
ପଟ୍ଟାମୁଣ୍ଡାଇ ୧୪/୧୧- ଆପଣ କୌଣସି ସୁରାକ୍ ପାଇବେ ନାହିଁ, ଆପଣଙ୍କ ମୋବାଇଲ ନମ୍ବର ବ୍ୟବହାର କରି ଅନ୍ୟ ଜଣେ ଅସୀମିତ କଲ୍ କରିପାରିବ। ଆପଣଙ୍କ ମୋବାଇଲ୍ ନମ୍ବର ବ୍ୟବହାର କରି ଅନ୍ୟ କାହାକୁ ଠକି ପାରିବ। ଗୋଟିଏ ଲିଙ୍କ୍ ଜରିଆରେ ଆପଣଙ୍କ ଆକାଉଣ୍ଟ୍ରୁ ଲକ୍ଷ ଲକ୍ଷ ଟଙ୍କା ନିମିଷକେ ଗାୟବ ହୋଇଯିବ। ସାଇବର୍ ଅପରାଧୀ ଏଭଳି କୌଶଳ ବ୍ୟବହାର କରି ଦିନକୁ ଦିନ ଠକିବାରେ ଲାଗିଛନ୍ତି, ଯାହାର ମୁକାବିଲା ସମଗ୍ର ବିଶ୍ୱ ପାଇଁ ଏକ ଆହ୍ୱାନ ପାଲଟିଛି। ତେବେ ଏହି ଅପରାଧରୁ ନିଜକୁ ବଞ୍ଚାଇବା ପାଇଁ କେବଳ ସଚେତନ ହେବା ଛଡ଼ା ବିକଳ୍ପ ବ୍ୟବସ୍ଥା ହୋଇପାରିନାହିଁ ବୋଲି ଶୁକ୍ରବାର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପକ୍ଷରୁ ପଟ୍ଟାମୁଣ୍ଡାଇ କଲେଜ ଠାରେ ଆୟୋଜିତ ଏକ ସଚେତନତା କର୍ମଶାଳାରେ ଅତିଥିମାନେ ଏପରି ମତବ୍ୟକ୍ତ କରିଛନ୍ତି।ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ରଙ୍କ ସଂଯୋଜନାରେ ଜିଲ୍ଲା ପୋଲିସ ମୁଖ୍ୟାଳୟ ଡିଏସପି ସରୋଜ କୁମାର ସାହୁ, ଜିଲ୍ଲା ପୋଲିସ ରିଜର୍ଭ ଇନ୍ସପେକ୍ଟର ଆଶିଷ କୁମାର ମୁଦୁଲି, ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ସମଗ୍ର ବିଶ୍ୱରେ ସାଇବର ଅପରାଧ ବଢ଼ି ଚାଲିବା ସହିତ ସରକାର ଓ ପ୍ରଶାସନ ପାଇଁ ଆହ୍ୱାନ ସୃଷ୍ଟି କରିଛି ବୋଲି ପ୍ରକାଶ କରିଥିଲେ ।ଅତିଥିମାନେ ଛାତ୍ରୀଛାତ୍ର ମାନଙ୍କୁ ବୁଝାଇ କହିଥିଲେ ଯେ ଦେଶର ପ୍ରାୟ ୫୫ ପ୍ରତିଶତ ଲୋକ ଆଜି ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ବିଶ୍ୱରେ ଇଣ୍ଟରନେଟ୍ ବ୍ୟବହାର କ୍ଷେତ୍ରରେ ଭାରତର ସ୍ଥାନ ଦ୍ୱିତୀୟ ରହିଛି। ଆମ ଦୈନନ୍ଦିନ ଜୀବନରେ ଆମେ ସମସ୍ତେ ଡିଜିଟାଲ୍ ବ୍ୟବସ୍ଥା ସହିତ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ ହୋଇଯାଇଛୁ। ଆମ କଲେଜରେ ପାଠ ପଢୁଥିବା ଛାତ୍ରୀଛାତ୍ରଙ୍କ ପାଖରେ ସାଧାରଣତ ସ୍ମାଟ ଫୋନ ରହୁଛି । କାରଣ ଇଣ୍ଟରନେଟ୍ ଓ ଟେକ୍ନୋଲୋଜି ଆମ ପାଇଁ ଅପରିହାର୍ଯ୍ୟ ହୋଇପଡିଛି। ଆଜି ଇଣ୍ଟରନେଟ୍ ବ୍ୟବହାରୀକାରୀଙ୍କୁ ସାଇବର ଅପରାଧ, ଅନଲାଇନ ଠକେଇ ଭଳି ଅପରାଧର ଶୀକାର ହେବାକୁ ପଡୁଛି।