
ପଟ୍ଟାମୁଣ୍ଡାଇ ୨୯/୭- ଗତ କିଛି ଦିନ ଭିତରେ ବ୍ରାହ୍ମଣୀ ନଦୀରେ ଦୁଇ ଥର ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି ପଂଚାୟତର ୫୫ଗାଁ ଜଳମଗ୍ନ ହୋଇଥିବା ବେଳେ ହଜାର ହଜାର ହେକ୍ଟର ଚାଷ ଜମିରେ ଫସଲ ଉଜୁଡି ଯାଇଛି । ପ୍ରଥମ ବନ୍ୟାପାଣି ଚାଷ ଜମିରୁ ସମ୍ପୂର୍ଣ୍ଣ ନଛାଡୁଣୁ ପୁଣି ସୋମବାର ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପେଣ୍ଠପାଳ କୋଳଥିଆ ଆରଡି ରାସ୍ତାରେ ଘାଇ ହୋଇଛି । ସଂପ୍ରତି ପଟ୍ଟାମୁଣ୍ଡାଇରେ ବନ୍ୟା ପରିସ୍ଥିତି ଅପରିବର୍ତିତ ରହିଛି । ଅଳଭା ଠାରେ ଗତକାଲି ଥିବା ବନ୍ୟା ଜଳ ପତନ ୧୫ଫୁଟ ରହିଛି । ମାତ୍ର ତୁହାକୁ ତୁହା ବର୍ଷା ବନ୍ୟା ବିପନ୍ନଙ୍କ ଦୁର୍ଦଶା ଦ୍ୱିଗୁଣିତ କରୁଛି । ଶ୍ରୀରାମପୁର ପଂଚାୟତର ଜଣେ ବ୍ୟକ୍ତି ବନ୍ୟ।।ଜଳରେ ଭାସି ମୁତ୍ୟୁ ବରଣ କରିଛନ୍ତି । ସିଂହଗାଁ, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର, ବାଛରା ପ୍ରବେଶ ପଥରେ ପାଣି ସ୍ରୋତ ପ୍ରବାହିତ ହେଉଥିବାରୁ ଯାତାୟାତ ଠପ ହୋଇଯାଇଛି ।

ପଟ୍ଟାମୁଣ୍ଡାଇ ବ୍ଲକର ଦୁର୍ଗମ ଅଂଚଳ ଭାବେ ପରିଚିତ ସିଂହଗାଁ ପଂଚାୟତ ଗତ ବନ୍ୟାଠାରୁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ି ଥିବାବେଳେ ମାଳିପୁର ରାସ୍ତାରେ ବନ୍ୟା ସ୍ରୋତ ପ୍ରବାହିତ ଯୋଗୁଁ ଶ୍ରୀରାମପୁର ଡାମରପୁର ଓ ବଳଭଦ୍ରପୁର ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି । ସେହିପରି ବାଛରା-ମଣ୍ଡପଡା ରାସ୍ତାରେ ବନ୍ୟାର ପ୍ରଖର ସ୍ରୋତ ପ୍ରବାହିତ ହେଇଥିବାରୁ ବାଛରା-ମଣ୍ଡପଡା ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି । ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ସାଙ୍ଗକୁ ଫସଲହାନୀ ଘଟି ଗରିବ ଖଟିଖିଆ ଓ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ବାରମ୍ବାର ବନ୍ୟା ଆସିବା ଫଳରେ କ୍ଷୟକ୍ଷତି ଓ ଫସଲହାନୀ ଆଶଙ୍କାରେ ଗରିବ ଖଟିଖିଆ ଓ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି । କିଛିଦିନ ପାଇଁ କୁମ୍ଭୀର ଭୟ ଲୋକମାନଙ୍କ ମନରୁ ଲିଭି ଯାଇଥିବାବେଳେ ପୁନରାୟ ବନ୍ୟା ଆସିବା ଯୋଗୁଁ କୁମ୍ଭୀର ଭୟରେ ସମଗ୍ର ଧୋୟାଂଚଳବାସୀ ଆତଙ୍କିତ ହୋଇପଡିଛନ୍ତି ।ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ, ଅଳପୁଅ. ତରଡ଼ିପା. ପେଣ୍ଠପାଳ, ଅଣ୍ଢରା, ଅମୃତମଣୋହି, ବଲୁରିଆ, ଶ୍ରୀରାମପୁର, ଡାମରପୁର, ନୀଳକଣ୍ଠପୁର, ବାଲିପାଟଣା, ବାଛରା, ବଳଭଦ୍ରପୁର ଶାସନ ଆଦି ପଂଚାୟତର ପାଖାପାଖି ୫୫ ଗାଁ ବନ୍ୟାଜଳ ପ୍ରବେଶ କରିଛି । ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ବିଡ଼ିଓ ଅଶୋକ ମହାନ୍ତି ବନ୍ୟା ବିପନ୍ନ ପଂଚାୟତ ଗସ୍ତ କରି ବନ୍ୟା ସ୍ଥିତି ଓ ଲୋକମାନଙ୍କ ଅବସ୍ଥା ଅନୁଧ୍ୟାନ କରି ବନ୍ୟା ବିପନ୍ନ ଲୋକମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ପେଣ୍ଠପାଳ ପଂଚାୟତ କୋଳଥିଆ ଜେନାସାହି ଆରଡି ରାସ୍ତାରେ ୫୦ଫୁଟ ଘାଇ ହୋଇ ଗମନାଗମନ ବାଧା ସୃଷ୍ଟି ହୋଇଛି । ଅଣ୍ଢରା ପଂଚାୟତ ଗିରିସାହି-ବ୍ରାହ୍ମଣସାହି କଲଭର୍ଟ ଭୁଶୁଡି ପଡିଥିବାରୁ ଅଣ୍ଢରା ୬ନଂ ୱାର୍ଡକୁ ଯୋଗାଯୋଗ ବିଛିନ୍ନ ହୋଇଛି ।ପଟ୍ଟାମୁଣ୍ଡାଇ ବ୍ଲକରେ ପୁନଃରାୟ ଦେଖା ଦେଇଥିବା ବନ୍ୟା ପରିସ୍ଥିତି ସଫଳ ମୁକାବିଲା ପାଇଁ ବ୍ଲକ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ କରାଯାଇ ୨୪ଘଂଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ପଟ୍ଟାମୁଣ୍ଡାଇ ପୌରାଂଚଳର ବାଲିପଡ଼ା, ତଳବାଲିପଡ଼ା, ବଳଦେବନଗର, ସିଦ୍ଧପାଟଣା, କଷଣଅଂଟା, ନୂଆଗାଁ, କାକୁଡିପଲ୍ଲୀ, ତନୁପୁର, ନନ୍ଦିନୀନଗର, ଷଣ୍ଢପଲ୍ଲୀ, ଅଳଭା ଆଦି ବିଭିନ୍ନ ଗ୍ରାମ ଓ ୧୧ଟି ୱାର୍ଡ ଜଳମଗ୍ନ ହୋଇପଡିବା ସହିତ ଶହ ଶହ ଏକର ଚାଷଜମି ମଧ୍ୟ ବୁଡି ରହିଛି ।ପଟ୍ଟାମୁଣ୍ଡାଇ ଜଳସମ୍ପଦ ଓ ଆଳି ତଟବନ୍ଧ ବିଭାଗ ପକ୍ଷରୁ ଦୁର୍ବଳ ନଦୀବନ୍ଧ ଗୁଡିକ ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖାଯାଉଛି ।
