍ତି। ମାତ୍ର ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ ବିପନ୍ନଙ୍କୁ ରିଲିଫ, ପଲିଥିନ, ଔଷଧ ଯୋଗାଇ ଦିଆଯାଇନାହିଁ। ଏଣେ ଝିପ୍ଝିପ୍ ବର୍ଷା ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଆକାଶମାର୍ଗରୁ ୩ଟି ବନ୍ୟା ପ୍ରଭାବିତ ଜିଲା ବୁଲି ଦେଖି ଭୁବନେଶ୍ୱର ଫେରିଛନ୍ତି । ହେଲେ ଗତ ମାସେ ହେବ ଦୁଇ ଦୁଇଟି ବନ୍ୟାରେ ପ୍ରପିଡିତ କେନ୍ଦ୍ରାପଡା ଜିଲା ବିପନ୍ନଙ୍କ କଥା ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିନଥିଲା ବୋଲି ରାଜନୈତିକ ମହଲରେ ଆଲୋଚନା ଯୋର ଧରିଛି ।
ଏ ସମ୍ପର୍କରେ କଂଗ୍ରେସ ନେତା ମଳୟ ଦାସ, ସତ୍ୟପ୍ରୀୟ ସାମଲ, ସାମାଜିକକର୍ମୀ ତପନ ଦାଶ, ବିଜେଡି ନେତା କଳାକର ପ୍ରଧାନ, ରଂଜନ ବିଶ୍ୱାଳ ପ୍ରମୁଖ କୁହନ୍ତି ନଦୀନାଳ ଘେରା ପଟ୍ଟାମୁଣ୍ଡାଇ ବ୍ଲକର ୫୫ଟି ଗାଁରେ ବନ୍ୟା ତାଣ୍ଡବ ରଚିଛି। ଶହ ଶହ ଲୋକେ ଜଳବନ୍ଦିରେ ଥିବା ବେଳେ ଗରିବ ଗୁରୁବା ଲୋକଙ୍କୁ ସ୍ଥାନାନ୍ତର କରାଯାଇ ନଥିବା ବେଳେ ଏଯାଏ ପ୍ରଶାସନ ସମସ୍ତଙ୍କ ପାଖରେ ପହଁଚି ପାରିନି। ପୂର୍ବ ବନ୍ୟାରେ କେବଳ ଗୋରୁଗାଈଙ୍କ ପାଇଁ ଖାଦ୍ୟ ପହଁଚି ଥିବା ବେଳେ ଗରିବ ଗୁରୁବା କୁନିକୁନି ପିଲାଙ୍କ ପାଇଁ ରିଲିଫ ଏଯାବତ ଦିଆଯାଇନାହିଁ । ପାଣିଘେରରେ ଥିବା ଲୋକଙ୍କ ଯାଆସ ପାଇଁ ଡଙ୍ଗା ବ୍ୟବସ୍ଥା ସେଭଳି ଭାବେ ହୋଇନଥିବାରୁ ବିପଦପୂର୍ଣ୍ଣ ଭାବେ ଲୋକେ କଦଳୀଭେଳାରେ ଯା’ଆସ କରୁଛନ୍ତି। ବ୍ରାହ୍ମଣୀ ଶାଖା ନଦୀ ଗୁଡ଼ିକରେ ପାଣି ବଢୁଥିବାରୁ ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପ୍ରଭାବିତ ଅଂଚଳରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିବାରୁ ମହମବତୀ ବି ପହଁଚିନି। କେବଳ ଗୋଖାଦ୍ୟ ଦେଇ ପ୍ରଶାସନ ଦାୟିତ୍ୱ ଶେଷ କରିଥିବା ଅଭିଯୋଗ ହୋଇଛି। ଏହି ବ୍ଲକରେ ବି ଶିଶୁଖାଦ୍ୟ ଖାଦ୍ୟ ପହଁଚିପାରିନି। ସୋମବାର ପେଣ୍ଠପାଳ କୋଳଥିଆ ଆରଡି ରାସ୍ତାରେ ୫୦ ଫୁଟର ଘାଇ ହୋଇଛି। ଏଥିଯୋଗୁ କୋଳଥିଆଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି। ସେହିପରି ଘର ଭିତରେ ବନ୍ୟା ଜଳ ଭରି ରହିଛି। ଏଥିଯୋଗୁ ଅଧିକାଂଶ କଚ୍ଚା ଘର ଭାଙ୍ଗି ଗଲାଣି ବୋଲି ଲୋକେ କହୁଛନ୍ତି। କେତେଜଣ ଲୋକ ରାସ୍ତା ଉପର ଏବଂ ସୁରକ୍ଷିତ ଥିବା କୋଠାରେ ଆଶ୍ରୟ ନେଇଛନ୍ତି। ମଙ୍ଗଳବାରେ ଶ୍ରୀରାମପୁର ପଂଚାୟତରେ ଜଣେ ବୃଦ୍ଧ ବନ୍ୟାଜଳରେ ଭାସି ମୃତ୍ୟୁ ମୁଖରେ ପଦିଚନ୍ତି । ଅଳଭା ଠାରେ ମଙ୍ଗଳବାର ବନ୍ୟା ଜଳ ପତନ ୧୫ଫୁଟ ରହଥିବା ବେଳେ ବୁଧବାର ୧୭ ଫୁଟ ଉପରେ ଜଳସ୍ତର ବଢୁଥିବାରୁ ଜଣାପଡିଛି । ଗତ ୭ ଦିନ ତଳେ ଆସିଥିବା ବନ୍ୟାରେ ଯେଉଁ ଗୋଖଦ୍ୟ ମିଳିଥିଲା ତାହା ସମୁଦ୍ରକୁ ସଂଖେ ବୋଲି ଲୋକେ ଅଭିଯୋଗ କରିଛନ୍ତି । ସଂପ୍ରତି ଗୋରୁ ବାହାରେ ଭୋକିଲା ବୁଲୁଛନ୍ତି। ଏ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରି ଭୁବନେଶ୍ୱର ଫେରିଯାଇଛନ୍ତି । ହେଲେ କେନ୍ଦ୍ରାପଡା ଜିଲା ପ୍ରତି ନଜର ଦେଇନାହାଁନ୍ତି । ଯାହାକୁ ନେଇ କେନ୍ଦ୍ରାପଡାର ରାଜନୈନିକ ମହଲରେ ଚର୍ଚ୍ଚା ଯୋର ଧରିଛି । କେନ୍ଦ୍ରାପଡା ବାସୀଙ୍କ ପ୍ରତି ଭାଜପା ସରକାରର ଏପରି ବୈମାତୃକ ମନୋଭାବ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।
