
ପଟ୍ଟାମୁଣ୍ଡାଇ ୩୧/୮-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦରେ ୩୭ ତମ ସ୍ୱାୟତ ଶାସନ ଦିବସ ପୌରଅଧ୍ୟକ୍ଷ ହେମନ୍ତ ସାହୁଙ୍କ ନେତୃତ୍ୱରେ ମ୍ୟୁନିସପାଲଟି ପ୍ରେକ୍ଷାଳୟ ଠାରେ ମହାସମାରୋହରେ ରବିବାର ପାଳିତ ହୋଇଯାଇଛି। ପ୍ରଥମ ଅଧିବେଶନରେ ପ୍ରାତଃ ସମୟରେ ରାମଧୂନ୍, ସହରର ବିଭିନ୍ନ ଛକସ୍ଥିତ ମହାପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ସାହୁଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯାଇଥିଲା। ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଂଟନ କାର୍ଯ୍ୟକ୍ରମ କରାଯାଇଛି । ପଟ୍ଟାମୁଣ୍ଡାଇ ପୌରାଂଚଳ ସ୍ଥିତ ନୂତନ ବସ ରହଣୀ ଯାତ୍ରୀ ପ୍ରତୀକ୍ଷା ଗୃହକୁ ରାଜନଗର ବିଧାୟକ ଧ୍ର୍ରୁବ ସାହୁ ଶୁଭ ଉଦଘାଟନ କରିଥିଲେ ।ପୂର୍ବାହ୍ନ ୯ ଟାରେ ପୌରପରିଷଦ କ୍ୟାମ୍ପସରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତି ଉନ୍ମୋଚନ କରାଯିବା ସହିତ ସ୍ମାଟପାର୍କ ଠାରେ ବିଧାୟକ ବୃକ୍ଷରୋପଣ କରିଥିଲେ । ଦିତୀୟ ଅଧିବେଶନ ପୂର୍ବାହ୍ନ ୧୧ଟାରେ ଅଧ୍ୟକ୍ଷ ହେମନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି ମଂଚକୁ ଉଦଘାଟନ କରି ଅଭିଭାଷଣ ରଖିଥିଲେ । ମୁଖ୍ୟ ଅତିଥି ସ୍ୱାୟତ ଶାସନ ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହଥିଲେ ଯେ ସ୍ୱାୟତ ଶାସନ ହେଉଛି ଲୋକ ମାନଙ୍କର ଓ ଲୋକ ମାନଙ୍କ ଦ୍ୱାରା ଶାସନ । ତେବେ ସହରର ଉନ୍ନତି ପାଇଁ ଯାହା ବି ଖସଡ଼ା ପ୍ରସ୍ତୁତ ହୁଏ ତାହା ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ହିଁ ପ୍ରସ୍ତୁତ କରିଥାନ୍ତି । ତେବେ ଭବିଷ୍ୟତରେ ନିର୍ବାଚିତ ପ୍ରତିନିଧିମାନେ ଯେକୌଣସି ଉନ୍ନତିମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରିବେ ସେଥିରେ ପୌର ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରିବେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ରଂଜନ ଦାଶ ସ୍ୱାୟତ ଶାସନ ହେଉଛି ଲୋକଙ୍କ ଶାସନ ଲୋକଙ୍କ ହାତରେ ଟେକିଦେବା ହେଉଛି ଏହି ଦିବସର ଉଦ୍ଦେଶ୍ୟ । ସହର ପରିମଳ ମୁକ୍ତ ହେବ । ସହର ସ୍ୱଚ୍ଛ ରହିବ ସେନେଇ କାର୍ଯ୍ୟ କରିବାକୁ ପଡିବ । କାଉନସିଲର ଓ କର୍ମକର୍ତ୍ତା ମଧ୍ୟରେ ସମନ୍ୱୟ ରହି ବିକାଶ କରିବାକୁ ପଡିବ ବୋଲି କହିଥିଲେ। ପୌରଅଧ୍ୟକ୍ଷ ସାହୁ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ମଂଚରେ ଏକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମୁଖ୍ୟ ଅତିଥିଙ୍କ ଦ୍ୱାରା ପୌରକର୍ମଚାରୀ ଓ କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଉପାଧ୍ୟକ୍ଷା ଅନୁପ୍ରୀୟା ସାହୁ ଧନ୍ୟବାଦ ଅର୍ପନ କରିଥିଲେ ।
