
ପଟ୍ଟାମୁଣ୍ଡାଇ ୧୧/୮-କେନ୍ଦ୍ରାପଡ଼ା ଜିଲାପାଳ ଓ ଏସପିଙ୍କ ମିଳିତ ଜନଶୁଣାଣୀ ଶିବିର ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ସୋମାବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡ଼ା ଜିଲାର ନୂତନ ଜିଲାପାଳ ରଘୁରାମ ଆର ଆୟାର, ଏସ ପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲାପାଳ ନବ କୃଷ୍ଣ ଜେନା, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି, ଡେପୁଟି କଲେକ୍ଟର ତୃପ୍ତି ମହାନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ବିଡ଼ିଓ ଅଶୋକ ମହାନ୍ତି ଯୋଗ ଦେଇ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣିଥିଲେ । ଏହି ଅଭିଯୋଗ ଶୁଣାଣିରେ ଆଗତ ୭୫ ଅଭିଯୋଗରୁ ବ୍ୟକ୍ତିଗତ ୬୯ ଥିବା ବେଳେ ସମୁହଁ ୬ ଟିଅଭିଯୋଗ ରହିଥିଲା ।
ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ସାମନ୍ତରାୟ ଶାସନ ଶ୍ରୀରାମପୁର, ଡାମରପୁର, ବଡ଼ମୂଳ ବସନ୍ତ, ସିଂହଗାଁ ଓ ସମିତି ସଭ୍ୟ ଶାସନ, ବଳଭଦ୍ରପୁର, ଚନ୍ଦନନଗର, ପେଣ୍ଠପାଳ ତରଡ଼ିପାଳଙ୍କ ସହିତ ପଟ୍ଟାମୁଣ୍ଡାଇ -ରାଜନଗର ବିଆରଏଫଇ ରାସ୍ତାର ଅଳଭା ଠାରୁ ଶାସନ ପର୍ଯ୍ୟନ୍ତ ୪କିମି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ତୁରନ୍ତ ମରାମତି ପାଇଁ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ । ବଳଭଦ୍ରପୁର ସରପଂଚ ପ୍ରିୟବ୍ରତ ଓଝା ଚଳିତ ବନ୍ୟାରେ କ୍ଷତିଗସ୍ତ ରାସ୍ତା, ବିଦ୍ୟୁତ ଖୁଂଟ ମରାମତି ସହ ବିଶୁଦ୍ଧ ପାନୀୟଜଳ ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବିପତ୍ର ପ୍ରଦାନ କରିଥିଲେ । ପେଣ୍ଠପାଳ ସରପଂଚ ଅନ୍ନପୂର୍ଣ୍ଣା ସେଠୀ ବନ୍ୟାବିପନ୍ନ ପେଣ୍ଠପାଳ ପଂଚାୟତର କୋଳଥିଆ ଓ ନାୟିଆଡିଆକୁ ରାଜସ୍ୱ ଗ୍ରାମ ଘୋଷଣା, ମନେରଗା ଯୋଜନାରେ ୨୦୨୦-୨୧ ଆର୍ôଥକ ବର୍ଷର ପ୍ରାପ୍ୟ ପ୍ରଦାନ ଓ ସ୍ୱଚ୍ଛଭାରତ ମିଶନ ଗ୍ରାମୀଣ ପ୍ରାପ୍ୟ ପ୍ରଦାନରେ ଅବହେଳା ଓ ପାତରଅନ୍ତର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ବଡ଼ପଡା ସମବାୟ ସମିତି ସଭାପତି ଅଶୋକ ମଲିକ ଯୁବନେତା ଜ୍ୟୋତି ରଞ୍ଜନ ପ୍ରଧାନ, ବନମାଳୀ ମହାପାତ୍ର ଓ ଗୌତମ ରାଉତ ପ୍ରମୁଖ ବଡପଡା ସମବାୟ ସମିତି ସୁ ପରିଚାଳନା କ୍ଷେତ୍ରରେ ଏଆରସିଏସ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ବଲୁରିଆ ପଂଚାୟତରେ ତୁରନ୍ତ ଡିଲର ନିଯୁକ୍ତି କରିବାକୁ ପୂର୍ବତନ ସରପଂଚ ରତିକାନ୍ତ ସାହାଣୀ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲୋ ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଚଉଦକୁଲାଟ ଫାଣ୍ଡିକୁ ଏକ ନୂତନ ଚାରିଚକିଆ ପୋଲିସ ଭ୍ୟାନ ଯୋଗାଇ ଦେବାକୁ ଜିଲା ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ସଭାପତି କାଉନ ସିଲର ଗୋପୀବଲ୍ଲଭ ନାୟକ, ସମ୍ପାଦକ ଗୋପୀନାଥ ତ୍ରିପାଠୀ, ଶରତ ବିଶ୍ୱାଳ, ପ୍ରଭାତ ମଲିକ ସନ୍ତୋଷ ବିଶ୍ୱାଳ, ବଳରାମ ବେହେରା କୁଳମଣି ଦାସ, ରୀନା ଦଳାଇ ଆଶାଲତା ସୂତାର, ଉର୍ମିଳା ବେହେରା ପ୍ରମୁଖ ବଡ଼ପଡା ଛାତ୍ରୀ ଆତ୍ମହୁତି ମାମଲାର ନ୍ୟାୟିକ ତଦନ୍ତ, ଜଳ ନିଷ୍କାସନ ପାଇଁ ପୌରପରିଷଦର ସମସ୍ତ ୱାର୍ଡରେ ଡ୍ରେନ ନିର୍ମାଣ, ସରକାରୀ ଜମି ଓ ରାସ୍ତା ଜବରଦଖଲମୁକ୍ତ, ବନ୍ୟା କ୍ଷତିଗସ୍ତ ଚାଷୀଙ୍କୁ କ୍ଷତିପୂରଣ ଓ ଧୋଇ ଯାଇଥିବା ରାସ୍ତା ମରାମତି,୧୯ନଂ ୱାର୍ଡ ଶୁଖୁଆବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ସରକାରୀ ପଟ୍ଟା ପ୍ରଦାନ କଚେରୀ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟ ସଂପୂର୍ଣ୍ଣ କରିବା, ସମସ୍ତ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା, କୃଷି ଜାତ ସାମଗ୍ରୀ ସୁରକ୍ଷା ପାଇଁ ଶୀତଳ ଭଣ୍ଡାର ନିର୍ମାଣ, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବା ଓ ଉପଖଣ୍ଡ ଚିକିତ୍ସାଧିକାରୀ ନିଯୁକ୍ତି କରିବା ଆଦି ବିଭିନ୍ନ ଦାବି ସମ୍ବକିତ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ । ଏହି ଜନ ଶୁଣାଣୀ ଶିବିରରେ ଆଗତ ୭୫ ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦିଆଯାଇଥିଲା । ଏହି ଜନ ଶୁଣାଣୀ ଶିବିରରେ ଜିଲା ଓ ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣି ଥିଲେ ।
