
ପଟ୍ଟାମୁଣ୍ଡାଇ ୨୨/୮ -ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଇଛନ୍ତି ଜାତୀୟ ମାନବାଧିକାର କମିଶନ । କମିଶନ ନିଜ ଆଡ଼ୁ ଏଥିନେଇ ଏକ ମାମଲା ରୁଜ୍ଜୁ କରିବା ସହିତ ପୋଲିସ ଡିଜିଙ୍କୁ ନୋଟିସ୍ କରିଛନ୍ତି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସମସ୍ତ ତଦନ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି । ତେବେ ବ୍ଲକ୍ମେଲିଂରେ ଶିକାର ହୋଇ ଜଣେ ଛାତ୍ରୀ ପୋଲିସ ପାଖରୁ ନ୍ୟାୟ ନପାଇ ଆତ୍ମହତ୍ୟା କରିଦେବା ଘଟଣାକୁ ଏନଏଚଆରସି ଗୁରୁତର ମାନବାଧିକାର ଉଲ୍ଲଘଂନ ଭାବେ ଗ୍ରହଣ କରିଥିବା ଦର୍ଶାଯାଇଛି ।
NHRC ପକ୍ଷରୁ ଜାରି ନୋଟିସରେ କୁହାଯାଇଛି ଯେ ୭ ଅଗଷ୍ଟ, ୨୦୨୫ରେ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଝିଅଟି କେନ୍ଦ୍ରାପଡ଼ା ଜିଲ୍ଲାର ଏକ କଲେଜରେ ପାଠପଢ଼ୁଥିଲା। ତାଙ୍କ ବାପା ଅଭିଯୋଗ କରିଥିଲେ ଯେ ତାଙ୍କୁ ଜଣେ ପୂର୍ବତନ ପୁରୁଷ ବନ୍ଧୁ ନିୟମିତ ଭାବରେ ବ୍ଲାକମେଲ୍ କରୁଥିଲେ। ପ୍ରାୟ ଛଅ ମାସ ତଳେ ପୀଡିତାଙ୍କ ବାପା ଏ ସମ୍ପର୍କରେ ପୋଲିସକୁ ଅଭିଯୋଗ କରିଥିଲେ, କିନ୍ତୁ ନା ଏଫଆଇଆର୍ ପଞ୍ଜିକୃତ ହୋଇଥିଲା ନା ଅଭିଯୁକ୍ତ ଅପରାଧୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ବରଂ, ଜଣେ ପୋଲିସ ଅଧିକାରୀ ତାଙ୍କୁ ନିରୁତ୍ସାହିତ କରିଥିଲେ ଏବଂ ବ୍ଲାକମେଲରଙ୍କ ଫୋନ୍ ନମ୍ବରକୁ ବ୍ଲକ୍ କରିବାକୁ ପରାମର୍ଶ ଦେଇଥିଲେ। କମିଶନ ଅନୁଧ୍ୟାନ କରିଛନ୍ତି ଯେ ଖବର ରିପୋର୍ଟର ବିଷୟବସ୍ତୁ, ଯଦି ସତ୍ୟ, ତେବେ ମାନବାଧିକାର ଉଲ୍ଲଂଘନର ଗମ୍ଭୀର ପ୍ରସଙ୍ଗ ବୋଲି ଦର୍ଶାଯାଇଛି ।

ପ୍ରକାଶ ଯେ .ପଟ୍ଟାମୁଣ୍ଡାଇ ବ୍ଲକ୍ କାଠିଆପଡ଼ା ଗାଁର ଜନୈକା କଲେଜ ଛାତ୍ରୀ ପରିଡା ସଂଗତାଙ୍କର ଗତ ୬ତାରିଖ ଦିନ ରହସ୍ୟ ଜନକ ଭାବେ ମୃତ୍ୟୁ ହୋଇଥିଲା । ସଂଗୀତାଙ୍କ ମୃତଦେହକୁ ଘରର ସିଡ଼ିରେ ବସିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମାତ୍ର ମୃତ୍ୟୁର ପ୍ରାୟ ୪ ଘଂଟା ପରେ ପୋଲିସ ପ୍ରଶାସନ ପହଁଚିି ଥିଲା । ତାହା ପୂର୍ବରୁ ପ୍ରତ୍ୟକ୍ଷଦର୍ଶୀମାନେ ସଂଗୀତାଙ୍କ ମୃତଦେହ ଦେଖିଥିଲେ । ସେମାନଙ୍କ ସୂଚନା ଅନୁଯାୟୀ ସିଡି ଘରର ଲୁହା କବାଟ ସହିତ ତାଙ୍କ ଅଂଟା ଏକ କେବୁଲ ତାର ଜରିଆରେ ବନ୍ଧା ହୋଇଥିଲା। ମୃତ ଛାତ୍ରୀ ଜଣକ ବସିବା ମୁଦ୍ରାରେ ଥିଲେ। ଶରିରର ପାଖାପାଖି ୩୦ ପ୍ରତିଶତ ପୋଡିହୋଇଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ବଢିଥିଲା। ପାରିପାର୍ଶ୍ୱକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିଲା। ଅନ୍ୟପକ୍ଷରେ ଗଣମାଧ୍ୟମ ଆଗରେ ସଂଙ୍ଗୀତାଙ୍କର ବାପାଙ୍କର କହିଥିଲେ ଯେ, ସେ ନିଜର ପତ୍ନୀଙ୍କୁ ସାଙ୍ଗରେ ନେଇ ସକାଳ ସାଢେ ସାତଟାରେ ମେଡ଼ିକାଲ ଯାଇଥିଲେ । ଘରେ ତାଙ୍କ ଝିଅ ସଂଗୀତା ଏକାକୀ ଥିଲେ । ସାଢେ ଏଗାରଟା ବେଳେ ଘରକୁ ଫେରି ଦେଖିଲା ବେଳକୁ ଭିତରପଟୁ କବାଟ ବନ୍ଦ ଥିଲା । ଯେତେ ଡ଼ାକିଲେ ବି ସଂଗୀତା ଶୁଣି ନଥିଲେ । ଫଳରେ ସେ ବାଧ୍ୟ ହୋଇ କବାଟ ତାଡ଼ି ଘରେ ପ୍ରବେଶ କରି ସିଡ଼ି ଉପରେ ସଙ୍ଗୀତାଙ୍କୁ ମୃତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଦୀର୍ଘ ଦିନ ଧରି ସଂଗୀତା ତେରୋହୀ ଗ୍ରାମର ଜଣେ ଯୁବକଙ୍କ ବ୍ଲକ୍ମେଲିଂର ଶିକାର ହୋଇ ମାନସିକ ଭାରସାମ୍ୟ ହରାଉଥିବା ବେଳେ ଘରେ କେହି ନଥିବା ସମୟରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ସେ କହିବା ସହିତ ପୋଲିସ ଏଏସଆଇଙ୍କ ଉପରେ ଦୋଷ ଲଦିଥିଲେ । ସେକହିଥିଲେ ଗତଛଅ ମାସ ପୂର୍ବରୁ ବାପ ଝିଅ ଦୁହେଁ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାକୁ ଯାଇ ଜଣେ ଯୁବକ ମୋବାଇଲରେ ଅଶ୍ଳୀଳ ଭିଡ଼ିଓ ପଠାଇ ବ୍ଲକ୍ ମେଲିଂ କରୁଥିବା ନେଇ ଏକ ଏତଲା ଦେଇଥିଲେ ମଧ୍ୟ ଉପସ୍ଥିତ ଥିବା ପୋଲିସ ଅଧିକାରୀ କୌଣସି ପଦକ୍ଷେପ ନେବା ପରିବର୍ତେ ସେ ନମ୍ବରକୁ ବ୍ଲକ୍ କରିଦେବାକୁ ପରାମର୍ଶ ଦେଇ ବିଦା କରିଦେଇଥିଲେ । ଏଦିଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲେ ତାଙ୍କ ଝିଅ ହୁଏତ ଆତ୍ମହତ୍ୟା କରିନଥାନ୍ତା ବୋଲି ବଡ଼ ବୟାନ ରଖିଥିଲେ । କେନ୍ଦ୍ରାପଡ଼ା ଜିଲା ଏସପି ଦୁଇ ତିନି ଦିନ ଧରି ଏକାଧିକବାର ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲା । ଏହି ସମ୍ବେଦନଶୀଳ ଘଟଣାରେ ପୋଲିସ ଅଶିଳ ଫଟୋ ଓ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଛାଡି ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତାଇଥିବାର ଅଭିଯୋଗରେ ତାଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅପରପକ୍ଷେ ଛଅମାସ ତଳେ ଯେଉଁ ପୋଲିସ ବାବୁ ଏତଲା ଗ୍ରାହଣ କରିନଥିଲେ ଅଦ୍ୟବଧି ତାଙ୍କ ଉପରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଖାଲି ବଦଳି କରିଦେଇଛନ୍ତି । ନିକଟରେ ଜିଲା ଏସପି ପ୍ରେସମିଟରେ ସ୍ପଷ୍ଟ କରିଛନ୍ତି ଯେ ପରିଡା ସଂଗିତା ନିଆଁରେ ପୋଡି ମୃତ୍ୟୁ ବରଣ କରିଛନ୍ତି । ଛାତ୍ରୀଙ୍କର ଶରୀର ୯୫ପ୍ରତିଶତ ପୋଡ଼ି ଯାଇଥିଥଅଲା ବୋଲି ଶବବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ଏହାକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି । ଅବଶ୍ୟ ସିଡ଼ିଘରେ ଛାତ୍ରୀଟି ପେଟ୍ରୋଲ ଢାଳି ହୋଇ ନିଜ ଦେହରେ ନିଆଁ ଲଗାଇ ଜଳିବା ସତ୍ୱେ ଘରକୁ ଘର ଲାଗିଥିବା ତାଙ୍କର ପାଖ ପଡୋଶୀ କେହି କିଛି ସୂଚନା ନପାଇବା, ଛାତ୍ରୀଙ୍କୁ କି’ଏ ଓ କେତେବେଳେ ପ୍ରେଟ୍ରୋଲ କେଉଁଠୁ ଆଣି ଦେଲେ, ମୋବାଇଲେ ଫୋନ୍ରେ ଛାତ୍ରୀ ଜଣକ ସକାଳ ସାଢେ ସାତ ଟାରୁ ଆଠଟା ଯାଏ କାହା କାହା ସହିତ କଥା ହୋଇଥିଲେ, ଛାତ୍ରୀଙ୍କର ପୁରୁଷ ବନ୍ଧୁ ଅଶ୍ଳୀଳ ଭିଡ଼ିଓ କାହା ପାଖକୁ ପଠାଇ ବ୍ଲକ୍ମେଲିଂ କରୁଥିଲେ ଆଦି ବହୁ ପ୍ରଶ୍ନର କୌଣସି ଉତର ମିଳିପାରି ନାହିଁ । ଯାହା ସଂପୃକ୍ତ ପୋଲିସ ଅଧିକାରୀଙ୍କ ପାଇଁ ଅଡ଼ୁଆ ବଢିବା ପ୍ରାୟ ନିଶ୍ଚିତ ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି।
