
କେନ୍ଦ୍ରାପଡା ୧୦/୫: କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଶନିବାର କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଦର୍ଶନ କରିବା ସହିତ କଲେଜ ଅଧ୍ୟକ୍ଷଙ୍କ ସହ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ତାହାର ନିରାକରଣ ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟତଃ ଜମି ସମସ୍ୟା, କଲେଜର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, କିଛି ନୂତନ ପ୍ରକଳ୍ପ ଓ ଏକ ବିଜ୍ଞାନ ରିସର୍ଚ୍ଚ ଲ୍ୟାବର ପ୍ରତିଷ୍ଠା ପାଇଁ ଆଲୋଚନା ହୋଇଥିଲା । କଲେଜର ବିଭିନ୍ନ ସମସ୍ୟା ଓ ତାହାର ନିରାକରଣ ପାଇଁ ତୁରନ୍ତ ନିରାକରଣ କରିବାକୁ ଦାବି କରିବା ସହିତ ଜମି ସମସ୍ୟା ସମ୍ପର୍କରେ ଶ୍ରୀ ବେହେରା ରାଜସ୍ୱ ଅଧିକାରୀଙ୍କ ସହ କଥା ହୋଇଥିଲେ। ଅଧୁରା କାର୍ଯ୍ୟର ତୁରନ୍ତ ଶେଷ କରିବା ସହିତ କିଛି ନୂତନ ପ୍ରକଳ୍ପ ପାଇଁ ମଧ୍ୟ ଆଲୋଚନା କରିଥିଲେ। ଏକ ବିଜ୍ଞାନ ରିସର୍ଚ୍ଚ ଲ୍ୟାବର ପ୍ରତିଷ୍ଠା ପାଇଁ କଲେଜର ଅଧ୍ୟକ୍ଷଙ୍କ ସହିତ ବିସ୍ତୁତ ଭାବରେ ଆଲୋଚନା କରିବା ସହିତ ଏଥିପ୍ରତି ବିଧାୟକ ଶ୍ରୀ ବେହେରା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ସହିତ କଲେଜ ପରିସର ନିରାପତ୍ତା ବିଷୟରେ ଆଲୋଚନା କରି ଏହାର ତୁରନ୍ତ ସମାଧାନ କରିବାକୁ ଅଧ୍ୟକ୍ଷଙ୍କୁ କହିଥିଲେ । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ ସମୟରେ ଇଂରାଜୀ ବିଭାଗ ପିଜି ଛାତ୍ରଛତ୍ରୀଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କ ବିଭିନ୍ନ ସମସ୍ୟାକୁ ଗୁରୁତ୍ୱ ରଖି ସମାଧାନ କରିବାକୁ ବିଧାୟକ ଶ୍ରୀ ବେହେରା ପ୍ରତିଶୃତି ଦେଇଥିଲେ ।