ଇଣ୍ଟରନେଟ୍ ଜରିଆରେ ଝିଅ ମାନଙ୍କୁ ବ୍ଲାକମେଲିଙ୍ଗ ଓ ମାନସିକ ନିର୍ଯ୍ୟାତନା ଦେବା ବଳି ବହୁ ମାମଲା ଆସୁଛି । ଏହି ଅପରାଧକୁ ରୋକିବା ପାଇଁ ଆମ ସରକାର ସବୁବେଳେ ଗୁରୁତ୍ୱ ଦେଉଛନ୍ତି ଏବଂ ଏଥିପାଇଁ ଆମ ସରକାର ସାଇବର ପୋଲିସଙ୍କୁ ଶକ୍ତିଶାଳୀ କରିବା, ସଚେତନତା ବୃଦ୍ଧି କରିବା ଓ ସୁରକ୍ଷିତ ଡିଜିଟାଲ ପରିବେଶ ଗଠନ କରିବା ଭଳି ପଦକ୍ଷେପମାନ ଗ୍ରହଣ କରିଛନ୍ତି। କୌଣସି ଅଜଣା ଫୋନରୁ କଲ ଆସିଲେ କଲ ନଧରିବା, ଅଜଣା ବ୍ୟକ୍ତି ଫୋନ କରି ଓ ଟି ପି ମାଗିଲେ ଓଟିପ ନଦେଇ ସଙ୍ଗେ ସଙ୍ଗେ ନିକଟସ୍ଥ ସାଇବର ଥାନା, ପୋଲିସ ଥାନା କିମ୍ବା ହେଲ୍ପ ଲାଇନ ନମ୍ବର ୧୯୩୦କୁ ଜଣାଇବା ପାଇଁ ପରାମର୍ଶ ଦେଇଥିଲେ । ଏଥି ସହିତ କୋମଳମତି ଛାତ୍ରୀଛାତ୍ରମାନେ ନିଜର ଆଧୁନିକ ଜ୍ଞାନ କୌଶଳ ବଳରେ ସାଇବର ଅପରାଧୀଙ୍କ ଠାରୁ ସତର୍କ ରହିବାକୁ ପୋଲିସ ଅଧିକାରୀ ଓ କଲେଜ ଅଧକ୍ଷ ପରାମର୍ଶ ଦେଇଥିଲେ ।
ପଟ୍ଟାମୁଣ୍ଡାଇ କଲେଜରେ ସଚେତନତା କାର୍ଯ୍ୟକ୍ରମ ଅବ୍ୟବହିତ ପୂର୍ବରୁ ସାଇବର ଅପରାଧ ରୋକିବା ପାଇଁ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ରଥକୁ କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ ସ୍ୱାଗତ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ କଲେଜର ପ୍ରାଧ୍ୟାପକ କ୍ୟାପଟେନ ମନୋଜ ପରିଡା ସର୍ବେଶ୍ୱର ସାହୁ, ଜଗନ୍ନାଥ ବେହେରା, ଅଧ୍ୟାପକ ମାନସ ନାୟକ, ପ୍ରଦ୍ୟୁମ୍ନ ପ୍ରଧାନ, ସୁଭାଶିଷ ମିଶ୍ର, ଶ୍ରୀମନ୍ତ ଜେନା, ସରୋଜକାନ୍ତ ନାୟକ, ଜିତେନ୍ଦ୍ର ମଲିକ, ଅଧ୍ୟାପିକା ସୁଭଲକ୍ଷ୍ମୀ ପ୍ରଧାନ,ଇନ୍ସପେକ୍ଟର ରତି ରଞ୍ଜନ ନାୟକ, ଏଏସଆଇ ମାମୁନି ରାୟ, କଲେଜ ଡେମୋନଷ୍ଟେଟର ଗୋକୁଳ ଚନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇ ସାଇବର ଅପରାଧ ରୋକିବା ପାଇଁ ସଚେତନତା ବାର୍ତା ଦେଇଥିଲେ । ଏଇ ଅବସରରେ ସାଇବର ସଚେତନତା ସମ୍ପର୍କରେ ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତାର କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା । ସଚେତନତା କାର୍ଯ୍ୟକ୍ରମ ଆରମ୍ଭରେ ଡିଏସପି ଶ୍ରୀ ସାହୁ ଶପଥପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ କଲେଜର ବହୁ ଅଧ୍ୟାପିକା/ଅଧ୍ୟାପକ ଛାତ୍ରୀଛାତ୍ର ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି, ପୋଲିସ ଅଧିକାରୀ ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ।
